କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଛାଇ ଦେଖି ଡରୁଛି କି ବିଜେଡ଼ି ? ଗୋଲକ ମହାପାତ୍ର

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଛାଇ ଦେଖି ବିଜେଡି ଭୟ କରୁଥିବା ଭଳି ମନେହେଉଛି । ଦୁର୍ନୀତି କଥା କହିଲେ ବିଜେଡ଼ି ଦଳ କାହିଁକି ଚିହିଁକି ଉଠୁଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ବିଜୁ ଜନତା ଦଳ କେଉଁ ଭଳି ଭାବେ ଦୁର୍ନୀତିରେ ଲିପ୍ତ ରହିଛି, ତାହା ସାରା ଓଡ଼ିଶାବାସୀ ଜାଣିଛନ୍ତି । ବିଜେଡି ମୁଖପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ କିଛି କହିବା ପୂର୍ବରୁ ନିଜର ମାଲିକ ଦେଖାଉଥିବା ଲୋକକୁ ପ୍ରଶ୍ନ କରନ୍ତୁ । କାହିଁକି ସେ ଦୁର୍ନୀତି କରିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି ? ନିମ୍ନ ଶ୍ରେଣୀର କର୍ମଚାରୀଙ୍କୁ ଧରିବା ବାହାନାରେ ବଡ ଲୋକଙ୍କୁ ଖସାଇବା ପାଇଁ ବାଟ ତିଆରି କରୁଛନ୍ତି,ଯେଉଁ ବାଟର ମୁଖ୍ୟ ନାୟକ ସାଜିଛନ୍ତି ବିଜେଡିର ନୂଆ ମୁଖିଆ ।

ଆଜି ଯେଉଁଠି ବିଶୃଙ୍ଖଳା ତିଆରି ହେଉଛି, ସେହି ଜାଗାରେ ବିଜେଡି ଦଳର ଭୂମିକା ରହୁଛି । ବରଗଡର ବିପିସିଏଲ ପ୍ଲାଣ୍ଟ କିଛି ଦିନ ପୂର୍ବରୁ ବନ୍ଦ ଥିଲା । ସେହି ପ୍ଲାଣ୍ଟକୁ ବନ୍ଦ କରିବା ପଛରେ କାହାର ଭୂମିକା ଥିଲା ? ବିଜେଡି ମୁଖପାତ୍ର ଏହାର ଉତ୍ତର ରଖିବେ କି ? ରାଷ୍ଟ୍ରୀୟ ଉଦ୍ୟୋଗ କାମରେ କିଏ ବାଧା ସୃଷ୍ଟି କରୁଛି ? ବିଜେଡିର ଲୋକମାନେ ରାଷ୍ଟ୍ରୀୟ ଉଦ୍ୟୋଗ କାମରେ ବାଧା ସୃଷ୍ଟି କରିବା ଖବର ମିଛ କି ? ବିଜେଡି ମୁଖପାତ୍ର ବାହାସ୍ଫୋଟ ନମାରି ଓଡ଼ିଆ ଲୋକଙ୍କ ହିତ ପାଇଁ କାମ କରନ୍ତୁ ବୋଲି ଶ୍ରୀ ମହାପାତ୍ର ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ।

Spread the love