ଟାଇମ୍ସ ହାଇଅର ଏଜୁକେସନ୍ ଏସିଆ ୟୁନିଭରସିଟି ରାଙ୍କିଂ ୨୦୨୩: ପୁଣି ଭାରତର ଶ୍ରେଷ୍ଠ ୧୩ତମ ସ୍ଥାନରେ କିଟ୍ ବିଶ୍ଵବିଦ୍ୟାଳୟ

ଦି ଟାଇମ୍ସ ହାଇଅର ଏଜୁକେସନ୍ ଏସିଆ ୟୁନିଭରସିଟି ରାଙ୍କିଂ ୨୦୨୩ରେ କିଟ୍ ବିଶ୍ୱବିଦ୍ୟାଳୟ ଯଥେଷ୍ଟ ଉତ୍କୃଷ୍ଟ ପ୍ରଦର୍ଶନ କରିପାରିଛି । ‘ଦି ଟାଇମ୍ସ ହାଇଅର ଏଜୁକେସନ୍’ ପକ୍ଷରୁ ଗୁରୁବାର ପ୍ରକାଶିତ ବିଶ୍ବସ୍ତରୀୟ ଏସିଆ ୟୁନିଭର୍‌ସିଟି ରାଙ୍କିଂରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ମଧ୍ୟରେ କିଟ୍ ୧୩ତମ ସ୍ଥାନରେ ରହିଥିବା ବେଳେ ଏସିଆର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ ୧୪୭ ତମ ସ୍ଥାନରେ ରହିଛି। କିଟ୍ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆଇଆଇଏସ୍, ଆଇଆଇଟି ଓ ଆଇଆଇଆଇଟି ଭଳି ଦେଶର ଖ୍ୟାତି ସମ୍ପନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇ ପାରିଛି । ପୂର୍ବବର୍ଷ କିଟ୍ ଏସିଆ ରାଙ୍କିଂର ୨୦୧+ ସ୍ଥାନରେ ରହିଥିଲା। ଟାଇମ୍ସ ହାଇଅର ଏଜୁକେସନ୍ ପକ୍ଷରୁ ଶିକ୍ଷାଦାନ, ଗବେଷଣା, ଜ୍ଞାନର ଆଦାନ ପ୍ରଦାନ, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଆଦି ବିଭିନ୍ନ ମାନଦଣ୍ଡକୁ ନେଇ ବିଶ୍ବବିଦ୍ୟାଳୟଗୁଡ଼ିକର ରାଙ୍କିଂ କରାଯାଇଛି । କିଟ୍ ବିଶ୍ୱବିଦ୍ୟାଳୟରେ ବ୍ୟାପକ କାର୍ଯ୍ୟକ୍ରମ ସହ ୨ଶହରୁ ଊର୍ଦ୍ଧ୍ବ ବିଭିନ୍ନ ପାଠ୍ୟକ୍ରମ ରହିଥିବା ବେଳେ ଏହାକୁ ବିଚାରକୁ ନେଲେ ଦେଶର ସମସ୍ତ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ ମଧ୍ୟରେ କିଟ୍ ଯଥେଷ୍ଟ ଉନ୍ନତ ପ୍ରଦର୍ଶନ କରିଛି ।

ଟାଇମ୍ସ ହାଇଅର୍ ଏଜୁକେସନ୍ ପକ୍ଷରୁ ଗତ ୫୦ବର୍ଷ ମଧ୍ୟରେ ପ୍ରତିଷ୍ଠିତ ଏସିଆର ଲବ୍‌ଧ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟଗୁଡ଼ିକୁ ଏହି ଚୟନ ପ୍ରକ୍ରିୟାରେ ସାମିଲ୍ କରାଯାଇଛି। ସୂଚନାଯୋଗ୍ୟ, କିଟ୍ ୨୫ ବର୍ଷର ଅନୁଷ୍ଠାନ ହୋଇଥିବା ବେଳେ ମାତ୍ର ୧୯ ବର୍ଷର ବିଶ୍ଵବିଦ୍ୟାଳୟ ଭାବେ ଉପରୋକ୍ତ ସମସ୍ତ ମାନଦଣ୍ଡକୁ ପୂରଣ କରି ସମଗ୍ର ଦେଶରେ ୧୩ତମ ଓ ଏସିଆରେ ୧୪୭ତମ ସ୍ଥାନରେ ରହି ରାଜ୍ୟ ଓ ଦେଶରର ଗୌରବ ବୃଦ୍ଧି କରିପାରିଛି । ଏହି ସଫଳତା ପାଇଁ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍ ଓ କିସ୍‌ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଆଗାମୀ ଦିନରେ କିଟ୍ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶା ପୋଷଣ କରିଛନ୍ତି ।

Spread the love