‘ୟେ ଦୋସ୍ତି ହମ୍‌ ନହିଁ ତୋଡେଙ୍ଗେ’: ‘ଶୋଲେ’ ଗୀତ ଗାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କଲେ ଶାଢ଼ି ପରିହିତା ଇଜିପ୍ଟ ତରୁଣୀ

କାଇରୋ: ଦୁଇଦିନିଆ ‘ଷ୍ଟେଟ୍‌ ଭିଜିଟ୍‌’ରେ ଯାଇ ଶନିବାର ଦିନ ଇଜିପ୍ଟର ରାଜଧାନୀ କାଇରୋ ପହଞ୍ଚିଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶାଢ଼ି ପିନ୍ଧିଥିବା ଜଣେ ଇଜିପ୍ଟ ତରୁଣୀ ଅମିତାଭ ଓ ଧର୍ମେନ୍ଦ୍ରଙ୍କ ଉପରେ ଚିତ୍ରାୟିତ ‘‌ଶୋଲେ’ ସିନେମାର ପ୍ରସିଦ୍ଧ ଗୀତ ‘ୟେ ଦୋସ୍ତି ହମ୍‌ ନହିଁ ତୋଡେଙ୍ଗେ’ ଗାଇ ସ୍ବାଗତ କରିଥିଲେ। ‘ବିଜେପି’ ଆଇ.ଟି. ଡିପାର୍ଟମେଣ୍ଟ୍‌ ଦାୟିତ୍ବରେ ଥିବା ଅମିତ ମାଲବୀୟ ଏହି ଭିଡିଓଟି ସେୟାର୍‌ କରିଛନ୍ତି। ଗୀତଟିକୁ ଅତି ସୁଲଳିତ ସ୍ବରରେ ଗାଇଥିବା ତରୁଣୀଜଣକ ଅତି ସ୍ବଳ୍ପ ହିନ୍ଦୀ ଭାଷା ଜାଣନ୍ତି ଏବଂ କ‌େବେ ଭାରତ ଯାଇନାହାନ୍ତି ବୋଲି କହିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଆଚମ୍ବିତ ହୋଇଯାଇଥିଲେ। ଗୀତ ଶୁଣି ମନ୍ତ୍ରମୁଗ୍ଧ ହୋଇଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଟିରୁ ବାହାରି ପଡ଼ିଥିଲା: କେହି ଜାଣିପାରିବେନି ତୁମେ ମିଶର୍‌ର ଝିଅ କି, ଭାରତର ଝିଅ।

ଜେନା ନାମ୍ନୀ ସେ ଇଜିପ୍ଟ (ମିଶର) ତରୁଣୀ କହିଛନ୍ତି, ଆଗରୁ ମୁଁ କେବେ ଭାରତକୁ ଯାଇନାହିଁ। ମୁଁ ୬ ବର୍ଷ ବୟସରୁ ଗୋଟାଏ ଭାରତୀୟ ଗୀତ ଗାଇଆସୁଛି। ସେ ଗୀତ ଗାୟନ ୧୧/୧୨ ବର୍ଷ ହେବ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଖୁବ୍‌ ପ୍ରୀତ ହେଲି। ସେ ଆମକୁ କହିଲେ ଯେ, ଆମେ ଭାରତୀୟଙ୍କ ପରି ଦିଶୁଛୁ, କିଛି ଫରକ ଜଣାପଡୁନାହିଁ। ଜେନା ଆହୁରି ମଧ୍ୟ କହିଛନ୍ତି, ମୁଁ ଖୁବ୍‌ ଆନନ୍ଦିତ। ତାଙ୍କ ସ୍ମିତହାସ ଦେଖି ମୋର ମନେହେଲା ସେ ମୋ ଗାୟନ ପସନ୍ଦ କରିଛନ୍ତି। ତାଙ୍କୁ ଭେଟି ମୁଁ ନିଜେ ସମ୍ମାନିତ ବୋଧକଲି। ସୂଚନାଯୋଗ୍ୟ, ବିମାନ ବନ୍ଦରରେ ଅବତରଣ କରି ପ୍ରଧାନମନ୍ତ୍ରୀ ମୋଦୀ କାଇରୋର ‘ରିଜ୍‌ କାର୍ଲଟନ୍‌ ହୋଟେଲ୍‌’ରେ ପହଞ୍ଚିବା କ୍ଷଣି ସେଠାରେ ଉପସ୍ଥିତ ଭାରତୀୟ ସମ୍ପ୍ରଦାୟ  ଉଚ୍ଚସ୍ବରରେ ‘ବନ୍ଦେ ମାତରଂ’, ‘ମୋଦୀ, ମୋଦୀ’ କହି ତାଙ୍କର ଜୟ ଜୟକାର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିବା ଲାଗି କେତେଜଣ ଭାରତୀୟ ଗୀତ ଗାଇବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବି ପରିବେଶଣ କରିଥିଲେ।

Spread the love