ଅପରାଜିତାଙ୍କ ପରେ ୫-ଟି ସଚିବଙ୍କୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଘେରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ସେ କହିଛନ୍ତି ଯେ ମୋର ପ୍ରଥମ ପ୍ରଶ୍ନ ହେଉଛି, ୫-ଟି ସଚିବ ପାଣ୍ଡିଆନ ଯେଉଁ ଗସ୍ତ କରୁଛନ୍ତି ତାହା ମୁଖ୍ୟମନ୍ତ୍ରୀଙ୍କ ସମ୍ମତିରେ ହେଉଛି ନା ନାହିଁ। ଗୋଟିଏ ଆରଟିଆଇ ପ୍ରଶ୍ନର ଉତ୍ତରରେ ସିଏମଓ କହିଛି ଯେ ସେହିଭଳି କୌଣସି ନିର୍ଦ୍ଦେଶ ପାଣ୍ଡିଆନଙ୍କୁ ଦିଆଯାଇନାହିଁ। ଯଦି ଦିଆଯାଇନାହିଁ, ତାହେଲେ ଏହା ଜଘନ୍ୟ କଥା। ଜଣେ ସଚିବ ସ୍ତରୀୟ ବ୍ୟକ୍ତି ହେଲିକପ୍ଟରରେ ଯାଉଛନ୍ତି, ତାଙ୍କ ପାଇଁ ପୁଲିସ ବନ୍ଦୋବସ୍ତ କରାଯାଉଛି, ତାଙ୍କ ପାଇଁ ମାଳମାଳ ଗାଡ଼ି ଯାଉଛି। ଏହାସହ କେତେକ ସ୍କୁଲ ବସଗୁଡ଼ିକୁ ମଧ୍ୟ ନିୟୋଜିତ କରାଯାଇଛି। ଏସବୁ କାର୍ଯ୍ୟ ଯଦି ମୁଖ୍ୟମନ୍ତ୍ରୀଙ୍କ ବିନା ସମ୍ମତିରେ ହେଉଛି ତେବେ ଏହା ସଚିବଙ୍କ କଣ୍ଡକ୍ଟ ରୁଲର ସମ୍ପୂର୍ଣ୍ଣ ଉଲ୍ଲଂଘନ। ଏଭଳି କରିବାର ଅଧିକାର ତାଙ୍କୁ ଦେଲା କିଏ ?

ବିଜୟଙ୍କ ଦ୍ଵିତୀୟ ପ୍ରଶ୍ନ ହେଲା, ଯଦି ମୁଖ୍ୟମନ୍ତ୍ରୀଙ୍କ ବିନା ସମ୍ମତିରେ ହେଉଛି। ଏ ସବୁ ଘଟଣା ମୁଖ୍ୟମନ୍ତ୍ରୀ ଦେଖୁଛନ୍ତି ନା ନାହିଁ। ଟିଭି କିମ୍ବା ଖବରକାଗଜ, ସୋସିଆଲ ମିଡ଼ିଆ ଚାରିଆଡେ଼ ପ୍ରଚାର ହେଉଛି। ମୁଖ୍ୟମନ୍ତ୍ରୀ ତ ଦେଖୁଥିବେ। ତାହେଲେ ମୁଖ୍ୟମନ୍ତ୍ରୀ କଣ କିଛି ଜାଣିପାରୁ ନାହାଁନ୍ତି ?

ଯଦି ମୁଖ୍ୟମନ୍ତ୍ରୀଙ୍କ ବିନା ସମ୍ମତିରେ ଏସବୁ କାର୍ଯ୍ୟକ୍ରମ ଚାଲୁଛି, ତେବେ ଏଗୁଡ଼ିକୁ ମୁଖ୍ୟମନ୍ତ୍ରୀ ବନ୍ଦ କାହିଁକି କରୁନାହାନ୍ତି ? ଯଦି ଜଣେ ଅଫିସର ବିନା ଅନୁମତିରେ କାର୍ଯ୍ୟ କରୁଛନ୍ତି, ତେବେ ତାଙ୍କୁ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେତେ ସମୟ ଲାଗିବ? ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବନ୍ଦ କାହିଁକି କରିନାହାନ୍ତି, ଏ ପ୍ରଶ୍ନର ଉତ୍ତର ମଧ୍ୟ ମୁଖ୍ୟମନ୍ତ୍ରୀ ଦେବା ଉଚିତ୍। ଯଦି ଗସ୍ତ ସମୟରେ କୌଣସି ଲୋକ ଆସି ସଚିବଙ୍କୁ ଅପ୍ରତ୍ୟାଶିତ ଭାବରେ ଭେଟି କିଛି କହିଲେ, ତେବେ ତାହା ଅଲଗା କଥା। କିନ୍ତୁ ସଚିବଙ୍କ ଏବେର ସବୁ ଗସ୍ତ ତ ସଂପୂର୍ଣ୍ଣ ଭାବେ ପ୍ରାୟୋଜିତ। କାରଣ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି ଯେ କିଏ କେତେ ସଂଖ୍ୟକ ଲୋକଙ୍କୁ ଗାଡ଼ିରେ ବୋହିକି ଆଣିବେ। ଏହା ବଡ଼ ବିଚିତ୍ର କଥା। ଏଭଳି କରିବା ସଂପୂର୍ଣ୍ଣ ଭାବେ ନିୟମ ବିରୋଧୀ। ଯେଉଁ ନିୟମ ସବୁ ସଚିବ ଭଙ୍ଗ କରୁଛନ୍ତି, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର।

ସୂଚନାଯୋଗ୍ୟ, ସଚିବଙ୍କ ସୁରକ୍ଷା ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ କରି ଲେଖିଛନ୍ତି- ଉନ୍ନୟନମୂଲକ କାମର ତଦାରଖ ପାଇଁ ଯାଉଥିବା ସଚିବଙ୍କୁ ଏତେ ଭୟ କାହିଁକି? ଯଦି ଜଣେ ସଚିବଙ୍କ ସୁରକ୍ଷା ପାଇଁ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ତେବେ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିସନରଙ୍କ ସୁରକ୍ଷା ପାଇଁ କେଉଁ ଭଳି ସୁରକ୍ଷା ବ୍ୟବସ୍ଥା ହେବ। ସେ ନେଇ ପୁଲିସ୍ ଡିଜି ସ୍ପଷ୍ଟିକରଣ ରଖିବେ କି ବୋଲି ପ୍ରଶ୍ନ କରିଛନ୍ତି । ଏହି ଟ୍ୱିଟକୁ ଓଡ଼ିଶା ପୁଲିସ୍ ଡିଜିଙ୍କୁ ଟ୍ୟାଗ୍ କରିବା ସହ ବରଗଡ଼ ଗସ୍ତରେ ନିୟୋଜିତ ଥିବା ପୁଲିସ କର୍ମଚାରୀଙ୍କ ଏକ ତାଲିକା ମଧ୍ୟ ରଖିଛନ୍ତି । ଆଜି ବରଗଡ଼ ଗସ୍ତରେ ଅଛନ୍ତି ୫-ଟି ସଚିବ ।

Spread the love