ପରିବାର ଅଦାଲତରେ ଅନୁଭବ-ବର୍ଷା ମାମଲା : ବର୍ଷାଙ୍କୁ ଓକିଲ ପଚାରିଲେଣି ଦେଢଶହରୁ ଅଧିକ ପ୍ରଶ୍ନ

କଟକ: କଟକ ପରିବାର ଅଦାଲତରେ ଅନୁଭବ-ବର୍ଷା ପାରିବାରିକ ମାମଲାର ଆଜି ଶୁଣାଣି ହୋଇଥିଲା। ପୂର୍ବରୁ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଅଧା ରହିଥିବା ବେଳେ ଅଦାଲତରେ ଆଜି ଉଭୟ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ବର୍ଷାଙ୍କୁ ଅନୁଭବଙ୍କ ତରଫରୁ ଆଇନଜୀବୀ ପ୍ରାୟ ଦେଢ ଘଣ୍ଟା ଜେରା କରିଥିଲେ। ଜେରା ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବର୍ଷାଙ୍କୁ ପ୍ରଶ୍ନ ପଚରା ଯାଇଥିଲା। ସମୟ ଅଭାବରୁ ଆଜି ମଧ୍ୟ ବର୍ଷାଙ୍କ ଜେରା ଅସମ୍ପୂର୍ଣ୍ଣ ରହିଥିଲା। ଏ ପର୍ଯ୍ୟନ୍ତ ଜେରା ସମୟରେ ବର୍ଷାଙ୍କୁ ଦେଢ ଶହରୁ ଅଧିକ ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି। ଜେରା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଖୁବଶୀଘ୍ର ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ‌ଶେଷ ହେବ ବୋଲି ସୂଚନା ମିଳିଛି।

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦, ଜୁଲାଇ ୧୬‌ରେ ପିଟିସନ୍ ଦାଖଲ କରିଥିଲେ। ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମ‌େକାର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

୨୦୨୧, ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୫ର ନିର୍ଦ୍ଦେଶ ଅନୁସାରେ ଅନୁଭବ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ କରିଥିବା ଆବେଦନ ଶୁଣାଣି ପାଇଁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇ ଆସିବା ପରେ ୨୦୨୧, ଏପ୍ରିଲ ୫ରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ଅଦାଲତରେ ମଧ୍ୟସ୍ଥତା ପ୍ରକ୍ରିୟାରୁ କୌଣସି ସୁଫଳ ମିଳି ପାରିନଥିଲା। ଏହାପରେ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ମାମଲାରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପୂର୍ବରୁ ଶେଷ ହୋଇ ସାରିଛି। ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ଓ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଛନ୍ତି।

Spread the love