‘ଥିଙ୍କ  ଜୋନ୍‌’ ସହ ‘ମୋ କଲେଜ’ର ବୁଝାମଣା ପତ୍ର ସ୍ୱାକ୍ଷର: ୩୦୦୦ ଯୁବକ-ଯୁବତୀଙ୍କୁ ଶିକ୍ଷା ଉପରେ ମିଳିବ ପ୍ରଶିକ୍ଷଣ -୨ ବର୍ଷ ଯାଏ ମାଗଣାରେ ପ୍ରଶିକ୍ଷଣ ସହ ବୃତ୍ତି

ଭୁବନେଶ୍ୱର,୨୭ା୬: ‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ ଓ ‘ଥିଙ୍କ  ଜୋନ୍‌’ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହୋଇଛି । ଏହି ଅନୁଷ୍ଠାନ ‘ମୋ କଲେଜ’ ସହ ମିଶି ରାଜ୍ୟରେ ଥିବା ବିଭିନ୍ନ କଲେଜରେ ୩୦୦୦ ଛାତ୍ରଛାତ୍ରୀଙ୍କୁ ଛୋଟ ପିଲାଙ୍କୁ କିଭଳି ଶିକ୍ଷାଦାନ କରିବେ ତାହା ଉପରେ ପ୍ରଶିକ୍ଷଣ ଦେବେ । ଥିଙ୍କ ଜୋନ୍ ଫେଲୋସିପ୍ ପ୍ରୋଗ୍ରାମ ନାମରେ ଏହି କାର୍ଯ୍ୟକ୍ରମ ଚାଲିବ । ଏହି ଅବସରରେ ଆଜି ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ ଏବଂ ଥିଙ୍କ୍ ଜୋନ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିନାୟକ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି । ଏହି ଫେଲୋସିପ୍ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କଲେଜରୁ ୩୦୦୦ ହଜାର ଛାତ୍ରଛାତ୍ରୀଙ୍କୁ ନିଆଯିବ । ଛାତ୍ରଛାତ୍ରୀଙ୍କ ବୟସ ୧୮ରୁ ୨୬ ବର୍ଷ ହୋଇଥିବ । ପାଠ ପଢୁଥିବା କିମ୍ବା ସ୍ନାତକ ଓ ସ୍ନାତକୋତ୍ତର ସାରିଥିବା ଛାତ୍ରଛାତ୍ରୀମାନେ ଏହି ଫେଲୋସିପ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ । ଗ୍ରାମାଞ୍ଚଳ, ଅଦ୍ଧର୍ସହରାଞ୍ଚଳ, ବିଶେଷ ସୁବିଧା ନଥିବା ସହରାଞ୍ଚଳରୁ ଆସୁଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ନିଜ ଅଞ୍ଚଳରେ ଥିବା ପିଲାଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ଦେଇପାରିବେ ତାହା ଉପରେ ପ୍ରଶିକ୍ଷଣ ଦିଆଯିବ । ଏହି ୩୦୦୦ ହଜାର ପିଲାମାନେ ପ୍ରଶିକ୍ଷଣ ନେବା ପରେ ନିଜ ଅଞ୍ଚଳରେ ଥିବା ପାଖାପାଖି ୧୫ ହଜାର କୁନି ପିଲାଙ୍କ ଭାଷା ଓ ଗଣିତ ପାଠର ମୂଳଦୁଆକୁ ବୃଦ୍ଧି କରିପାରିବେ । କାର୍ଯ୍ୟକ୍ରମରେ ଯୋଗାଯୋଗ, ଡିଜିଟାଲ୍ ଦକ୍ଷତା ସହ ସୋସିଆଲ୍ ମିଡିଆର ବ୍ୟବହାର, ଆର୍ଥିକ ସ୍ୱାକ୍ଷରତା, ଅଣୁ ଉଦ୍ୟୋଗ, ଶ୍ରେଣୀଗୃହ ପରିଚାଳନା, ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ, ଇଂରାଜୀ ଓ ଗଣିତ ପାଠ ଶିଖାଇବା, ନେତୃତ୍ୱ ନେବା, ଖେଳକୁଦ ମାଧ୍ୟମରେ କୁନି ପିଲାଙ୍କୁ ଶିକ୍ଷାଦେବାର ବିଭିନ୍ନ କୌଶଳ ଉପରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । କଟକ, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାର ସମସ୍ତ କଲେଜରେ ଏହି
କାର୍ଯ୍ୟକ୍ରମ ହେବ । ଛାତ୍ରଛାତ୍ରୀଙ୍କୁ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ପ୍ରଶିକ୍ଷଣ ମିଳିବ । ସମୁଦାୟ ୧୨୦
ଘଣ୍ଟା ସେମାନେ ଏହି ପ୍ରଶିକ୍ଷଣରେ ବିତାଇବେ । ପ୍ରଶିକ୍ଷଣ ମାଗଣାରେ ନେବା ସହ ଏକ ସାର୍ଟିଫିକେଟ୍ ମଧ୍ୟ ଦିଆଯିବ । ଏପରିକି ପିଲାଙ୍କୁ ପଢ଼ାଇବା ସମୟରେ ଯୁବକ-ଯୁବତୀଙ୍କୁ ଆର୍ଥିକ ଖର୍ଚ୍ଚ ମିଳିବ । ଏହି ଏମ୍‍ଓୟୁ ସମ୍ପର୍କରେ ‘ମୋ କଲେଜ’ ଅଧ୍ୟକ୍ଷ ଶ୍ରୀ ଦାସ ନାୟକ କହିଛନ୍ତି, ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷାର ଗୁରୁତ୍ୱ ସବୁଠୁ ଅଧିକ ରହିଛି । ଛାତ୍ରଛାତ୍ରୀମାନେ ଏକ୍ଷେତ୍ରରେ ଅଧିକରୁ ଅଧିକ ଦକ୍ଷ ହେବା ଦରକାର । ଏହି ଏମ୍‍ଓୟୁ ଦ୍ୱାରା ବୈଷୟିକ ଶିକ୍ଷାରେ ପିଲାମାନଙ୍କ ଜ୍ଞାନ ବଢ଼ିବ । ଆଗକୁ ସେମାନଙ୍କ ଭବିଷ୍ୟତ ଗଠନ ଦିଗରେ ଏହି ପ୍ରଶିକ୍ଷଣ ବହୁତ ସହଯୋଗ କରିବ ।
ଏ ସମ୍ପର୍କରେ ଥିଙ୍କ ଜୋନ୍‍ର ପ୍ରତିଷ୍ଠାତା ଶ୍ରୀ ଆଚାର୍ଯ୍ୟ କହିଲେ, ଏହି ପ୍ରଶିକ୍ଷଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ନିଜର ଭବିଷ୍ୟତ ଗଠନ ଦିଗରେ ସହଯୋଗ କରିବ । ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଥିଙ୍କ ଜୋନ୍ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ପ୍ରାୟ ୬୦୦୦ ଯୁବକ- ଯୁବତୀଙ୍କୁ ପ୍ରଶିକ୍ଷିତ କରିସାରିଛି । ଏମାନଙ୍କ ମଧ୍ୟରୁ ୪୨୧୪ ଛାତ୍ରଛାତ୍ରୀ ଫେଲୋସିପ୍‌କୁ ପୂରଣ କରି ବର୍ଷେ ହେବ ପିଲାଙ୍କୁ ଶିକ୍ଷା ଦେଉଛନ୍ତି । ବର୍ତ୍ତମାନ ଏହାର କାର୍ଯ୍ୟକ୍ରମ ଭଦ୍ରକ, କଟକ, ଯାଜୁପର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ ଚାଲୁଛି ।

Spread the love