ମନ୍ଦିର ଗର୍ଭଗୃହ ବାହାରେ ରାଷ୍ଟ୍ରପତିଙ୍କ ପୂଜାକୁ ନେଇ ବିତର୍କ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ମଙ୍ଗଳବାର (୨୦ ଜୁନ୍‌) ଦିଲ୍ଲୀର ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଯାହାର ଏକ ଫୋଟ ଏବେ ସୋସିଆଲ ମିଡିଆରେ ବିତର୍କର ପ୍ରସଙ୍ଗ ପାଲଟିଛି। ଦିଲ୍ଲୀର ହଜ୍‌ଖାସ ସ୍ଥିତ ଜଗନ୍ନାଥ ମନ୍ଦିରରେ ରାଷ୍ଟ୍ରପତି ଗତ ୨୦ ତାରିଖ ଦିନ ତାଙ୍କର ୬୫ତମ ଜନ୍ମଦିନ ତଥା ରଥଯାତ୍ରା ଅବସରରେ ପହଞ୍ଚିଥିଲେ। ସେଠାରେ ସେ ପୂଜା କରିବା ସମୟର ଫଟୋ ରାଷ୍ଟ୍ରପତିଙ୍କ ସରକାରୀ ଟ୍ବିଟର୍‌ ଆକାଉଣ୍ଟ୍‌ରୁ ଜାରି କରାଯାଇଥିଲା। ଏହି ଫଟୋରେ ଦେଖାଯାଇଥିଲା ଯେ ରାଷ୍ଟ୍ରପତି ମୁର୍ମୁ ଗର୍ଭଗୃହର ଦ୍ବାର ବାହାରେ ହାତ ଯୋଡ଼ି ଛିଡ଼ା ହୋଇଛନ୍ତି ଏବଂ ଭିତରେ ପୂଜାରୀ ପୂଜା କରୁଛନ୍ତି। ତେବେ ରାଷ୍ଟ୍ରପତିଙ୍କୁ ସିଧାସଳଖ ଗର୍ଭଗୃହରେ ପୂଜା କରିବାକୁ କାହିଁକି ଦିଆଗଲା ନାହିଁ ବୋଲି କିଛି ଲୋକ ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ନାନା ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ଟ୍ବିଟର୍‌ ବ୍ୟବହାରକାରୀ ଦାବି କରିଛନ୍ତି ଯେ ରାଷ୍ଟ୍ରପତିଙ୍କୁ ମନ୍ଦିର ଗର୍ଭଗୃହରେ ପ୍ରବେଶ କରିବାକୁ ଦିଆଯାଇ ନଥିବାରୁ ସେ ବାହାରେ ପୂଜା କରିଥିଲେ। ଆଉ କେତେକ ଦାବି କରିଛନ୍ତି ଯେ ରାଷ୍ଟ୍ରପତି ଅନୁସୂଚୀତ ଜାତିର ହୋଇଥିବା କାରଣରୁ ତାଙ୍କୁ ଗର୍ଭଗୃହରେ ପ୍ରବେଶରୁ ବଞ୍ଚିତ କରାଯାଇଛି। ସୋସିଆଲ ମିଡିଆରେ ରାଷ୍ଟ୍ରପତି ମୁର୍ମୁଙ୍କ ସହିତ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କର ମଧ୍ୟ ଫଟୋ ଟ୍ବିଟ୍‌ କରାଯାଉଛି। ଯେଉଁଥିରେ ସେମାନେ ଭିନ୍ନ ସମୟରେ ମନ୍ଦିର ଗର୍ଭ ଗୃହରେ ଯାଇ ପୂଜା କରୁଥିବା ଦେଖିବାକୁ ମିଳିଛି । ଯେଉଁଠି ଦୁଇ କେନ୍ଦ୍ରମନ୍ତ୍ରୀ ଯାଇ ଗର୍ଭ ଗୃହରେ ପୂଜା କରିପାରୁଛନ୍ତି ସେଠାରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଗର୍ଭଗୃହ ଭିତରକୁ କାହିଁକି ଯିବାକୁ ଦିଆଗଲା ନାହିଁ ବୋଲି ପ୍ରଶ୍ନ କରାଯାଇଛି।
‘ଦ ଦଳିତ ବୟଜ’ ନାମକ ଏକ ଟ୍ବିଟର୍‌ ହ୍ୟାଣ୍ଡଲରେ ଅଶ୍ବିନୀ ବୈଷ୍ଣବ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋ ଟ୍ବିଟ କରି ଲେଖାଯାଇଛି-‘ଅଶ୍ବିନୀ ବୈଷ୍ଣବ (ରେଳମନ୍ତ୍ରୀ)-ଅନୁମତି, ଦ୍ରୌପଦୀ ମୁର୍ମୁ (ରାଷ୍ଟ୍ରପତି) -ଅନୁମତି ନାହିଁ।’ ସାମ୍ବାଦିକ ଦିଲୀପ ମଣ୍ଡଳ ମଧ୍ୟ ଏହି ଫଟୋ ଟ୍ବିଟ୍‌ କରି ଲେଖିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ଦିରରେ ପୂଜା କରି ମୂର୍ତ୍ତି ସ୍ପର୍ଶ କରୁଛନ୍ତି, କିନ୍ତୁ ଏହି ମନ୍ଦିରରେ ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ମୁର୍ମୁଙ୍କୁ ବାହାରେ ପୂଜା କରୁଥିବା ଦେଖିବାକୁ ମିଳିଛି। ସେ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦାବି କରିଛନ୍ତି ଏବଂ ଏଥିରେ ସାମିଲ ପୂଜାରୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌) ନେତା ୱାଇଏସ୍‌ ରେଡ୍ଡି ମଧ୍ୟ ଟ୍ବିଟ୍‌ କରି ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ପ୍ରବେଶ ଅନୁମତି କାହିଁକି ଦିଆଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଯେଉଁଠି କେନ୍ଦ୍ରମନ୍ତ୍ରୀଙ୍କୁ ଭିତରକୁ ଯିବାକୁ ଦିଆଯାଉଛି, ସେଠାରେ ଏଭଳି ଭେଦଭାବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ମହାବିକାଶ ଅଘାଡ଼ି (ଏମ୍‌ଭିଏ)ର ଅଫିସିଆଲ ଟ୍ବିଟର ହ୍ୟାଣ୍ଡଲ୍‌ରେ ବିଆର୍‌ ଆମ୍ବେଦକରଙ୍କ ଏକ ଉକ୍ତି ଉଲ୍ଲେଖ କରାଯାଇ ରାଷ୍ଟ୍ରପତି ଗର୍ଭଗୃହ ବାହାରେ ପୂଜା କରିବାକୁ ନେଇ ପ୍ରଶ୍ନ ଉଠାଯାଇଛି।

ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ରାଷ୍ଟ୍ରପତି ପୂଜା କରୁଥିବା ସମୟର ଫଟୋ ଏବଂ ମନ୍ଦିର ପ୍ରଶାସନକୁ ନେଇ ଅଯଥା ବିବାଦ ସୃଷ୍ଟି କରାଯାଉଛି ଏବଂ ହଟଚମଟ ପାଇଁ ଏଭଳି କରାଯାଉଛି ବୋଲି ଅନେକ ଟ୍ବିଟର ବ୍ୟବହାରକାରୀ ମତ ଦେଇଛନ୍ତି। ସେମାନଙ୍କ ତର୍କ ହେଲା ଏହା ପୂର୍ବରୁ ରାଷ୍ଟ୍ରପତି ଅନେକ ମନ୍ଦିରର ଗର୍ଭଗୃହରେ ପୂଜାର୍ଚ୍ଚନା କରିଥିବା ନଜିର ରହିଛି ଏବଂ ଭେଦଭାବର ପ୍ରଶ୍ନ ଉଠୁନାହିଁ। ଲେଖକ କାର୍ତ୍ତିକେୟ ତନ୍ନା ରାଷ୍ଟ୍ରପତି ମୁର୍ମୁଙ୍କ ଦେବଘର ବୈଦ୍ୟନାଥ ମନ୍ଦିର ଏବଂ ବାରଣାସୀ କାଶୀ ବିଶ୍ବନାଥ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ଫଟୋ ଟ୍ବିଟ୍‌ କରିଛନ୍ତି। ରାଷ୍ଟ୍ରପତିଙ୍କୁ ନେଇ ବିଭ୍ରାନ୍ତିକର ଖବର ପ୍ରସାର କରିବା ବନ୍ଦ ହେବା ଉଚିତ ବୋଲି କେତେକ ଟ୍ବିଟର୍‌ ବ୍ୟବହାରକାରୀ କହିଛନ୍ତି। ପୂଜକ ସନାତନ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି ଯେ ରାଷ୍ଟ୍ରପତି ପୂଜା କରୁଥିବା ସମୟର ଫଟୋକୁ ନେଇ ଏଭଳି ବିବାଦ ସୃଷ୍ଟି କରାଯିବା ନିନ୍ଦନୀୟ। ପୂଜା କରିବା ପାଇଁ ଏକ ପ୍ରୋଟକଲ ରହିଛି । ମନ୍ଦିରରେ ଜାତି ନିର୍ବିଶେଷରେ ସବୁ ହିନ୍ଦୁ ପ୍ରବେଶ କରିପାରିବେ ବୋଲି ସେ କହିଛନ୍ତି। ଗର୍ଭଗୃହରେ ପୂଜା କରିବା ପାଇଁ ଆମେ ଯାହାଙ୍କୁ ବରଣ କରିଥାଉ ସେ ଭିତରକୁ ଆସି ପ୍ରାର୍ଥନା ଓ ପୂଜା କରିଥାନ୍ତି। ରାଷ୍ଟ୍ରପତି ତାଙ୍କର ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଭଗବାନଙ୍କ ଆଶୀର୍ବାଦ ନେବାକୁ ମନ୍ଦିର ଆସିଥିଲେ ଏବଂ ଏହି କାରଣରୁ ସେ ଗର୍ଭଗୃହ ଭିତରକୁ ଯାଇନଥିଲେ ବୋଲି ପୂଜକ ଶ୍ରୀ ପାଢ଼ୀ କହିଛନ୍ତି।

Spread the love