ଆଜି ସୁନାବେଶ

ଆଜି ରତ୍ନଅଳଙ୍କାରରେ ଝଲସିବେ ବିଶ୍ୱନୟନ୍ତା। ମହଣ ମହଣ ସୁନାରେ ସଜେଇ ହେବେ ରଥାରୁଢ ଦାରୁବିଗ୍ରହ। ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀଜିଉ। ଏହି ବେଶକୁ ବଡ଼ ତଡାଉ ବେଶ ମଧ୍ୟ କହାଯାଏ। ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର ଭଣ୍ଡାରଘରୁ ବାହାରିବ ମହଣ ମହଣ ସୁନା ଓ ରୂପା ଅଳଙ୍କାର। ଆଷାଢ ଶୁକ୍ଲ ଏକାଦଶୀ ତିଥିରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ।
ନିର୍ଘଣ୍ଟ ସମୟ ପୂର୍ବରୁ ଅର୍ଥାତ୍‌ ସଅଳ ନୀତିକାନ୍ତି କରାଯିବ। ସୁନାବେଶରେ ୧୦ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ସଅଳ ନୀତିକାନ୍ତି କରାଯାଇ ନିର୍ଘଣ୍ଟ ସମୟ ପୂର୍ବରୁ ଚତୁର୍ଦ୍ଧାବିଗ୍ରହଙ୍କ ସୁନାବେଶ କରାଯିବ। ଏହାଦ୍ୱାରା ଭକ୍ତମାନେ ଅଧିକ ସମୟ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାର ସୁଯୋଗ ପାଇବେ।

ସେହିପରି ସୁନାବେଶ ସମୟରେ ରଥାରୁଢ଼ ଠାକୁରଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ। ରଥ ଉପରେ କୌଣସି ସେବାୟତ ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଆଜି ରଥ ଉପରେ ଅନ୍ୟାନ୍ୟ ନିତି ବଢି ମଧ୍ୟାହ୍ନ ଧୂପ, ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପର୍ଣ୍ଣ ହେବା ପରେ ଅପରାହ୍ନ ୫ଟାରୁ ୬ଟା ୩୦ ମଧ୍ୟରେ ଠାକୁର ମାନଙ୍କୁ ସୁନାବେଶରେ ସଜିତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୯୦ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯିବ।

Spread the love