ଆଜି ଅଧର ପଣା : ୪୫୦ ବର୍ଷର ପରମ୍ପରା

ପୁରୀ : ଦ୍ବାଦଶୀ ତିଥିରେ ମହାପ୍ରଭୁଙ୍କ ରଥ ଉପରେ ହେବ ଅଧରପଣା। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହେବାପରେ ରଥର ପାର୍ଶ୍ବ ଦେବଦେବୀ ଓ ଚଣ୍ଡୀଚାମୁ୍ଣ୍ଡାଙ୍କ ଲାଗି ଭଙ୍ଗାଯିବ ଅଧର ହାଣ୍ଡି। ରଥଯାତ୍ରାର ମହାପର୍ବରେ ଅଧର ପଣା ନୀତିରେ ବି ରହିଛି ସ୍ବତନ୍ତ୍ରତା। କେତେକ ଗବେଷକଙ୍କ ମତରେ ଅଧର ପଣା ପରମ୍ପରା ୪୫୦ ବର୍ଷର ପୁରାତନ। ଅତୀତରେ ଅଧର ପଣା ବାହୁଡ଼ା ଦଶମୀ ଦିନ ଅନୁଷ୍ଠିତ ହେଉଥିଲା। ସିଂହଦ୍ବାର ନିକଟରେ ରଥ ପହଞ୍ଚିବାପରେ ଅଧର ପଣା ଲାଗିହେଉଥିଲା। କିନ୍ତୁ ଏବେ ବହୁବର୍ଷ ହେବ ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେଉଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ପହୁଡ଼ ନୀତି ସମ୍ପନ୍ନ ପରେ ଶୁକ୍ରବାର ସକାଳ ୬ଟାରୁ ସାଢ଼େ ୬ଟା ଭିତରେ ମଙ୍ଗଳଆଳତି, ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶଶେଷ, ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ଭିତରେ ଗୋପାଳବଲ୍ଲଭ, ସାଢ଼େ ୧୧ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଭିତରେ ସକାଳ ଧୂପ, ଅପରାହ୍ଣ ଗୋଟାଏରେ ମଇଲମ, ସାଢ଼େ ଗୋଟାଏରେ ମହାସ୍ନାନ ଓ ସର୍ବାଙ୍ଗ, ୨ଟାରେ ବେଶ ଶେଷ ହେବ। ଅପରାହ୍ଣ ସାଢ଼େ ୩ଟାରୁ ସାଢ଼େ ୪ଟା ଭିତରେ ମଧ୍ୟାହ୍ନ ଧୂପ ଶେଷ ହେବ। ପରେ ଅଧର ନୀତି ଆରମ୍ଭ ହେବ। ରାତି ୮ଟା ସୁଦ୍ଧା ତିନି ରଥରେ ଅଧରପଣା ନୀତି ଶେଷ ପରେ ୯ଟା ସୁଦ୍ଧା ମହାସ୍ନାନ ଶେଷ ହେବ। ପରେ ରାତି ୧୦ଟାରେ ମଇଲମ, ବେଶ, ସାଢ଼େ ୧୦ଟାରେ ସଂଧ୍ୟା ଆଳତି, ରାତି ୧୧ଟାରୁ ୧୨ଟା ଭିତରେ ସଂଧ୍ୟା ଧୂପ, ସାଢ଼େ ୧୨ଟାରେ ମଇଲମ, ଚନ୍ଦନ ଲାଗି, ରାତି ଗୋଟାଏରେ ବଡସିଂହାର ବେଶ, ରାତି ସାଢ଼େ ଗୋଟାଏରେ ବଡସିଂହାର ଭୋଗ ଓ ରାତି ୨ଟାରେ ପହୁଡ଼ ନୀତି ଅନୁଷ୍ଠିତ ହେବ।

Spread the love