ଜଳୁଛି ଫ୍ରାନ୍ସ ! ୩ୟ ଦିନ ପାଇଁ ହିଂସା ଜାରି

ପ୍ୟାରିସ୍ : ପୁଲିସ ଗୁଳିରେ ଜଣେ ତରୁଣ ଶରଣାର୍ଥୀର ମୃତ୍ୟୁ ପରେ ଫ୍ରାନ୍ସରେ ଚାଲିଥିବା ହିଂସା କ୍ରମାଗତ ୩ୟ ଦିନ ପାଇଁ ବି ଜାରି ରହିଛି । ଏହି ଦଙ୍ଗା କ୍ରମଶଃ ଫ୍ରାନ୍ସର ଅନ୍ୟ ସହରକୁ ବ୍ୟାପିଚାଲିଛି । ଏହି ହିଂସା ଯୋଗୁଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକାରନ ୟୁରୋପୀୟ ସଂଘ ବୈଠକ ଅଧାରୁ ଛାଡ଼ି ସ୍ବଦେଶ ଫେରିଛନ୍ତି । ଦଙ୍ଗାକାରୀଙ୍କୁ ଦମନ କରିବାକୁ ଅଧିକ ପୁଲିସ କର୍ମୀ ମୁତୟନ ପାଇଁ ସେ ଘୋଷଣା କରିଛନ୍ତି । ଏହା ସହିତ ପିଲାମାନଙ୍କୁ ଦଙ୍ଗାରେ ସାମିଲ ନ କରିବାକୁ ସେ ନିବେଦନ କରିଛନ୍ତି ।

ଦଙ୍ଗାକାରୀମାନେ ପ୍ୟାରିସର ବିଭିନ୍ନ ସପିଂ ମଲ୍, ଲାଇବ୍ରେରୀ, ପ୍ରେକ୍ଷାଳୟ, ବସଷ୍ଟପ ଆଦିରେ ନିଆଁ ଲଗାଇଦେଇଛନ୍ତି । ଏପରିକି ସେମାନେ ପୁଲିସ କର୍ମୀଙ୍କୁ ବି ଆକ୍ରମଣ କରୁଛନ୍ତି ।

ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏକ ବିବୃତି ଜାରି କରିଛନ୍ତି । ନାବାଳକର ମୃତ୍ୟୁ ପରେ ଉପୁଜିଥିବା ପରିସ୍ଥିତିକୁ ସେ ନିନ୍ଦା କରିଛନ୍ତି। ଦଙ୍ଗା ରୋକିବା ପାଇଁ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯିବ ବୋଲି ସେ କହିଛନ୍ତି। ନିଜ ପିଲାଙ୍କୁ ଦଙ୍ଗାରେ ସାମିଲ ନ କରିବାକୁ ମାକ୍ରୋନ୍ ଅଭିଭାବକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏଥିସହିତ ସୋସିଆଲ ମିଡିଆରୁ ସମ୍ବେଦନଶୀଳ ଦଙ୍ଗା ବିଷୟବସ୍ତୁ କୁ ହଟାଇବାକୁ ମାକ୍ରୋନ୍ ନିର୍ଦ୍ଦେଶ ଦେଇଛନ୍ତି। ଦଙ୍ଗା ରୋକିବାକୁ ସାମରିକ ଯାନ ମୁତୟନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Spread the love