ଗାଡ଼ି ଓ ପଥଚାରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌: ୪୮ମୃତ

ନାଇରୋବି: ଶୁକ୍ରବାର ସନ୍ଧ୍ୟାବେଳେ ପଶ୍ଚିମ କେନିଆ ଅନ୍ତର୍ଗତ ଲୋଣ୍ଡିଆନିରେ ଗୋଟାଏ ଟ୍ରକ୍‌ ହଠାତ୍‌ ଚାଳକଙ୍କ ନିୟନ୍ତ୍ରଣରୁ ବାହାରିଯାଇ କେତେକ ଯାନବାହନ ଓ ପଥଚାରୀଙ୍କ ଉପରେ ମାଡ଼ିଯିବାରୁ ଅନ୍ୟୂନ ୪୮ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ ଓ ପ୍ରତ୍ୟକ୍ଷଦର୍ଶୀମାନେ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି। ସ୍ଥାନୀୟ ପୁଲିସ କମାଣ୍ଡର୍‌ ଜେଫ୍‌ରି ମୟେକ୍‌ କହିଛନ୍ତି, ଏଯାବତ୍‌ ୪୮ଜଣଙ୍କର ମୃତ୍ୟୁ ଘଟିଥିବା କଥା ଆମେ ସୁନିଶ୍ଚିତ କରି କହୁଛୁ। ଟ୍ରକ୍‌ ତଳେ ଆଉ ଜଣେ ଦୁଇଜଣ ଚାପି ହୋଇ ରହିଥିବା ସନ୍ଦେହ ହେଉଛି। ଆଉ କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି। କେରିକୋ ଏବଂ ନାକୁରୁ ନଗରୀକୁ ସଂଯୋଗ କରୁଥିବା ରାଜପଥରେ ‘ସିପିଙ୍ଗ୍‌ କଣ୍ଟେନର୍‌’ ନେଇ ଯାଉଥିବା ଉକ୍ତ ଟ୍ରକ୍‌ ଏକ ଜନଗହଳି ଭରା ଜଙ୍କ୍‌ସନ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ସେ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାରୁ ଉଦ୍ଧାର ଅଭିଯାନରେ ବାଧା ଆସିଛି। ଟମ୍‌ ଓଡେରା ନାମରେ ଆଉ ଜଣେ ସ୍ଥାନୀୟ ପୁଲିସ କମାଣ୍ଡର୍‌ କହିଛନ୍ତି, ଆମର ସନ୍ଦେହ ହେଉଛି ଯେ, କେରିକୋ ଆଡ଼କୁ ଚଳାଇ ନିଆଯାଉଥିବା ଉକ୍ତ ଟ୍ରକ୍‌ ନିୟନ୍ତ୍ରଣ ହରାଇ ‘ବସ୍‌ଷ୍ଟପ୍‌’ରେ ଥିବା କେତେଗୁଡ଼ିଏ ‘ମାଟାମସ୍‌’ (ସ୍ଥାନୀୟ ମିନିବସ୍‌) ଉପରେ ଚଢ଼ିଯାଇଛି। ଫଳରେ ‘ମାଟାମସ୍‌’ ଥିବା ଯାତ୍ରୀ ଓ ‘ବସ୍‌ଷ୍ଟପ୍‌’ରେ ଠିଆ ହୋଇଥିବା ପଥଚାରୀମାନେ ମୃତାହତ ହୋଇଛନ୍ତି।

ଏହି ଦୁର୍ଘଟଣାର ଅନ୍ୟତମ ପ୍ରତ୍ୟକ୍ଷଦର୍ଶୀ ପିଟର୍‌ ଓଟିଏନୋ ନାମରେ ଜଣେ ଡ୍ରାଇଭର୍‌ କହିଛନ୍ତି, ଦ୍ରୁତ ଗତିରେ ଆସୁଥିବା ଟ୍ରେଲର୍‌-ଟ୍ରକ୍‌ଟାଏ ଦେଖି  ରାସ୍ତାକଡ଼କୁ ଗାଡ଼ି କାଟି ନେବାରୁ ତା’ ସହିତ ମୁହାଁମୁହିଁ ଧକ୍କା ହେବାରୁ ବର୍ତ୍ତିଗଲି। କିନ୍ତୁ, ମୋ ପଛରେ ଗାଡ଼ି ନେଇ ଆସୁଥିବା ଜଣେ ଡ୍ରାଇଭର୍‌ଙ୍କର ମନେହେଲା କି, ସମ୍ଭବତଃ କିଛି କିଣାକିଣି କରିବାକୁ ମୁଁ ରାସ୍ତାକଡ଼କୁ ଗାଡ଼ି କାଟିନେଲି। ଫଳରେ ତାଙ୍କ ଗାଡ଼ି ସହିତ ଉକ୍ତ ଟ୍ରଲର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ଖାଇ ରାସ୍ତାରୁ ହଟିଗଲା ଓ ଅନ୍ୟ ଯାନବାହନ ଉପରେ ଚଢ଼ିଗଲା।

Spread the love