ଘଣ୍ଟାକ ମଧ୍ୟରେ ବିରୋଧୀ ଦଳ ନେତାରୁ ଉପମୁଖ୍ୟମନ୍ତ୍ରୀ ହୋଇଗଲେ ଅଜିତ

ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଝଟକା ଦେଇ ଆଜି ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି ଅଜିତ ପାୱାର | ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଘଣ୍ଟାକ ଭିତରେ ଆଜି ଏକନାଥ ସିନ୍ଦେଙ୍କ ସରକାରରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି | ତେବେ ଅଜିତ ପାୱାର ଏକନାଥଙ୍କ ସରକାରରେ ଯୋଗଦେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଡବଲ ଇଞ୍ଜିନ ସରକାର ଚାଲୁଥିଲା, କିନ୍ତୁ ବର୍ତ୍ତମାନ ଅଜିତ ପାୱାର ଆସିବା ପରେ ଟ୍ରିପଲ ଇଞ୍ଜିନର ସରକାର ଗଠନ ହୋଇଛି |

ବାସ୍ତବରେ ଆଜି ସକାଳେ ଅଜିତ ପାୱାର ମୁମ୍ବାଇରେ ଥିବା ତାଙ୍କ ସରକାରୀ ବାସଭବନରେ ଦଳର କିଛି ନେତା ତଥା ବିଧାୟକଙ୍କୁ ନେଇ ବୈଠକ କରିଥିଲେ | ତେବେ କେଉଁ ପ୍ରସଙ୍ଗକୁ ନେଇ ବୈଠକ ହୋଇଛି ସେନେଇ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପାଖରେ କୌଣସି ସୂଚନା ନଥିଲା | ଶରଦ ପାୱାର ପୁଣେରେ ଥିବାବେଳେ ବୈଠକକୁ ନେଇ ସେ କହିଥିଲେ ଯେ ସେ ଏହି ବୈଠକ ବାବଦରେ ତାଙ୍କ ପାଖରେ ସୂଚନା ନାହିଁ | କିନ୍ତୁ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ଅଜିତ ପାୱାର ବୈଠକ କରିପାରିବେ ।

ଏହି ବୈଠକରେ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେଙ୍କ ସହ ପ୍ରଫୁଲ୍ଲ ପଟେଲ ମଧ୍ୟ ଉପସ୍ଥିତ ଥିଲେ | ତେବେ ବୈଠକରେ ଏନସିପି ରାଜ୍ୟ ସଭାପତି ଜୟନ୍ତ ପାଟିଲ ଉପସ୍ଥିତ ନଥିଲେ। ଏହି ବୈଠକ ପରେ ଅଜିତ ପାୱାର ୧୭ ଜଣ ବିଧାୟକଙ୍କ ସହ ସିଧାସଳଖ ରାଜଭବନକୁ ଯାଇଥିଲେ | ସେଠାରେ ବିଧାୟକମାନଙ୍କ ସମ୍ମତି ପତ୍ର ଦେବା ପରେ ତୁରନ୍ତ ଶପଥଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଆଉ ଅଜିତ ଘଣ୍ଟାକ ମଧ୍ୟରେ ବିରୋଧୀ ଦଳ ନେତାରୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ |

Spread the love