ରାମାୟଣରେ ପ୍ରଥମେ ଲକ୍ଷ୍ମଣଙ୍କ ଚରିତ୍ର ମିଳିଥିଲା, ହେଲେ କରିବାକୁ ମନା କରିଦେଇଥିଲେ ଅରୁଣ

ମୁମ୍ବାଇ: ରିଲିଜ୍ ପରଠାରୁ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷକୁ ନେଇ ବିବାଦ ଲାଗିରହିଛି। ନିର୍ମାତାମାନେ ଫିଲ୍ମର ସଂଳାପ ଓ ଅଭିନୟ କରିଥିବା କଳାକାରଙ୍କ ପୋଷାକ ଏବଂ ଲୁକ୍ ପାଇଁ ବିବାଦରେ ଛନ୍ଦି ହୋଇଛନ୍ତି। ଆଦିପୁରୁଷ ପାଇଁ ରାମାନନ୍ଦ ସାଗରଙ୍କ ରାମାୟଣ ଏବେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ଏକ ଖବର ଆସିଥିଲା ​​ଯେ ପୁଣି ଥରେ ଟିଭିରେ ରାମାୟଣ ପ୍ରସାରିତ ହେବ। ରାମାନନ୍ଦ ସାଗରଙ୍କ ରାମାୟଣ ଲୋକମାନଙ୍କ ମନରେ ଏବେ ବି ସତେଜ ରହିଛି। ତେବେ ଆପଣ ଜାଣିଛନ୍ତି କି ରାମାୟଣରେ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ନଜର ଆସି ଲୋକମାନଙ୍କ ପାଇଁ ଭଗବାନ ପାଲଟିଥିବା ଅରୁଣ ଗୋବିଲ ଏହି ଚରିତ୍ର ପାଇଁ ପ୍ରଥମ ପସନ୍ଦ ନଥିଲେ।
ଆଜ୍ଞା ହଁ, ଅରୁଣ ଗୋବିଲଙ୍କୁ ପ୍ରଥମେ ଲକ୍ଷ୍ମଣ ବା ଭରତଙ୍କ ଚରିତ୍ର କରିବାକୁ କୁହାଯାଇଥିଲା। ଅରୁଣ ଗୋବିଲଙ୍କ ମୁତାବକ, ରାମାନନ୍ଦ ସାଗରଜୀ ମୋର ସାକ୍ଷାତକାର ନେବା ପରେ ମୋତେ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ନେବାକୁ ମନା କରିଦେଇଥିଲେ। ତାଙ୍କ ପୁଅ ପ୍ରେମ ସାଗର, ଆନନ୍ଦ ସାଗର ଏବଂ ମୋତି ସାଗର ମୋତେ କହିଥିଲେ ଯେ ମୁଁ ଭରତ କିମ୍ବା ଲକ୍ଷ୍ମଣଙ୍କ ଚରିତ୍ର କରିବା ଉଚିତ୍। ଏହା ଶୁଣି ମୁଁ ସେମାନଙ୍କୁ କହିଥିଲି ମୁଁ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିବାକୁ ଚାହୁଁଛି। ଏହା ଛଡ଼ା ଅନ୍ୟ କୌଣସି ଚରିତ୍ର ମୁଁ କରିପାରିବି ନାହିଁ। ହେଲେ କିଛି ଦିନ ବିତିବା ପରେ ମୋତେ ରାମାନନ୍ଦ ସାଗରଜୀ ପୁଣି ଥରେ ଡାକି ପ୍ରଭୁ ଶ୍ରୀରାମଙ୍କ ଚରିତ୍ର ଦେଇଥିଲେ।

Spread the love