ଏବେ କଞ୍ଚା ପରିବା ରେଟ୍ ଅମୂଲମୂଲ ! ଯାହାକୁ ଧରିବ କିଲୋ ୧୦୦ ନହେଲେ ୩୦୦

ଘାଇଲା କରୁଛି ମହଙ୍ଗା ମାଡ଼। ଗ୍ରାହକଙ୍କ ଉପରେ ବାଜିଛି ମହଙ୍ଗା ଛାଟ। ପରିବା ରେଟ୍‌ ହୁ ହୁ ହୋଇ ବଢିଚାଲିଥିବାବେଳେ ବଢିଛି କମର୍ସିଆଲ୍‌ ସିଲିଣ୍ଡର ଦାମ୍‌। ଭୁବନେଶ୍ୱର ମାର୍କେଟରେ ପରିବା ରେଟ୍‌ ଆକାଶ ଛୁଆଁ। ପକେଟରେ ହଜାର ଟଙ୍କା ଥିଲେ ବି ପୁରୁନି ବ୍ୟାଗ୍‌। ସବୁର ଦାମ୍‌ ୧୦୦ ଉପରେ। ପ୍ରଥମେ ଟମାଟୋ ସେଞ୍ଚୁରୀ ମାରିଥିଲା ଏବେ ସବୁ ରେଟ୍‌ ୧୦୦ ଉପରେ। ସ୍ଥିତି ଏପରି ହେଲାଣି ଯେ ପରିବା କିଣିବାକୁ ଡର ଲାଗୁଛି। ପୂର୍ବରୁ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିଲା ଏବେ ୮୦ରୁ ୧୦୦ରେ ବିକୁଛନ୍ତି ବେପାରୀ। ବାଇଗଣ ୮୦, ପୋଟଳ ୮୦, ବିନ୍ସ କିଲୋ ପିଛା ୨୦୦, ସଜନା ଛୁଇଁ ୧୨୦, ଝୁଡ଼ଙ୍ଗ ୧୦୦ ଓ କଲରା ଦାମ୍‌ ରହିଛି ୧୦୦ଟଙ୍କା। ଅଦା କିଲୋ ୩୦୦ ଟଙ୍କା ଓ କଞ୍ଚାଲଙ୍କା ୪୦୦ ଟଙ୍କାରେ ବିକ୍ରି ହେଉଛି।
ମୌସୁମୀ ଓ ଲଘୁଚାପ ବର୍ଷା ପ୍ରଭାବରେ ଗଛରେ ବାଇଗଣ, ପୋଟଳ, ଭେଣ୍ଡି ଆଦି ପରିବା ନଷ୍ଟ ହୋଇଛି । ଗଛରୁ ଫୁଲ, ଫଳ ମଧ୍ୟ ଝଡ଼ି ପଡ଼ିଛି । ଅନ୍ୟପଟେ ବର୍ଷା ଯୋଗୁଁ ପରିବା ଅମଳ ହୋଇନଥିବାରୁ ବଜାରକୁ ପର୍ଯ୍ୟାପ୍ତ ପରିମାଣର ପରିବା ଆସିପାରିନାହିଁ । ଯାହା ଫଳରେ ପରିବା ବୃଦ୍ଧି ପାଉଥିବା କୁହାଯାଉଛି ।

ଆମ ରାଜ୍ୟ ଟମାଟୋ ଲାଗି ବାଙ୍ଗାଲୋର ଓ ନାସିକ ଉପରେ ନିର୍ଭର କରିଥାଏ । ବର୍ଷା ଓ ବନ୍ୟା ଯୋଗୁ ଫସଲ ନଷ୍ଟ ଏବଂ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଏହିପରି ଦରଦାମ୍ ଅହେତୁକ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଖୁଚୁରା ବ୍ୟବସାୟୀ ମନମାନି କରି ଗ୍ରାହକଙ୍କ ଠାରୁ ନିଜ ଇଚ୍ଛାମୁତାବକ ଦରଦାମ୍ କଷି ନେଉଛନ୍ତି ।

Spread the love