ହାତ ଛାଡିଲେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ

ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ । ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି।  ବିଧାୟକ ପଦରୁ ବି ଇସ୍ତଫା ଦେଉଥିବା କଥା ଏଥିରେ ଉଲ୍ଲେଖ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତକାଲି ତାଙ୍କୁ ଏଆଇସିସିର ନିଷ୍ପତ୍ତିକ୍ରମେ ପିସିସି ଶୃଙ୍ଖଳା କମିଟି ତାଙ୍କୁ ନିଲମ୍ବନ କରିଥିଲା। ଗତକାଲି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ଏ ସଂପର୍କରେ ସୂଚନା ଦେଇ କହିଥିଲେ,“ସେ (ଯୋଗେଶ ସିଂହ) ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଉଥିଲେ। ଗତକାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଥିଲା। ଉତ୍ତର ରଖିବାକୁ ତାଙ୍କୁ24ଘଣ୍ଟା ସମୟ ଦିଆଯାଇଥିଲା। ହେଲେ ସମୟ ମଧ୍ୟରେ ସେ ତାଙ୍କ ଉତ୍ତର ନ ରଖିବାରୁ ତାଙ୍କୁ ନିଲମ୍ବନ କରାଯାଇଛି।”

ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବେ ଯୋଗେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, “ମୋ ନିର୍ବାଚନ ମଣ୍ଡଳୀ ପାଇଁ ମୁଁ ଯେତେବେଳେ ଯାହା ଦାବି କରିଛି, ସରକାରଙ୍କ ପକ୍ଷରୁ ଅନେକାଂଶରେ ତାହା ପୂରଣ କରାଯାଇଛି। ବ୍ୟକ୍ତି ହିସାବରେ ନବୀନ ପଟ୍ଟନାୟକ ବହୁତ ବଢ଼ିଆ। ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ। ସେ ଜଣେ ଦକ୍ଷ ଶାସକ। ସେଥିପାଇଁ 18 ବର୍ଷ ହେଲା ଶାସନ କରୁଛନ୍ତି। ଲୋକେ ତାଙ୍କୁ ପସନ୍ଦ କରୁଛନ୍ତି ବୋଲି ସେ ଏତେ ବର୍ଷ ହେଲାଣି ଶାସନ କରୁଛନ୍ତି।” ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା କେମିତି ଦଳ ବିରୋଧୀ କାର୍ଯ୍ୟ ହେଲା ବୋଲି ସେ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି।

Spread the love