ଓଡ଼ିଶାର ଖଣି ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି

ଗାଁ ଓଡ଼ିଶାର କିନ୍ତୁ ଯୋଜନା ଯୋଗାଉଛି ଆନ୍ଦ୍ର । କେତେବେଳେ ଜମି ପଟ୍ଟା ବାଟୁଂଛି ତ ଆଉ କେତେବେଳେ ଆବାସ ଯୋଜନାରେ ଘର ଯୋଗାଉଛି । ଓଡ଼ିଶା ସୀମାରେ ରହିଥିଲେ ସୁଧା ସବୁ ସୁବିଧା ଯୋଗାଉଛି ଆନ୍ଧ୍ର । ଆଉ ସୀମାନ୍ତ ବାସୀ ମଧ୍ୟ ଓଡ଼ିଶା ଉପରେ ଭରସା ଛାଡ଼ି ଆନ୍ଧ୍ର ଭରସାରେ ରହିଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଳା ନନ୍ଦପୁର ବ୍ଳକ ର ଗୋଲରୁ ପଚାଂୟତରେ ।

ଗୋଲରୁ ପଚାଂୟତର ରାଇପାହଡ଼ ଗାଁ । ୧୭ଟି ପରିବାର ରହୁଥିବା ଏହି ଗାଁକୁ ନିଜ ଅଧିନକୁ ନେବା ପାଇଁ ନକ୍ସା କରି ସାରିଛି ଆନ୍ଧ୍ର । ଆଉ ଏହି ଷଡ଼ଯନ୍ତ୍ର ପଛରେ ଲୁଚି ରହିଛି ମାଟି ତଳେ ଥିବା ଖଣିଜ ସମ୍ପଦ । ୨ଟି ପାହାଡ଼ ଡ଼େଇଁ ଗାଁକୁ ଆସିବାକୁ ପଡ଼ୁଛି । ବାଟଘାଟର ଘୋର ଅଭାବ ଭିତରେ ବି ସମସ୍ତ ସୁବିଧା ଯୋଗାଇ ଦେଇ ଓଡ଼ିଶା ଜାଗାକୁ ମାଡ଼ି ବସିବାକୁ ଉଦ୍ୟମ କରୁଛି ପଡୋଶୀ । ବଡ଼ କଥା ହେଉଛି ଏଠିକାର ସ୍ଥାନୀୟ ବାସିନ୍ଦା, ଓଡ଼ିଶା କଥା ଯେତେ ଜାଣି ନାହାଁନ୍ତି, ତାଠୁ ଢ଼େର ଅଧିକ ଆନ୍ଧ୍ର ବିଷୟରେ ଜାଣିଛନ୍ତି ।

ଲୋକଙ୍କୁ ପ୍ରଭାବିତ କରିବା ପାଇଁ ତତ୍ପର ହୋଇଛନ୍ତି ଆନ୍ଧ୍ର ଅଧିକାରୀ । ୨୦୧୮ରେ ଆନ୍ଧ୍ରପ୍ରଦେଶ ସ୍ପେସ୍ ଆପ୍ଲିକେସନ୍ ସେଂଟର ପକ୍ଷରୁ ରାଇପାହାଡ ଓ ଆଖପାଖ ଅଂଚଳରେ ସର୍ଭେ କରାଯାଇଥିଲା । ସେତେବେଳେ ସର୍ଭେ ରିପୋର୍ଟକୁ ସାର୍ବଜନୀନ କରାଯାଇନଥିଲା । ଗ୍ରାମବାସୀଙ୍କୁ ମଧ୍ୟ ସର୍ଭେ ପଛର ସତ ଜଣାନଥିଲା । ହେଲେ ଗତ ଜୁନ୍ ୨୬ ତାରିଖରେ ଏହି ରିପୋର୍ଟ ସାର୍ବଜନୀନ ହେବା ପରେ ପଦାରେ ପଡ଼ିଯାଇଛି ଆନ୍ଧ୍ରର ଚାଲ । ରାଇପାହାଡ ଗାଁ ସଂଲଗ୍ନ ପାହାଡ ଗୁଡିକରେ ପ୍ରଚୁର ପରିମାଣର ବକ୍ସାଇଟ୍, ଲାଇମ୍ଷ୍ଟୋନ୍, ଜେମସ୍ଷ୍ଟୋନ୍, ଲୁହାପଥର ରହିଛି, ଯାହା ଉପରେ ଆନ୍ଧ୍ରର ଆଖି ପଡିଛି ।

ଏପଟେ ସୀମା ବିବାଦର ସମାଧାନ ପାଇଁ ଓଡ଼ିଶାର ତତ୍ୱରତା ଦେଖିବାକୁ ମିଳୁନଥିବା ବେଳେ ଓଡ଼ିଶା ସୀମାକୁ ମାଡ଼ି ବସିବା ପାଇଁ ଦୁଇ ପାଦ ଆଗରେ ରହି ଉଦ୍ୟମ କରୁଛି ଆନ୍ଧ୍ର । ପୁର୍ବରୁ ପଟାଙ୍ଗି ବ୍ଳକର ସମବାୟୀ ପଚାଂୟତରେ ଜଙ୍ଗଲ ଜମି ପଟ୍ଟା ବାଂଟିଥିଲେ ଆନ୍ଧ୍ର ଅଧିକାରୀ । ଏହାକୁ ନେଇ ଦୁଇ ରାଜ୍ୟର ସୀମାନ୍ତବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା । ସୀମା ବିବାଦକୁ ନେଇ ଉଭୟ ଅଧିକାରୀଙ୍କ ବୈଠକ ବସିଥିଲେ ବି ଅଧାରେ ଅଟକି ଯାଇଥିଲା ।

Spread the love