ଆଖିଧରା ରୋଗ: ମାତିଛନ୍ତି ଅସାଧୁ ବ୍ୟବସାୟୀ

କଟକ: ଆଖିଧରା ରୋଗ ଏବେ ଉଦ୍‌ବେଗର କାରଣ ହୋଇଛି। କିନ୍ତୁ ଏଭଳି ସ୍ଥିତିରେ ବଜାରରୁ ନାମୀଦାମି ବ୍ରାଣ୍ଡ୍‌ର ଆଖି ଡ୍ରପ୍‌ ଉଭାନ ହୋଇଯାଇଛି। ଲୋକଙ୍କ ନିହାତି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବେ ବ୍ୟବସାୟୀ ଚାହିଦା ରହୁ ନଥିବା ଅନ୍ୟବ୍ରାଣ୍ଡ୍‌ର ଆଖି ଡ୍ରପ୍‌କୁ ଲୋକଙ୍କୁ ଦେଉଥିବା ଅଭିଯୋଗ ହେଉଛି। ଆଖି ଧରିବା ମାତ୍ରେ ଲୋକେ ବି ସିଧାସଳଖ ଔଷଧ ଦୋକାନରେ ପହଞ୍ଚି ମକ୍ସିଫ୍ଲୋକ୍ସାସିନ୍‌, ଗାଟିଫ୍ଲୋକ୍ସାସିନ୍‌, ଓଫ୍ଲୋକ୍ସାସିନ୍‌, ସାଇକୋଫ୍ଲୋକ୍ସାସିନ୍‌, ଡେଣ୍ଟାମାଇସିନ୍‌ ଭଳି ଆଖି ଡ୍ରପ୍‌ କିଣି ଆଣୁଛନ୍ତି। ଏଥିପାଇଁ କେହି ଡାକ୍ତରୀ ପରାମର୍ଶ ବି ନେଉ ନାହାନ୍ତି। ତେବେ ଆଖିଧରା ଏକ ଭାଇରାଲ ରୋଗ। ତେଣୁ ଏଥିପାଇଁ ଆକ୍ଟିବୋୟୋଟିକ୍‌ ବା ଷ୍ଟିରଏଡ୍‌ର ଆବଶ୍ୟକତା ନାହିଁ। ଯଦି ୪/୫ଦିନରୁ ଅଧିକ ସମୟ ଆଖିଧରା ‌ରହିଲା ତାହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାନ୍ତୁ। ଆଖିଧରା ପାଇଁ କୌଣସି ଡ୍ରପ୍‌ର ବି ଆବଶ୍ୟକତା ନାହିଁ। ଯଦି ବି କେହି ପକାଉଛନ୍ତି, ମନଇଚ୍ଛା ପକାନ୍ତୁନି ବରଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି କହିଛନ୍ତି ଚକ୍ଷୁ ବିଶେଷଜ୍ଞ ଡାକ୍ତର ଶୁଭବ୍ରତା ପରିଡା। କିନ୍ତୁ ଡାକ୍ତରୀ ପରାମର୍ଶ ନ ନେଇ କେବଳ ଶୁଣାଶୁଣିରେ କଟକରେ ପ୍ରତିଦିନ ଏବେ ପାଖାପାଖି ୧୦ ହଜାରରୁ ଅଧିକ ଆଇ ଡ୍ରପ୍‌ ବିକ୍ରି ହେଉଥିବା ଆକଳନ କରାଯାଉଛି।
ଆଖିଧରା ବ୍ୟାପିଥିବା ବେଳେ ବିଶେଷଭାବରେ ବିଦ୍ୟାଳୟର ପିଲାମାନେ ହିଁ ଏଥିରେ ପ୍ରଭାବିତ ହେଉଛନ୍ତି। ଆଖିଧରାକୁ କନ୍‌ଜକ୍ଟିଭାଇଟିସ୍‌ ବା ପିଙ୍କ୍‌ ଆଇ ବୋଲି କୁହାଯାଏ। କେବଳ କଟକ ନୁହେଁ ସାରା ରାଜ୍ୟରେ ବିଶେଷକରି ଗ୍ରାମାଞ୍ଚଳରେ ବିଭିନ୍ନ ବ୍ରାଣ୍ଡର ଆଇ ଡ୍ରପ୍‌ର କୃତ୍ରିମ୍‌ ଅଭାବ ଦେଖାଦେଇଛି। ଲୋକ ଯେଉଁ ବ୍ରାଣ୍ଡର ଡ୍ରପ୍‌ ମାଗୁଛନ୍ତି ତାଙ୍କୁ ସେହି ନିର୍ଦ୍ଦିଷ୍ଟ ଦାମୀ ବ୍ରାଣ୍ଡ୍‌ ବଦଳରେ ସମାନ ମଲିକୁଲ ଥିବା ଅନ୍ୟ ବ୍ରାଣ୍ଡର ଡ୍ରପ୍‌ ଦିଆଯାଉଛି। ଲୋକ ବି ଦୋକାନୀ ଯାହା ଦେଲା ତାକୁ ନେଇ ଆଖିରେ ପକାଉଛନ୍ତି। ଔଷଧ ବ୍ୟବସାୟୀ ନିଳାଦ୍ରୀ ପରିଡାଙ୍କ କହିବା ଅନୁଯାୟୀ ପ୍ରତିଦିନ ତାଙ୍କ ପାଖରୁ ଶହେରୁ ଅଧିକ ଆଇ ଡ୍ରପ୍‌ ବିକ୍ରି ହେଉଛି। କିନ୍ତୁ ଡିଷ୍ଟ୍ରିବ୍ୟୁଟର ଡ୍ରପ୍‌ ଯୋଗାଇ ପାରୁ ନାହାନ୍ତି। ଯାହା ଫଳରେ ଲୋକ ମାଗୁଥିବା ଡ୍ରପ୍‌ ସେମାନେ ଦେଇ ପାରୁ ନାହାନ୍ତି। ଏପରିକି ଡାକ୍ତର ଚିଠାରେ ଯେଉଁ ଡ୍ରପ୍‌ ଲେଖୁଛନ୍ତି ଅର୍ଥାତ୍‌ ସିପ୍‌ଲକ୍ସ, ମହାଫ୍ଲକ୍ସ, ଓକୁପଲ ଭଳି ଅନେକ ଡ୍ରପ୍‌ ଓ ଏସିକ୍ଲୋଭିର ମଲମ୍‌ ଏବେ ଠିକରେ ମିଳୁନି। ଅନ୍ୟପଟେ ଆଇ ଡ୍ରପ୍‌ର ଅଭାବ ସଂପର୍କରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଂଟ୍ରୋଲର ଧର୍ମଦେବ ପୁହାଣଙ୍କୁ ଯୋଗାଯୋଗ କରାଯିବାରୁ ସବୁ ଔଷଧ, ଡ୍ରପ୍‌ ମହଜୁଦ୍‌ ଅଛି। ଅଭାବ କିଛି ନାହିଁ । ଯଦି ସେଭଳି କିଛି ନିର୍ଦ୍ଧିଷ୍ଟ ଅଭିଯୋଗ ରହିଛି ତାହେଲେ ତାର ତଦନ୍ତ କରାଯିବ ବୋଲି କହିଛନ୍ତି।

Spread the love