ଚାଲିବ ଆଉ ୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର: ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନ୍‌ରେ ଅତିରିକ୍ତ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା ହୋଇଛି। ଏଥିସହ ପୂର୍ବରୁ ଚଳାଚଳ କରୁଥିବା କେତେକ ସ୍ୱତନ୍ତ୍ର ଟ୍ରେନ ସେବାକୁ ବୃଦ୍ଧି କରାଯିବା ସହ ନୂଆ ଷ୍ଟେସନଗୁଡ଼ିକରେ କିଛି ଟ୍ରେନ୍‌ର ରହଣି ବ୍ୟବସ୍ଥା ହୋଇଛି। ପୁରୀ-ଉଧନା(ସୁରଟ) ଜନସାଧାରଣ ସାପ୍ତାହିକ ଅଣ-ସଂରକ୍ଷିତ ବିଶେଷ ଟ୍ରେନ(୦୮୪୬୫) ଅଗଷ୍ଟ ୨ ପର୍ଯ୍ୟନ୍ତ ପ୍ରତି ବୁଧବାର ପୁରୀରୁ ଅପରାହ୍ନ ୨ଟା ୫୫ରେ ଓ ଫେରିବା ବାଟରେ ଉଧନା-ପୁରୀ ଜନସାଧାରଣ ସାପ୍ତାହିକ ଅଣ-ସଂରକ୍ଷିତ ବିଶେଷ ଟ୍ରେନ୍‌(୦୮୪୬୬) ଅଗଷ୍ଟ ୩ ପର୍ଯ୍ୟନ୍ତ ପ୍ରତି ଗୁରୁବାର ରାତି ୧୧ଟାରେ ଉଧନାରୁ ଛାଡ଼ିବ। ଏହି ଟ୍ରେନ୍‌ ଖୋର୍ଦ୍ଧାରୋଡ, ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡ଼ା ରୋଡ, ଇବ୍‌, ବିଳାସପୁର, ରାଇପୁର, ନାଗପୁର, ୱାର୍ଧା ଓ ଭୁସାବଲ୍ ପ୍ରଭୃତି ଷ୍ଟେସନରେ ରହଣି କରିବ। ଟ୍ରେନରେ ୧୭ଟି ଅଣ-ସଂରକ୍ଷିତ ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଓ ଦୁଇଟି ଗାର୍ଡ, ଲଗେଜ ତଥା ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ କୋଚ୍‌ ଉପଲବ୍ଧ ରହିଛି।

ବିଶାଖାପାଟଣା-ରଙ୍ଗପଡ଼ା ଉତ୍ତର(ଆସାମ) ଜନସାଧାରଣ ସାପ୍ତାହିକ ଅଣ-ସଂରକ୍ଷିତ ବିଶେଷ ଟ୍ରେନ(୦୮୫୬୨) ଅଗଷ୍ଟ ୩୦ରୁ ବିଶାଖାପାଟଣାରୁ ପ୍ରତି ରବିବାର(ଶନିବାର ରାତି ୧୨ଟା ୧୦)ରେ ଛାଡ଼ି ସୋମବାର ପୂର୍ବାହ୍ନ ୧୦ଟାରେ ରଙ୍ଗପଡ଼ା ଉତ୍ତରରେ ପହଞ୍ଚିବ। ଫେରିବା ମାର୍ଗରେ ରଙ୍ଗପଡ଼ା ଉତ୍ତର-ବିଶାଖାପାଟନମ୍ ସ୍ପେସାଲ୍(୦୮୫୬୧) ଅଗଷ୍ଟ ୩୧ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଭୋର ୫ଟା ୧୫ରେ ଛାଡ଼ି ବୁଧବାର ଅପରାହ୍ନ ୩ଟା ୩୫ରେ ବିଶାଖାପାଟଣାରେ ପହଞ୍ଚିବ। ଏହି ଟ୍ରେନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ରହଣି କରିବ। ଏଥିରେ ୭ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଓ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ରହିଛି।

ବିଭିନ୍ନ ଷ୍ଟେସନରେ କେ‌ତେକ ଟ୍ରେନର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ହୋଇଛି। ଜୁଲାଇ ୧୫ରୁ ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ସେବା ଏକ୍ସପ୍ରେସ ଟ୍ରେନ୍‌(୧୮୪୨୩/୧୮୪୨୪) ଲିଙ୍ଗରାଜ ଟେମ୍ପଲ୍‌ ରୋଡ୍‌ ଷ୍ଟେସନରେ ରହଣି କରିବ। ଏହାବ୍ୟତୀତ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍‌(୧୭୦୧୫) ସତ୍ତେନାପଲ୍ଲୀ, ପିଡୁଗୁରୁଲା, ନାଡିକୁଡେ ଷ୍ଟେସନ, ମିରିୟାଲାଗୁଡ଼ା ଏବଂ ନାଲଗୋଣ୍ଡା ଷ୍ଟେସନରେ, ପୁରୀ-ତିରୁପତି ଏକ୍ସପ୍ରେସ୍‌(୧୭୪୭୯) ଗଞ୍ଜାମ ଷ୍ଟେସନରେ ଏବଂ ବିଶାଖାପାଟଣା-ମେହବୁବନଗର ଏକ୍ସପ୍ରେସ(୧୨୮୬୧) ମଧିରା ଷ୍ଟେସନରେ ରହଣି ବ୍ୟବସ୍ଥା କରାଯାଇଛି। ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ବିଶେଷ ଟ୍ରେନ ଅଗଷ୍ଟ ୨୬ ଯାଏ, ଭଞ୍ଜପୁର(ବାରିପଦା)-ପୁରୀ-ଭଞ୍ଜପୁର ବିଶେଷ ଟ୍ରେନ୍‌ ସେପ୍ଟେମ୍ବର ୧, ବିଶାଖାପାଟଣା-ବନାରସ-ବିଶାଖାପାଟଣା ବିଶେଷ ଟ୍ରେନ୍‌ ଅଗଷ୍ଟ ୩୦, ବନାରସ-ବିଶାଖାପାଟଣା ସ୍ପେସାଲ ଟ୍ରେନ୍‌ ଅଗଷ୍ଟ ୩୧ ଯାଏ ଚଳାଚଳ କରିବ।

Spread the love