ବିହାରରେ ପୁଲିସ-ଆନ୍ଦୋଳନକାରୀ ମୁହାଁମୁହିଁ: ଲାଠିମାଡ଼ରେ ବିଜେପି ନେତାଙ୍କ ମୃତ୍ୟୁ

ପାଟନା: ବିହାରର ପାଟନାରେ ଆଜି ବିଜେପି ଦ୍ବାରା ଆୟୋଜିତ ଏକ ଆନ୍ଦୋଳନ ସମୟରେ ବଡ଼ ଅଘଟଣ ଘଟିଯାଇଛି। ପୁଲିସର ଲାଠିମାଡ଼ରେ ବିଜେପି ନେତା ବିଜୟ ସିଂହଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ରାଜ୍ୟ ସରକାରର ଦୁର୍ନୀତି ବିରୋଧରେ ବିଜେପି ପକ୍ଷରୁ ଆଜି ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଜେପି କର୍ମୀ ଓ ନେତାମାନେ ଆଜି ପାଟନାର ଗାନ୍ଧୀ ମଇଦାନରୁ ବିହାର ବିଧାନସଭା ଆଡ଼କୁ ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବା ସମୟରେ ବାଟରେ ସେମାନଙ୍କୁ ପୁଲିସ ଅଟକାଇଥିଲା। ଏହି ସମୟରେ ଆନ୍ଦୋଳନକାରୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ।ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ଟିଅର ଗ୍ୟାସ ସେଲ୍‌ ପ୍ରୟୋଗ କରିବା ସହ ୱାଟର କ୍ୟାନନ୍‌ ବ୍ୟବହାର କରିଥିଲା ଏବଂ ପ୍ରବଳ ଲାଠିମାଡ଼ କରିଥିଲା। ପୁଲିସ ମାଡ଼ରେ ଜେହାନାବାଦ ଜିଲ୍ଲା ବିଜେପିର ସଂପାଦକ ବିଜୟ ସିଂହଙ୍କର ମୃତ୍ୟୁ ହୋଇଛି। ପାଟନା ମେଡିକାଲ କଲେଜ ହସ୍ପିଟାଲର ସୁପରିନଟେଣ୍ଡେଣ୍ଟ୍‌ ମଧ୍ୟ ବିଜୟ ସିଂହଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ହିଁ ସବୁକିଛି ସ୍ପଷ୍ଟ ଜଣାପଡ଼ିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ଇତିମଧ୍ୟରେ ପୁଲିସ ଦାବି କରିଛି ଯେ ଆନ୍ଦୋଳନକାରୀ ସେମାନଙ୍କ ଉପରକୁ ପଥର ମାଡ଼ କରିବା ସହ ଲଙ୍କାଗୁଣ୍ଡ ପକାଇବାରୁ ସେମାନେ ବାଧ୍ୟ ହୋଇ ଲାଠି ପ୍ରହାର କରିଥିଲେ। ବିଜେପି ସାଂସଦ ତଥା ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ କହିଛନ୍ତି ବିହାରରେ ଏଭଳି ଅରାଜକତା ଓ ଗୁଣ୍ଡାରାଜକୁ ବରଦାସ୍ତ କରାଯିବ ନାହିଁ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ବିଜେପି କର୍ମୀଙ୍କ ଉପରେ ଲାଠିମାଡ଼ର ଜୋର୍‌ଦାର ପ୍ରତିବାଦ କରାଯିବ।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଜୟ ସିଂହ ବିହାର ଲୋକଙ୍କ ଅଧିକାର ପାଇଁ ତାଙ୍କ ଜୀବନ ଦେଇଛନ୍ତି। ତାଙ୍କ ଉପରେ ନିର୍ମମ ଲାଠିମାଡ଼ କରି ରାଜ୍ୟ ବର୍ବରତା ପ୍ରଦର୍ଶନ କରିଛି। ଲାଠିମାଡ଼ ଏବଂ ଲୁହବୁହା ଗ୍ୟାସ ପ୍ରୟୋଗ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ସେହିପରି କିଛି ସାଂସଦ, ବିଧାୟକ ଏବଂ କର୍ମୀମାନେ ମଧ୍ୟ ପୁଲିସ ଲାଠିମାଡ଼ରେ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ସେ କହିଛନ୍ତି।

Spread the love