ମିନି ସ୍କର୍ଟ କିମ୍ବା ଚିରା ଫଟା ଜିନ୍ସ ପିନ୍ଧି ମନ୍ଦିରକୁ ଆସନ୍ତୁ ନାହିଁ, ଉତ୍ତରପ୍ରଦେଶର ଏହି ମନ୍ଦିରରେ ଲାଗିଲା ପୋଷ୍ଟର

ମନ୍ଦିରରେ ନିର୍ଦ୍ଦିଷ୍ଟ ପୋଷାକ ପରିଧାନ ଏବେ ବିଭିନ୍ନ ସ୍ଥାନରେ ଆଲୋଚନାର ବିଷୟ ପାଲଟିଛି । ଅନେକ ମନ୍ଦିରରେ ନିର୍ଦ୍ଦିଷ୍ଟ କିଛି ପୋଷାକ ପରିଧାନ ଉପରେ କଟକଣା ଲଗାଯାଇଥିବା ବେଳେ କିଛି ମନ୍ଦିରରେ ସ୍ୱତନ୍ତ୍ର ବସ୍ତ୍ର ପିନ୍ଧିଲେ ହିଁ ପ୍ରବେଶ ଅନୁମତି ମିଳିଥାଏ । ଆଉ ଏହିକ୍ରମରେ ଉତ୍ତରପ୍ରଦେଶର ଇଟାବା ଜିଲ୍ଲା କାଳୀ ବାଂହ ସିଦ୍ଧ ପୀଠରେ ମନ୍ଦିର ପ୍ରଶାସନ ପକ୍ଷରୁ ପୋଷ୍ଟର ଲଗାଯାଇଛି । ଯେଉଁ ପୋଷ୍ଟରରେ ସିଧାସଳଖ ଲେଖାଯାଇଛି ଯେ, ସମସ୍ତ ପୁରୁଷ ଓ ମହିଳା ଭକ୍ତ ପୂରା ବସ୍ତ୍ର ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରନ୍ତୁ । ବରମୁଡା, ନାଇଟ ସୁଟ୍, ମିନି ସ୍କର୍ଟ, ଚିରା-ଫଟା ଜିନ୍ସ ଓ ଛୋଟ ପୋଷାକ ପିନ୍ଧି ମନ୍ଦିର ଭିତରକୁ ଆସନ୍ତୁ ନାହିଁ ।ମନ୍ଦିର ପ୍ରଶାସନର କହିବା ଅନୁଯାୟୀ, ଏଭଳି କପଡା ପିନ୍ଧି ଲୋକେ ନିଜ ସଂସ୍କୃତିକୁ ଅପଭ୍ରଷ୍ଟ କରୁଥିବା ବେଳେ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାରେ ବାଧା ସୃଷ୍ଟି ହେଉଛି । ତେଣୁ ନିଜ ସଂସ୍କୃତିକୁ ବଞ୍ଚାଇବା ସହ ନିୟମ ପାଳନ କରିବା ଆବଶ୍ୟକ ବୋଲି କହିଛି ମନ୍ଦିର ପ୍ରଶାସନ । ସିଦ୍ଧ ପୀଠର ପ୍ରମୁଖ ମହନ୍ତ ସଚିନ ଗିରି କହିଛନ୍ତି, ମନ୍ଦିରକୁ ସନାତନ ଧର୍ମ ଅନୁସାରେ ଆସିବା ଉଚିତ୍ ।

ଯେଉଁ ମହିଳା ଛୋଟ କପଡା ପିନ୍ଧିକି ଆସୁଛନ୍ତି ସେମାନେ ଅନ୍ୟ ଲୋକଙ୍କୁ ଭ୍ରମିତ କରିବା ସହ ଧ୍ୟାନ ଭଙ୍ଗ କରୁଛନ୍ତି । ଆମ ସଂସ୍କୃତି କହୁଛି, ପୂରା ବସ୍ତ୍ର ପିନ୍ଧି ମନ୍ଦିରକୁ ଆସିବା ଉଚିତ ।ଏହାସହ ସଚିନ କହିଛନ୍ତି, ହିନ୍ଦୁ ମାନଙ୍କୁ ନିଜ ସଂସ୍କୃତି ଅନୁସାରେ ନିୟମର ପାଳନ କରିବା ଉଚିତ । ଯେଉଁ ଲୋକ ଏହାକୁ ପଢିବେ ସେମାନେ ଘରେ, ପରିବାର ଓ ସମ୍ପର୍କୀୟଙ୍କୁ ବୁଝାଇବା ଆବଶ୍ୟକ । ଉଭୟ ପୁରୁଷ ଓ ମହିଳା ଯେଉଁ ଭଳି ହାଫ୍ ପ୍ୟାଣ୍ଟ ଓ ଚିରାଫଟା ଜିନ୍ସ ପିନ୍ଧିକି ଆସୁଛନ୍ତି ତାହା ଠିକ୍ ନୁହେଁ । ମହିଳାଙ୍କୁ ଶାଢୀ ପିନ୍ଧି ମନ୍ଦିରକୁ ଆସିବା କଥା । ମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ଅନେକ ଭକ୍ତ ମଧ୍ୟ ପସନ୍ଦ କରିଛନ୍ତି ।

Spread the love