ପରମ୍ପରା ଅନୁସାରେ ପୁରୀରେ ଚାଲିଛି ରଥ ଭଙ୍ଗା କାମ : ପ୍ରଥମ ପର୍ଯ୍ୟାୟରେ ଭଙ୍ଗାଯାଉଛି ସୁଭଦ୍ରାଙ୍କ ରଥ

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପରେ ଏବେ ଚାଲିଛି ରଥ ଭଙ୍ଗା କାମ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଆଜି ଠାରୁ ତିନି ରଥଭଙ୍ଗା କାମ ବିଧିବଦ୍ଧ ଭାବେ ଅରମ୍ଭ ହୋଇଛି । ନିୟମ ଅନୁସାରେ ପ୍ରଥମ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗାଯାଇଛି । ଏହା ପରେ ତାଳଧ୍ୱଜ ରଥ ଭଙ୍ଗାଯିବ । ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବ । ଭୋଇ ସର୍ଦ୍ଦାର ଅନୁକୂଳ କରିବା ପରେ ପଥମେ କଳସରୁ ଆରମ୍ଭ ହୋଇଥିଲା ରଥ ଭଙ୍ଗାକାମ । ଏହା ପରେ ପାରାଭାଡ଼ି, ଦ୍ୱାରବେଢ଼ା ଭଙ୍ଗାଯାଇଛି । ଏହା ପରେ ରଥର ସବୁ ଅଂଶକୁ ଭଙ୍ଗାଯିବ ।

ତେବେ ଗୋଟିଏ ରଥକୁ ଭାଙ୍ଗିବା ପାଇଁ ୪ଦିନ ସମୟ ଲାଗିବ । ସେହିପରି ତିନି ରଥ ଭାଙ୍ଗିବା ପାଇଁ ୧୦ରୁ ୧୨ ଦିନ ସମୟ ଲାଗିବ । ରଥ ଭଙ୍ଗାଯିବା ପରେ ସିଂହାସନ, ପ୍ରଭା, ନାଟଗୋଡ଼, ଗୁଜ ଓ ଚକକୁ ନେଇ ଗୁଣ୍ଡିଚା ମନ୍ଦିର ଭିତରେ ରଖାଯିବ । ତାହାକୁ ବିକ୍ରି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥାଏ । ଅନ୍ୟପଟେ ବଳକା ଭଙ୍ଗା କାଠଗୁଡ଼ିକୁ ଦୋଳବେଦୀ କୋଣରେ ରଖିବା ପରେ ତାହା ଚିରଟ କରାଯାଇ ମହାପ୍ରସାଦ ରୋଷେଇ ପାଇଁ ଜାଳେଣୀ ଆକାରରେ ବ୍ୟବହାର କରାଯାଏ ।

ସେପଟେ ଦେବୀ ସୁଭଦ୍ରାଙ୍କ ରଥରୁ ବାହାରୁଥିବା ଲୁହା କଂଟାକୁ ଫଳୁନଥିବା ଗଛରେ ବାଡ଼େଇଲ ଫଳ ଭରିଥାଏ ବୋଲି ବିଶ୍ୱାସ ରହିଛି । ଅନେକ ଲୋକ ଏହି କଣ୍ଟାକୁ ସଂଗ୍ରହ କରିଥାଆନ୍ତି । ଶ୍ରୀମନ୍ଦିରର ଭେଇ ସେବକମାନେ ଏହି ରଥଭଙ୍ଗା ସମୟରେ ନିୟୋଜିତ ଥିବା ବେଳେ ରଥ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Spread the love