ବନ୍ୟା ପରେ ଦିଲ୍ଲୀରେ ଦେଖାଦେବ ସ୍ୱାସ୍ଥ୍ୟ ସମସ୍ୟା, ସ୍ୱାସ୍ଥ୍ୟ ବିଶେଷଜ୍ଞ କଲେ ଆଲର୍ଟ

ଜଳପ୍ରଳୟରେ ଦେଶର ରାଜଧାନୀ । ସହରବଜାର, ଗଳିକନ୍ଦି, ରାସ୍ତାଘାଟ, ବଡ଼ ବଡ଼ କୋଠା ବୁଡିଛି । ଯମୁନାରେ ବନ୍ୟା ଚାରି ଦିନ ହେବ ଦିଲ୍ଲୀ ହାଲ୍‌ ବେହାଲ୍‌ କରିଛି । ଏବେ ଯମୁନା ନଦୀର ଜଳସ୍ତର ଖସୁଥିଲେ ବି ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା କିନ୍ତୁ କମିନି । ଗାଡ଼ିମୋଟର ଗଡୁଥିବା ରାସ୍ତାରେ ଲହଡି ଭାଙ୍ଗୁଛି ପାଣି । ରାସ୍ତାରେ ଚାଲୁଛି ଡଙ୍ଗା । ଲାଲକିଲା, ରାଜଘାଟ, କାଶ୍ମୀର ଗେଟ୍‌, ଆଇଟିଓ ରୋଡ୍‌, ସିଭିଲ୍‌ ଲାଇନ୍‌ ସମେତ ବିଭିନ୍ନ ଭିଆଇପି ଏରିଆ ବି ଜଳାର୍ଣ୍ଣବ ହୋଇଛି । ଚାରି ଦିନ ହେବ ପାଣି ଘେରରେ ଅଛି ବିଭିନ୍ନ ଅଞ୍ଚଳ । ଲୋକଙ୍କ ଘରେ ଓ ବାହାରେ ଖାଲି ପାଣି ଆଉ ପାଣି । ଜନଜୀବନ ସାଂଘାତିକ ଭାବରେ ପ୍ରଭାବିତ ହୋଇଛି । ଯମୁନା ବନ୍ୟା ପାଣିରେ ଭାସି ଯାଇ ୩ ନାବାଳକଙ୍କ ଜୀବନ ଯାଇଛି । ବନ୍ୟା ପାଣିରେ ଗାଧୋଇବା ବେଳେ ଗତକାଲି ଦିଲ୍ଲୀ ମୁକୁନ୍ଦପୁର ଅଞ୍ଚଳରେ ସେମାନେ ଭାସି ଯାଇଥିଲେ । ବର୍ତ୍ତମାନ ସୁଦ୍ଧା ବନ୍ୟାଘେରରୁ ୨୫ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଆଶ୍ରୟ ସ୍ଥଳୀରେ ଅଛନ୍ତି ୨୦ ହଜାରରୁ ଅଧିକ ବିପନ୍ନ । ପ୍ରଭାବିତ ଅଞ୍ଚଳରେ ନିୟୋଜିତ ଅଛନ୍ତି ଏନଡିଆରଏଫ୍‌ର ୧୬ଟି ଟିମ୍‌ । ଜଳବନ୍ଦୀ ସ୍ଥିତି ଯୋଗୁ ଟ୍ରାଫିକ୍‌ ସମସ୍ୟା ବି ଦେଖାଦେଇଛି । ଯମୁନା ଜଳସ୍ତର ଖସୁଥିବାରୁ ଆଗକୁ ସ୍ଥିତି ସୁଧୁରିପାରେ । ଯମୁନାର ଜଳସ୍ତର ୨୦୮ ମିଟର ରହିଛି । ଲଗାଣ ବର୍ଷା ଓ ହାତୀକୁଣ୍ଡ ବ୍ୟାରେଜରୁ ପାଣି ଛାଡିବା ପରେ ଯମୁନାରେ ଆସିଛି ବନ୍ୟା । ୧୯୭୮ ପରେ ରାଜଧାନୀ ଦିଲ୍ଲୀ ଦେଖିଛି ସବୁଠାରୁ ବଡ଼ ବନ୍ୟା ।

ବନ୍ୟା ପରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ବଡ ସମସ୍ୟା ସାଜିପାରେ । ଚାରିଆଡେ ପାଣି ଜମିଥିବାରୁ ପାନୀୟ ପାଣି ପାଇଁ ସମସ୍ୟା ଉପୁଜିଛି । ବନ୍ୟା ଛାଡିବା ପରେ ଲୋକଙ୍କ ସମସ୍ୟା ବଢିଯିବ । ବିଭିନ୍ନ ପ୍ରକାର ରୋଗରେ ଲୋକେ ଆକ୍ରାନ୍ତ ହେବେ । ଗତ ୬ ଦିନ ଧରି ଉତ୍ତର ଭାରତରେ ଲାଗି ରହିଥିବା ବର୍ଷା ବିପର୍ଯ୍ୟୟ ଆଣିଛି। ବର୍ଷା ଓ ବନ୍ୟା ପାଇଁ ଉତ୍ତର ଭାରତରେ ମୃତ୍ୟୁସଂଖ୍ୟା ୧୪୫ ଟପିଯାଇଛି।ପଂଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ବନ୍ୟା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। କେବଳ ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହିମାଚଳପ୍ରଦେଶରେ ୬, ହରିୟାଣାରେ ୫, ପଂଜାବରେ ୪ ଏବଂ ଉତ୍ତରାଖଣ୍ଡରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ବର୍ଷା ଏବଂ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୫୫ରେ ପହଞ୍ଚିଛି। ଅନ୍ୟପକ୍ଷେ ହିମାଚଳରେ ବନ୍ୟା ମୃତ୍ୟୁସଂଖ୍ୟା ୯୦ ଟପିଯାଇଛି। ରାଜ୍ୟରେ ୧୪ ଜଣ ନିଖୋଜ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି।

Spread the love