ମୌସୁମୀ ଅଧିବେଶନ: ୨୨ ବିଲ୍‌ ଆଗତ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ସରକାର ୨୨ଟି ବିଲ୍‌ ଆଣିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଏହି ଅଧିବେଶନରେ ଦିଲ୍ଲୀ ସର୍ଭିସ, ତଥ୍ୟ ସୁରକ୍ଷା, ଜନ ବିଶ୍ବାସ, ଜଙ୍ଗଲ ସଂରକ୍ଷଣ ସମେତ ଅନ୍ୟାନ୍ୟ ବିଲ୍ ଆଗତ ହେବାର ସମ୍ଭାବନା ରହିଛି। ଜନ ବିଶ୍ବାସ ବିଲ୍‌ ୨୦୨୨ରେ ୪୨ଟି ଆଇନରେ ୧୮୧ଟି ପ୍ରସ୍ତାବକୁ ସଂ‌ଶୋଧନ କରିବା ଏବଂ ଅପରାଧିକ ମାମଲାରେ ରହିଥିବା ବ୍ୟବସ୍ଥାକୁ ଯୁକ୍ତିସଙ୍ଗତ କରିବାକୁ ସରକାର ଉଦ୍ୟମ ଚଳାଇଛନ୍ତି। ଜନ ବିଶ୍ବାସ ବିଧେୟକ ୨୦୨୨ରେ ୪୨ଟି ଆଇନରେ ୧୮୧ଟି ବ୍ୟବସ୍ଥାକୁ ସଂଶୋଧନ କରି ଯୁକ୍ତିସଂଗତ କରାଯିବାକୁ ପ୍ରୟାସ କରାଯିବ। ମିଳିତ କମିଟି ନିକଟକୁ ପଠାଯିବା ପୂର୍ବରୁ ପୂର୍ବ ଅଧିବେଶନରେ ବିଧେୟକ ଆଗତ କରିବା ସମୟରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ, ଦେଶରେ ଏଭଳି ଆଇନ ଅଛି ଯେଉଁଥିରେ ଛୋଟ ଅପରାଧ ପାଇଁ ଜେଲ୍‌ ଯିବାର ବ୍ୟବସ୍ଥା ରହିଛି। ଏଥିପାଇଁ ଲୋକମାନଙ୍କୁ ଅଦାଲତର ଦ୍ବାରସ୍ଥ ହେବାକୁ ପଡ଼ୁଛି। ଆଇନରେ ଥିବା ପୁରୁଣା ବ୍ୟବସ୍ଥାକୁ ହଟାଇ ଦିଆଯିବା ଦ୍ବାରା ଅଦାଲତ ଉପରେ ବୋଝ ହ୍ରାସ ପାଇବ ବୋଲି କୁହାଯାଇଥିଲା।

ଜନ ବିଶ୍ବାସ ବିଧେୟକର ଆବଶ୍ୟକତା ସଂପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜେପିସି ରିପୋର୍ଟରେ ପ୍ରଥମେ ୪୨ଟି ଆଇନରେ ୩୫୦୦୦ରୁ ଅଧିକ ନିୟମ ପାଳନ ବୋଝକୁ କମ୍ କରାଯିବା ସହିତ ୩୪୦୦ ଆଇନର ବ୍ୟବସ୍ଥାକୁ ଅପରାଧମୁକ୍ତ କରିବା ପ୍ରସ୍ତାବ ରହିଛି। ଏଥିରୁ ପ୍ରାୟ ୩୦ଟି ଆଇନ ସିଧାସଳଖ ଭାବେ ଉଦ୍ୟୋଗ ଓ ବ୍ୟବସାୟ ସହ ଜଡ଼ିତ। ଏହା ଉଦ୍ୟୋଗ ଆଇନ ହେଉ ଅବା ଟ୍ରେଡମାର୍କ ଆଇନ ବା ଖାଦ୍ୟ ସୁରକ୍ଷା ଆଇନ କିମ୍ବା ଆଇଟି ଆଇନ, ସବୁଥିରେ ଉଚିତ ଦଣ୍ଡର ବ୍ୟବସ୍ଥା ରହିବା ଆବଶ୍ୟକ, ଯାହା ଜନ ବିଶ୍ବାସ ଆଇନରେ ପ୍ରସ୍ତାବ ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି।
ଏଥିସହିତ ବ୍ୟକ୍ତିଗତ ଡାଟା ସଂରକ୍ଷଣ ବିଲ୍ ଆଣିବାକୁ ସରକାର ଯୋଜନା ରଖିଛନ୍ତି। ଏହାଦ୍ବାରା ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ଓ ସଂରକ୍ଷଣ ଉପରେ ପ୍ରଭାବ ପଡ଼ିବ। ‌ ଏଥିସହିତ ସରକାର ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ (ଏନଆରଏଫ) ବିଲ୍ ମଧ୍ୟ ଆଣିପାରନ୍ତି। ଏହି ବିଲରେ ଦେଶର ବିଭିନ୍ନ କ୍ଷେତ୍ରର ଗବେଷଣା ବ୍ୟୟ ବୃଦ୍ଧି ଏବଂ ପ୍ରମୁଖ କ୍ଷେତ୍ରର ଗବେଷଣାକୁ ଘରୋଇ କ୍ଷେତ୍ରର ଭାଗୀଦାରିରେ ସଂଶୋଧନ ଆସିପାରେ। ସେହିଭଳି ଜୈବ ବିବିଧତା (ସଂଶୋଧନ) ବିଲ୍ ୨୦୨୧, ଜଙ୍ଗଲ (ସଂରକ୍ଷଣ) ସଂଶୋଧନ ବିଲ ୨୦୨୩, ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ବିଲ୍‌, ଡାକ ସେବା ବିଲ୍‌, ୨୦୨୩ ଆଦି ଆଗତ ହେବା ସମ୍ଭାବନା ରହିଛି।

Spread the love