କଲିଂ ବେଲ୍ ଚିପିବାରୁ ୩ ଜଣଙ୍କୁ ହତ୍ୟା, ଆମେରିକାରେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କୁ ଆଜୀବନ ଜେଲ୍

ନ୍ୟୁୟର୍କ : ୨୦୨୦ରେ ଜଣେ ୪୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଅନୁରାଗ ଚନ୍ଦ୍ରାଙ୍କୁ ୩ ଜଣ କିଶୋରଙ୍କ ହତ୍ୟା ଓ ଆଉ ୩ ଜଣ କିଶୋର ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

୨୦୨୦ ଜାନୁଆରି ୧୯ ତାରିଖ ରାତିରେ ଟେମେସ୍କେଲ କ୍ୟାନିଅନ୍ ରୋଡ୍ ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଉକ୍ତ ୬ ଜଣ କିଶୋର ଚନ୍ଦ୍ରାଙ୍କୁ ଚିଡ଼ାଇବାକୁ ତାଙ୍କ ଘରର କଲିଂ ବେଲ୍ ବାରମ୍ବାର ବଜାଉଥିଲେ । ଏଥିରେ ବିରକ୍ତ ହୋଇ ଅନୁରାଗ ସେମାନଙ୍କୁ ପିଛା କରିବା ପରେ ସେମାନେ ଏକ କାରରେ ପଳାଇଯାଉଥିଲେ । ଚନ୍ଦ୍ରା ନିଜ କାରରେ ସେମାନଙ୍କୁ କିଛି ସମୟ ପିଛା କରିବା ପରେ ଧକ୍କା ଦେଇଥିଲେ । ଫଳରେ ସେମାନଙ୍କ ଗାଡ଼ି ଏକ ଗଛରେ ପିଟି ହୋଇଯାଇଥିଲା । ଏଥିରେ ୩ ଜଣ କିଶୋର ମୃତ୍ୟୁବରଣ କରିଥିଲେ ଓ ଅନ୍ୟ ୩ ଜଣ ଆହତ ହୋଇଥିଲେ ।

ଗତ ଜୁଲାଇ ୧୪ ରେ ଜିଲ୍ଲା ଆଟର୍ଣ୍ଣି ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଚନ୍ଦ୍ରାଙ୍କୁ ଦୋଷୀ ସାବ୍ୟସ୍ତ କରିବା  ନିଷ୍ପତ୍ତି ନେବାକୁ ରିଭରସାଇଡ୍ କାଉଣ୍ଟିର ଜୁରିଙ୍କୁ ମାତ୍ର ତିନି ଘଣ୍ଟା ସମୟ ଲାଗିଥିଲା। ପୁଲିସ ତଦନ୍ତରୁ ଜଣାପଡିଥିଲା ଯେ ଅନୁରାଗ ଚନ୍ଦ୍ର ଜାଣିଶୁଣି ପିଲାମାନଙ୍କ ଗାଡିକୁ ଧକ୍କା ଦେଇଥିଲେ, ଫଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା ।

Spread the love