ଜବର ଦଖଲ ଜମିକୁ ଆଇନ ସମ୍ମତ କରିବା ପାଇଁ ସ୍ମିତାରାଣୀକୁ କରାଯାଇଛି ହତ୍ୟା-ବିଜେପି

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୪ଟି ପଂଚାୟତ- ଧର୍ମଶାଳା, ହରିଦାସପୁର, ଥାନୁଆଳ, ଆରୁହା ପଂଚାୟତର ୧୫୨ ଏକର ଜମି ରାମକୋ ସିମେଂଟ କାରାଖାନା ପାଇଁ ରାଜ୍ୟସରକାରଙ୍କ ଦେଇଥିବାବେଳେ ଆହୁରି ଶହ ଶହ ଏକର ରାମକୋ ଜବରଦସ୍ତି ବେଆଇନ ଭାବେ ମାଡିବସିଛି । ରାମକୋ ଦ୍ୱାରା ଜବରଦଖଲ ହୋଇଥିବା ଜମିରେ ଶ୍ମଶାନ ଜମି, ଗୋଚର ଜମି, ଅନାବଦି ଜମି, ଦେବୋତର ଜମି ଏବଂ ଜଙ୍ଗଲ କିସମ ଜମି ଅନ୍ତଭୃକ୍ତ । ଏହି ସମସ୍ତ ଜମି ସ୍ମିତାରାଣୀ ହତ୍ୟକାଣ୍ଡର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ନିଜ ଗୃହ ପଂଚାୟତରେ ଆସୁଛି । ଏହି ସମସ୍ତ ବେଆଇନ ଜବରଦଖଲ ଜମିକୁ ଆଇନସମ୍ମତ କରିବା ପାଇଁ ପିଇଓ ସ୍ମିତାରାଣୀଙ୍କୁ ଉପରେ ଚାପ ପ୍ରୟୋଗ
କରାଯାଉଥିଲା । ମୃତା ସ୍ମିତାରାଣୀ ଏଥିରେ ଅମଙ୍ଗ ହେବାରୁ ରଙ୍ଗଶାଳାରେ ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି ବୋଲି
ବିଜେପି ରାଜ୍ୟ ସଂପାଦିକା ଡ. ରେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ରାମକୋ ସିମେଂଟ
କଂପାନୀର ମାଲିକ ଜଣେ ତାମିଲ ହୋଇଥିବାରୁ ତାଙ୍କର ସିଧାସଳଖ ସଂପର୍କ ତୃତୀୟ ମହଳା ୫-ଟି ସଚିବ ତାମିଲ ଅଧିକାରୀ କେ. ପାଣ୍ଡିଆନଙ୍କ ସହ ରହିଛି । ସେଥିଲାଗି ଜିଲ୍ଲା ପ୍ରଶାସନ ସବୁ ଆଇନ କାନୁନକୁ ଅଣଦେଖା କରିଛି । ଇମାମୀ ଏବଂ ଅନ୍ୟାନ୍ୟ ସିମେଂଟ କାରଖାନା ପାଇଁ ଜମି ଅଧିଗ୍ରହଣ ସମୟରେ ଗ୍ରାମସଭା ହୋଇଥିବାବେଳେ ରାମକୋ ପାଇଁ କାହିଁକି ଗ୍ରାମ ସଭା କରାଗଲା ନାହି ଁଁl  ବିନା ଗ୍ରାମସଭାରେ ଏସବୁ ଜମିକୁ ରାମକୋ କିଭଳି ଭାବେ ଜବରଦଖଲ କଲା ? ଜିଲ୍ଲାରେ
ଜିଲ୍ଲାପାଳ, ଏସପି, ବିଡିଓ, ତହସିଲଦାର, ରାଜସ୍ୱ ଅଧିକାରୀ ଥିବାସତ୍ୱେ ରାମକୋ ବେଆଇନ ଭାବେ ଶହ ଶହ ଏକର ଜମି
କିପରି ଜବରଦଖଲ କରି ପାରିଲା ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ପିଇଓ ସ୍ମିତାରାଣୀଙ୍କ ଉପରେ ଜବର ଦଖଲ ଜମିକୁ ଆଇନ ସମ୍ମତ କରିବା ପାଇଁ ରୂପେଶ ଭଦ୍ର ଏବଂ ବିଜେଡିର
ଅନ୍ୟ ନେତାଙ୍କ ଦ୍ୱାରା ଚାପ ପ୍ରୟୋଗ କରାଯାଉଥିଲା । ଏମିତିକି ଗ୍ରାମ ପଂଚାୟତର ଅଧିକାରୀମାନଙ୍କୁ ଭାଇଜାକ ଓ ମୁମ୍ବାଇ
ଭଳି ସହରକୁ ନେଇ ଆପାୟିତ କରିବା ପାଇଁ ଚେଷ୍ଟା କରାଯାଉଥିଲା । ହେଲେ ସ୍ମିତାରାଣୀ ଏହି ଷଡଯନ୍ତ୍ରରେ ସାମିଲ ନହେବା ଯୋଗୁଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାମକୋ ଜମି ଜବରଦଖଲ ମାମଲାରେ ବେଆଇନ କାମ କରିବାକୁ ରାଜି
ନହେବାରୁ ତାଙ୍କୁ ରଙ୍ଗଶାଳାଠାରେ ଗଣଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସ୍ମିତାରାଣୀ ମୃତ୍ୟୁ ସମୟରେ ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସମେତ ଆଉ ୪ ଜଣ ବିଜେଡିର ନିର୍ବାଚିତ ପ୍ରତିନିଧୀ ଏବଂ ଜଣେ ରାମକୋ ଅଧିକାରୀ ଉପସ୍ଥିତ
ଥିଲେ । ସ୍ମିତାରାଣୀର ଚରିତ୍ର ଉପରେ ପ୍ରଶ୍ନ ସୃଷ୍ଟି କରୁଥିବା ଯାଜପୁର ଏସପି ଚରଣ ସିଂହ ମୀନା କ’ଣ ପାଇଁ ରାମକୋ
ଅଧିକାରା ଏବଂ ଅନ୍ୟାନ୍ୟ ଉପସ୍ଥିତ ବିଜେଡିର ନିର୍ବାଚିତ ପ୍ରତିନିଧୀମାନଙ୍କୁ ତଦନ୍ତ ପରିସର ଭୃକ୍ତ କରିନାହାଁନ୍ତି ବୋଲି ଡ.
ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ସ୍ମିତାରାଣୀ ହତ୍ୟାକାଣ୍ଡରୁ ସ୍ପଷ୍ଟ ହୋଇଛି ଯେ, ବିଜେଡି ରାଜନୈତିକ ଲକ୍ଷ୍ୟ ହାସଲ କରିବା ପାଇଁ କ୍ଷମତା ପୀପାସାକୁ
ମେଂଟାଇବା ପାଇଁ ଜଣେ ନିରୀହ ଝିଅ ସ୍ମିତାରାଣୀର ବଳି ପକାଇଛି । ରାମକୋର ବେଆଇନ ଜମି ଜବର ଦଖଲ ଏବଂ
ସ୍ମିତାରାଣୀ ହତ୍ୟାକାଣ୍ଡରେ ରାମକୋ ଅଧିକାରୀଙ୍କ ଭୂମିକାକୁ ତଦନ୍ତ ପରିସରଭୃକ୍ତ କରାଯାଉ । ରାଜ୍ୟସରକାର ଏବଂ ଜିଲ୍ଲା
ପ୍ରଶାସନ ଏହି ଘଟଣାରେ ନିବିଡ ଭାବେ ସଂପୃକ୍ତ ଅଛନ୍ତି ଏବଂ ଦୋଷୀ ମାନଙ୍କୁ ଘଂଟ ଘୋଡାଇବା ପାଇଁ ସବୁ ପ୍ରକାର
ପ୍ରଚେଷ୍ଟା କରିଆସିଛନ୍ତି । ଏଣୁ କେବଳ ସିବିଆଇ ତଦନ୍ତ ହେଲେ ହିଁ ସମସ୍ତ ଘଟଣାର ପର୍ଦ୍ଦାଫାଶ ହେବା ସହ ସ୍ମିତାରାଣୀ ଏବଂ
ଓଡିଶାର ସମସ୍ତ ମହିଳାମାନଙ୍କୁ ନ୍ୟାୟ ମିଳିପାରିବ ବୋଲି ଡ. ସାମନ୍ତସିଂହାର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ ଏବଂ ମୁଖପାତ୍ର ସୋନାଲୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love