ଯକ୍ଷ୍ମାମୁକ୍ତ ଭାରତ ଅଭିଯାନରେ ‘ରୁଚି ମସଲା’; ପ୍ରତିମାସରେ ୧୦୦ ପରିବାରଙ୍କୁ ଦିଆଯାଉଛି ପୋଷଣଯୁକ୍ତ ଖାଦ୍ୟ କିଟ୍‌

କଟକ,୧୯ା୭: ଦେଶକୁ ଯକ୍ଷ୍ମାମୁକ୍ତ କରିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ‘ରୁଚି’ ଉଦ୍ୟୋଗ ସାମିଲ ହୋଇ ଏଥିରେ ସହାୟତା କରୁଛି । ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ରୁଚି ଉଦ୍ୟୋଗ କଟକ ଜିଲ୍ଲାର ୧୦୦ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟଭାବେ ଗ୍ରହଣ କରି ପ୍ରତି ମାସରେ ଆବଶ୍ୟକ ପୋଷଣ ସାମଗ୍ରୀ ଥିବା କିଟ୍ ପ୍ରଦାନ କରୁଛନ୍ତି । କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରାନନ୍ଦ ବେହୁରା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟଠାରେ ମଙ୍ଗଳବାର ଏହି ସାମଗ୍ରୀ ଗ୍ରହଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ‘ରୁଚି’ର ଲୋକସମ୍ପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ବିଦ୍ୟୁତ୍‌ପ୍ରଭା ରାୟ, ସ୍ୱାସ୍ଥ୍ୟ ପରିଦର୍ଶକ ତୃପ୍ତିରଞ୍ଜନ ଦାସ, ରୁଚିର ସହଯୋଗୀ ହୃଷୀକେଶ ପାଣି, ପ୍ରମୋଦ କୁମାର ବାରିକ ପ୍ରମୁଖ ଯୋଗଦେଇଥିଲେ ।
କଟକ ନୂଆବଜାରସ୍ଥିତ ଭିନ୍ନକ୍ଷମ ଚିକିତ୍ସା କେନ୍ଦ୍ର-ଅର୍ବାନ ଲେପ୍ରୋସି କେନ୍ଦ୍ରଠାରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ରଞ୍ଜନ ସିଂହ ଓ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡାକ୍ତର ଦୀପା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ରୁଚି ଉଦ୍ୟୋଗ ପକ୍ଷରୁ ବିଭିନ୍ନ ପୁଷ୍ଟିକର ସାମଗ୍ରୀ ଥିବା କିଟ୍ ଯକ୍ଷ୍ମାରୋଗାକ୍ରାନ୍ତ ପରିବାରକୁ ପ୍ରତିମାସରେ ପ୍ରଦାନ କରାଯାଉଛି। ‘ରୁଚି’ର ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଆଧାରରେ ପ୍ରଦାନ କରାଯାଉଥିବା ଏହି ସାହାଯ୍ୟ ଓ ସେବାମୂଳକ କାର୍ଯ୍ୟକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି ।

Spread the love