ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଲେ ପୁଲିସ ଡିଜି

ଆଗାମୀ ୨୨ ତାରିଖରେ ଭାରତ- ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ହେବାକୁ ଯାଉଥିବାରୁ ଆଜି ପୁଲିସ ଡିଜି ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୁଲିସ ଡିଜି ଅଭୟ ଆଜି କଟକର ବାରବାଟୀ ଷ୍ଟାଡିୟମକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହିତ ଏହାର ସମୀକ୍ଷା କରିଛନ୍ତି । ପୁଲିସ ଡିଜିଙ୍କ ସମୀକ୍ଷା ସମୟରେ ଭୁବନେଶ୍ବର-କଟକ ପୁଲିସ କମିସନରେଟର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

ସମୀକ୍ଷା ପରେ ଡିଜି କହିଛନ୍ତି ଯେ ଖେଳାଳିଙ୍କ ସୁରକ୍ଷାକୁ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଉଛି । ମ୍ୟାଚ ଦିନ ବାରବାଟୀ ଷ୍ଟାଡିୟମ ଓ ଖେଳାଳିଙ୍କ  ସୁରକ୍ଷା ଲାଗି  ୮୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏଥିସହ ସଦା ପୋଷାକରେ ପୁଲିସ କର୍ମଚାରୀ ଓ କମାଣ୍ଡୋ ମଧ୍ୟ ମୁତୟନ ହେବେ ବୋଲି ଜାଣିବାକୁ ମିଳିଛି। ଖେଳାଳିଙ୍କ ସୁରକ୍ଷା ଲାଗି ପୁଲିସ କୁକୁରଙ୍କ ଦ୍ବାରା ଷ୍ଟାଡିୟମର ବିଭିନ୍ନ ଅଂଚଳ ମଧ୍ୟ ଯାଞ୍ଚ କରାଯିବାର ବ୍ୟବସ୍ଥା ହୋଇଛି।

ଗତକାଲିଠାରୁ ଭୁବନେଶ୍ୱରରେ ଉଭୟ ଦଳର ଖେଳାଳି ପହଞ୍ଚି ମେ ଫେୟାର ହୋଟେଲରେ ଅବସ୍ଥାନ କରୁଛନ୍ତି। ତେବେ ଆଜି ଉଭୟ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମ ଯାଇ କରିବାକୁ ଥିବା ଅଭ୍ୟାସ କାର୍ଯ୍ୟକ୍ରମକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଛି । ଆଜି ଖେଳାଳିମାନେ ହୋଟେଲରେ ଶାରୀରିକ ଅଭ୍ୟାସ କରିବା ସହ ବିଶ୍ରାମ ନେଉଛନ୍ତି । ଖେଳାଳିମାନେ ରହୁଥିବା ହୋଟେଲକୁ ମଧ୍ୟ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଉଭୟ ଦଳର ଖେଳାଳି ଆସନ୍ତାକାଲି ବାରବାଟୀକୁ ଅଭ୍ୟାସ କରିବାକୁ ଯିବେ । ସକାଳେ ୱେଷ୍ଟଇଣ୍ଡିଜ୍ ଦଳ ଓ ଅପରାହ୍ନରେ ଭାରତୀୟ ଦଳର ଖେଳାଳିମାନେ ଅଭ୍ୟାସ କରିବେ ବୋଲି ଜଣାଯାଇଛି ।
Spread the love