ଗରୀବଲୋକଙ୍କ ଜମି କି ପଟ୍ଟା ନାହିଁ, ଘର ହେବ କେମିତି ? : ରାଜେନ୍ଦ୍ର ପଣ୍ଡା

ଭୁବନେଶ୍ୱର, ତା ୨୦/୦୭: ଓଡ଼ିଶାରେ ଗରୀବ ଲୋକ ମୁଣ୍ଡ ଗୁଞ୍ଜିବା ପାଇଁ ମୋଦି ସରକାର ଲକ୍ଷ ଲକ୍ଷ ଘର ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ପାତରଅନ୍ତର ନୀତି ଅବଲମ୍ବନ କରି ବହୁ ଅଯୋଗ୍ୟ ଲୋକଙ୍କୁ “ପ୍ରଧାନମନ୍ତ୍ରୀ ଆବାସ” ଯୋଜନା ପାଇବା ପାଇଁ ଚୟନ କରୁଛନ୍ତି । ଅତୀତରେ ଗୟା ପ୍ରସାଦ କମିଟି ଓଡିଶାରେ ପାଂଚଟି ଜିଲ୍ଲାକୁ ଗସ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବାର ପ୍ରମାଣ ପାଇଥିଲେ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତମାନ ୮ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଆବାସ କରିବା ପାଇଁ ରାଜ୍ୟ ସରକାର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି କିନ୍ତୁ ସେଥିରେ ବାଧକ ସାଜିଛି ଭୂମିହୀନ ଲୋକଙ୍କୁ ସରକାର ଜାଗା ନ ଯୋଗାଇଦେବା । ଫଳରେ ଲକ୍ଷ ଲକ୍ଷ ଭୂମିହୀନ ଲୋକଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟି ଆସିଥିଲେ ମଧ୍ୟ ଜାଗା ଟିଏ ନଥିବାରୁ ସେମାନେ ଘର ପାଇବାରୁ ବଂଚିତ ହେଉଛନ୍ତି । ଯଥାଶୀଘ୍ର ଭୂମିହୀନଙ୍କୁ ଜାଗା ଯୋଗାଇବା ସହ ମୁଣ୍ଡ ଉପରେ ଖଣ୍ଡେ ଛାତଟିଏ କିପରି ପାଇବେ ସେ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର ବୋଲି ରାଜ୍ୟ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଦାବି କରିଛନ୍ତି ।

ଶ୍ରୀ ପଣ୍ଡା କହିଛନ୍ତି ଯେ, ବର୍ତମାନ ସରକାର ଗରୀବ ଖଟିକିଆ ଓ ଭୂମିହୀନ ଲୋକଙ୍କ ପାଇଁ “ମୋ ଘର” ଯୋଜନା ଆରମ୍ଭ କରିଛନ୍ତି, କିନ୍ତୁ ବ୍ୟାଙ୍କମାନେ ଏଥିରେ ବାଧକ ସାଜିଛନ୍ତି । କାରଣ ମୋ ଘର ଯୋଜନାରେ ଯେଉଁ ଲୋକଙ୍କ ନାମରେ ପଟ୍ଟା କିମ୍ବା ଜାଗା ନଥିବ ଏଥିରୁ ସେମାନେ ବଂଚିତ ହେବେ । ବ୍ୟାଙ୍କ ମଧ୍ୟ ୯ପ୍ରତିଶତ ସୁଧ ନେବା ଶୁଣି ଲୋକମାନେ ‘ମୋ ଘର ଯୋଜନା’ରୁ ମୁହଁ ଫେରାଉଛନ୍ତି । ରାଜ୍ୟ ସରକାରଙ୍କର ଦୁଇ ଦୁଇ ଥର ରାଷ୍ଟ୍ରାୟତ ବ୍ୟାଙ୍କ ସହ ବୈଠକ ସରିଥିଲେ ମଧ୍ୟ ଭୂମିହୀନ ଏବଂ ପଟ୍ଟା ନଥିବା ଲୋକମାନଙ୍କ ବିଷୟରେ କୌଣସି ନିଷ୍ପତି ନେଇପାରିନାହାଁନ୍ତି । କାରଣ ଗ୍ରାମାଂଚଳରେ ବହୁତ ଭୂମିହୀନ ଲୋକ ଅଛନ୍ତି ଏବଂ ଯେଉଁ ମାନଙ୍କର ଜାଗା ଅଛି ତାହାର ପଟ୍ଟା ସତ୍ୱ ତାଙ୍କ ନାମରେ ନଥାଇ ପୂର୍ବପୁରୁଷମାନଙ୍କ ନାମରେ ଅଛି । ଯାହାଫଳରେ ଲୋକଟିଏ ପଟ୍ଟା ପାଇବା ପାଇଁ ତହସିଲକୁ ବାରମ୍ବାର ଦୌଡି ବିଫଳ ହେଉଛି । ଏହି ସବୁ କାରଣ ପାଇଁ ସାଧାରଣ ଲୋକମାନଙ୍କର ମୋ ଘର ଯୋଜନାରେ ଆବେଦନର ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି । ତେଣୁ ରାଜ୍ୟ ସରକାରଙ୍କ ପାଖରେ ଆମର ଦାବୀ ତୁରନ୍ତ ଭୂମିହୀନ ମାନଙ୍କୁ ଜାଗା ଦିଅନ୍ତୁ ଏବଂ ପଟ୍ଟା ସତ୍ୱ ନଥିବା ଲୋକମାନେ କିଭଳି ପଟ୍ଟାଟିଏ ନିଜ ନାମରେ ପାଇବେ ସେଥିପ୍ରତି ପଦକ୍ଷେପ ନିଅନ୍ତୁ । କିନ୍ତୁ ଏ ସବୁ ସମସ୍ୟାକୁ ଆଖି ଆଗରେ ନରଖି ମୋ ଘର ଯୋଜନା ଆରମ୍ଭ କରିବା ଏକ ପ୍ରଚାର ସର୍ବସ୍ୱ ଏବଂ କେବଳ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ଯୋଜନା ଘୋଷଣା କରିବା ଏକ ପ୍ରହସନରେ ପରିଣତ ହୋଇଛି ।
ଯେଉଁଭଳି ଭାବରେ ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ଯୋଜନା, ପିଠା ଯୋଜନା ଓ ବଳିଆ ଯୋଜନା ଜରିଆରେ ଓଡିଶାବାସୀଙ୍କୁ ପ୍ରତାରିତ କରିଥିଲେ ଠିକ୍ ସେହିଭଳି ଭାବେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ମୋ ଘର ଯୋଜନା କେବଳ ହୀନ ରାଜନୀତି ସର୍ବସ୍ୱ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Spread the love