ଲୋକସଭାରେ ସୋନିଆ ଗାନ୍ଧୀଙ୍କୁ ଭଲମନ୍ଦ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଓ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ସ୍ବଳ୍ପ ସମୟ ପାଇଁ କଥାବାର୍ତ୍ତା ହୋଇଥିଲେ।
ମଙ୍ଗଳବାର ଦିନ ବେଙ୍ଗାଲୁରୁରୁ ଆସୁଥିବା ବେଳେ ବିମାନ ଜରୁରୀ ଅବତରଣ କରିବା ଯୋଗୁଁ ତାଙ୍କର କିଛି ଅସୁବିଧା ହୋଇଥିଲା କି, ନାହିଁ ପ୍ରଧାନମନ୍ତ୍ରୀ ମୋଦୀ ପଚାରିଥିଲେ। ସୋନିଆ ଗାନ୍ଧୀ କହିଲେ ଯେ, ସେ ଭଲ ଅଛନ୍ତି। ସ୍ମରଣଯୋଗ୍ୟ, ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କର ବିଶାଳ ସମାବେଶ ଶେଷ ହେବା ପରେ ସୋନିଆ ଗାନ୍ଧୀ ଓ ରାହୁଲ୍‌ ଗାନ୍ଧୀ ଗୋଟାଏ ଚାର୍ଟର୍‌ ବିମାନରେ ଦିଲ୍ଲୀ ଫେରୁଥିବା ବେଳେ ଖରାପ ପାଗ ଯୋଗୁଁ ତାହା ଜରୁରୀ ଅବତରଣ କରିଥିଲା।
ସୂଚନାଯୋଗ୍ୟ, ସଂସଦ ଅଧିବେଶନର ପ୍ରଥମ ଦିନ ନେତାମାନେ ପରସ୍ପରକୁ ସ୍ବାଗତ କରିବା ବିଧି ରହିଛି। ଗୃହରେ ଅଧିବେଶନ ଆରମ୍ଭ ହେବା ଆଗରୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବିମାନଙ୍କୁ ଭେଟି ଭଲମନ୍ଦ ପଚାରିଥିଲେ।

ଏହାପରେ ଆରମ୍ଭ ହୋଇଥିଲା ସଂସଦର ମୌସୁମୀ ଅଧିବେଶନ। କିନ୍ତୁ, ନିକଟ ଅତୀତରେ ଦେହାନ୍ତ ହୋଇଯାଇଥିବା ଦୁଇଜଣ ସାଂସଦଙ୍କ ସମ୍ମାନାର୍ଥେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ ରଖାଯାଇଥିଲା।

ସେହିପରି, ଜୁନ୍‌ ମାସରେ ଦେହାନ୍ତ ହୋଇଥିବା ସାଂସଦ ହରଦ୍ବାର ଦୁବେଙ୍କ ସମ୍ମାନାର୍ଥେ ରାଜ୍ୟସଭା ମଧ୍ୟ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ମୁଲତବୀ ରହିଥିଲା।

ଏହାଛଡ଼ା, ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ମଧ୍ୟ କହିଛନ୍ତି ଯେ, ମଣିପୁର ହିଂସାକାଣ୍ଡ ସମ୍ବନ୍ଧରେ ଆଲୋଚନା କରିବା ଲାଗି କେନ୍ଦ୍ର ସରକାର ରାଜି ହୋଇଛନ୍ତି। ଏ ବିଷୟରେ ସ୍ବଳ୍ପକାଳୀନ ଆଲୋଚନା କରାଯିବ।

Spread the love