ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ମାରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ଡାକ୍ତରଖାନାରେ ଭର୍ତ୍ତି

ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ମାରଣାନ୍ତକ ଆକ୍ରମଣ ଅଭିଯୋଗ । ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ଡାକ୍ତରଖାନାରେ ଭର୍ତ୍ତି । ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମାଡ଼ ମାରୁଥିବା ମହିଳାଙ୍କ ନାଁରେ ଥାନାରେ ଅଭିଯୋଗ ପରେ ଗିରଫ କଲା ପୋଲିସ ।

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତ ଶଗଡ଼ାଶୂଳ ପ୍ରାଥମିକ ସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । କିଛି ଦିନ ପୂର୍ବରୁ ଶଗଡାଶୂଳ ସ୍କୁଲର ଶିକ୍ଷୟିତ୍ରୀ ଅଞ୍ଜଳି ମହାନ୍ତି ଚାଲି ଚାଲି ଆସୁଥିବା ବେଳେ, ଗାଁର ଜୟନ୍ତ ମହାନ୍ତିଙ୍କ ପୁଅ ସାଇକେଲରେ ଆସୁଥିବା ବେଳେ ଶିକ୍ଷୟିତ୍ରୀଙ୍କ ଦେହରେ ବାଜି ଯାଇଥିଲା । ଏନେଇ ଜୟନ୍ତଙ୍କ ପରିବାର ଆସି ପଚରାଉଚରା କରିଥିଲେ ।  

ଗତକାଲି ଏହାକୁ ନେଇ ଶିକ୍ଷୟିତ୍ରୀ ସ୍କୁଲରୁ ବାହାରୁଥିବା ବେଳେ ଜୟନ୍ତଙ୍କ ପରିବାରର ହରପ୍ରିୟା ନାମକ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ଚପଲରେ ମାଡ଼ ମାରିବାର ଅଭିଯୋଗ ହୋଇଛି । ଯାହାର ଭିଡିଓ ବି ଭାଇରାଲ ହେଉଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ହରପ୍ରିୟାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love