କୋଟିଆ ଅଂଚଳ ପ୍ରତି ରାଜ୍ୟ ସରକାରଙ୍କ ଏତେ ନିଷ୍କ୍ରିୟତା କ’ଣ ପାଇଁ ?: ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର, ତା.୨୧/୦୭: କୋରାପୁଟ ଜିଲ୍ଲା କୋଟିଆ ଅଂଚଳକୁ ଓଡ଼ିଶା ସରକାରଙ୍କ ନିଷ୍କ୍ରିୟତା କାରଣରୁ ଆନ୍ଧ୍ର ସରକାର ଜବରଦଖଲ କରୁଛି । ଏନେଇ ରାଜ୍ୟ ସରକାର କୌଣସି ତତ୍‌ପରତା ନଦେଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ୧୯୩୬ ମସିହାରୁ ଓଡ଼ିଶା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟହେବା ପରଠାରୁ କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ଓଡିଶାର ଅଭିଚ୍ଛେଦ୍ୟ ଅଙ୍ଗ ରହିଛି । କିନ୍ତୁ କିଛି ବର୍ଷ ହେଲା ଆନ୍ଧ୍ର ସରକାର ସେହି ଅଂଚଳକୁ ଅନୁପ୍ରବେଶ କରୁଛି ଏବଂ ସେ ଅଂଚଳକୁ ଆନ୍ଧ୍ରରେ ମିଶାଇବାର ଯୋଜନା କରୁଛି । ଗତ କିଛିଦିନ ପୂର୍ବରୁ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ବସି ଚର୍ଚ୍ଚା ଆଲୋଚନା କରୁଥିବାବେଳେ ଆନ୍ଧ୍ର ଅଧିକାରୀମାନେ କୋଟିଆ ଅଂଚଳରେ ଜନଶୁଣାଣି କରିବା ସହିତ ଆନ୍ଧ୍ରର ଯୋଜନା ସେ ଅଂଚଳରେ ବଂଟନ କଲେ । ସେହିପରି ଗତକାଲି ଆନ୍ଧ୍ର ସରକାରଙ୍କ ତରଫରୁ ବିଡିଓ ତଥା ଆନ୍ଧ୍ରର ଅଧିକାରୀମାନେ କୋଟିଆରେ ଅଂଚଳରେ “ଜଗନ୍ନ ସୁରକ୍ଷା ଯୋଜନା”ରେ କିଟ୍ ବଂଟନ କରିବା ସହ ନାରେଡିବାଲସା, ତାଡିବାଲସା, ଆଲଜୁବାଲସା, ଗଞ୍ଜେଇପଦର, ଉପରସେମ୍ବି, ତଳସେମ୍ବି ଅଂଚଳରେ ଗାଡି ପଠାଇ କୋଟିଆବାସୀଙ୍କୁ ଆଣି ମିଟିଂ କରିଛନ୍ତି । ଓଡ଼ିଶା ସରକାର, ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ସମସ୍ତେ ଦେଖି ନିରବଦ୍ରଷ୍ଟା ସାଜିଲେ । ଓଡ଼ିଶା ସରକାରଙ୍କ କୋଟିଆ ଅଂଚଳ ପ୍ରତି ଏତେ ନିଷ୍କ୍ରିୟତା କ’ଣ ପାଇଁ ବୋଲି ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

କୋଟିଆର ପିଲାମାନେ ଓଡ଼ିଆ ପାଠ ପଢ଼ନ୍ତୁ ବୋଲି ରାଜ୍ୟ ସରକାରଙ୍କ ଯେଉଁ ଚିନ୍ତା ରହିବା କଥା ସେଥିରେ ସରକାରଙ୍କର ଆନ୍ତରିକତା ନାହିଁ । କାରଣ କୋଟିଆ ଅଂଚଳବାସୀ ସ୍ଥାନୀୟ କନ୍ଧ ଭାଷାକୁ ନିଜର କଥିତ ଭାଷାଭାବେ ବ୍ୟବହାର କରନ୍ତି । ଦୁଃଖର ବିଷୟ ସେଠାରେ ନିଯୁକ୍ତ ହେଉଥିବା ଶିକ୍ଷକ ସ୍ଥାନୀୟ କନ୍ଧଭାଷା ଜାଣୁନଥିବା କାରଣରୁ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ପଢ଼ାଇବା ସମୟରେ ବାଧା ସୃଷ୍ଟି ହେଉଛି । ଏନେଇ ରାଜ୍ୟ ସରକାର କନ୍ଧଭାଷା ଜାଣିଥିବା ଶିକ୍ଷକଙ୍କୁ ସେଠାରେ ନିଯୁକ୍ତି କରାନ୍ତୁ । ଆନ୍ଧ୍ର ସରକାରଙ୍କ ତରଫରୁ ସମସ୍ତ ଗ୍ରାମାଂଚଳରେ ଏଜେଂଟ ନିଯୁକ୍ତି କରି ଆନ୍ଧ୍ର ସପକ୍ଷରେ ଓ ଓଡ଼ିଶା ବିରୋଧରେ ବାତାବରଣ ସୃଷ୍ଟି କରୁଛନ୍ତି । ଆନ୍ଧ୍ରର ଏଜେଂଟମାନଙ୍କୁ ଚିହ୍ନଟ କରି ଓଡ଼ିଶା ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
କୋଟିଆ ଅଂଚଳରେ ଏବେ ବି ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଓଡ଼ିଶା ପକ୍ଷରୁ ସେମାନଙ୍କ ପାଖରେ ଆମ୍ବୁଲାନ୍ସ ଏବଂ ସ୍ୱାସ୍ଥ୍ୟସେବା ପଂହଚି ପାରୁନାହିଁ । ଏହାର ସୁବିଧା ନେଇ ଆନ୍ଧ୍ର ପକ୍ଷରୁ ସେମାନ ପାଖରେ ଆମ୍ବୁଲାନ୍ସର ତଥା ସ୍ୱାସ୍ଥ୍ୟସେବା ପଂହଚା ଯାଉଛି । ତେଣୁ ଏ ବିଷୟରେ ଓଡିଶା ସରକାର ଗୁରୁତର ସହ ବିଚାର କରି ସେମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

 

Spread the love