ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କଲା ଟୋନି ବ୍ଲେୟାର ଇନ୍‌ଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ

ଭୁବନେଶ୍ବର: ରାଜ୍ୟ ଲୋକସେବା ଭବନରେ ଶୁକ୍ରବାର ଓଡ଼ିଶା ସରକାର ଏବଂ ଟୋନି ବ୍ଳେୟାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ‌ଗ୍ଲୋବାଲ ଚେଞ୍ଜ ମଧ୍ୟରେ ଏକ ବୁଝାମରାପତ୍ର ସ୍ବାକ୍ଷର ହୋଇଯାଇଛି। ଏହା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧିରେ ଏହା ଲାଭଦାୟକ ହେବ ବୋଲି ଜଣାଯାଇଛି। ଓଡ଼ିଶା ସରକାରଙ୍କ ସହିତ ଟି.ବି.ଆର.ର ଏହି ଅଣ-ବ୍ୟବସାୟିକ ଅନୁବନ୍ଧନ ସରକାରଙ୍କ ଅନେକ ପ୍ରକଳ୍ପର ସଫଳ ରୂପାୟନ କରିବା ସହିତ, ଅର୍ଥନୈତିକ ନୀତି ସମୀକ୍ଷା ଏବଂ ନୀତି ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟକ୍ଷମ ହେବ ।

ଉଲ୍ଲେଖ ଯୋଗ୍ୟ ଯେ ଟୋନି ବ୍ଲେୟାର ଇନ୍‌ଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ଅବସ୍ଥିତ ଏବଂ ଯୁକ୍ତରାଜ୍ୟ(ୟୁନାଇଟେଡ କିଙ୍ଗଡମ)ର ପୂର୍ବତନ ପ୍ରଧାନମନ୍ତ୍ରୀ  ଟୋନି ବ୍ଲେୟାରଙ୍କ ଦ୍ବାରା ସ୍ଥାପିତ ଏହି ଅନୁଷ୍ଠାନ ସଂପ୍ରତି ୪୫ରୁ ଅଧିକ ଦେଶରେ ସଫଳତାର ସହିତ କାର୍ଯ୍ୟ କରୁଛି। ଏହି ପ୍ରତିଷ୍ଠାନ ସଂପୃକ୍ତ ଦେଶଗୁଡ଼ିକର ନୀତି ତର୍ଜମା, ନୀତି ପ୍ରସ୍ତୁତି, ନୀତି ପରିଚାଳନା ଓ ଚୂଡ଼ାନ୍ତ ରୂପାୟନ କ୍ଷେତ୍ରରେ କାର୍ଯ୍ୟ କରିବା ସହିତ ବ୍ୟବସ୍ଥାର ଯଥାସମ୍ଭବ ଉନ୍ନତିକରଣରେ ସହାୟକ ହୋଇପାରିଛି । ଏହି ଅନୁବନ୍ଧନ ଦ୍ବାରା ଓଡିଶାର ସାମଗ୍ରିକ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ବୈଠକରେ ବିଶଦ୍ ଭାବେ ସୂଚନା ପ୍ରଦାନ କରାଯାଇଥିଲା। ଇ-ପ୍ରୟୋଗ କ୍ଷେତ୍ରରେ ସରକାରଙ୍କ ପ୍ରମୁଖ ଗଭର୍ଣ୍ଣାନ୍ସ ନିର୍ମାଣ ଏବଂ ଆଇଟି ଜ୍ଞାନକୌଶଳର ସଫଳ ରୂପାୟନ କ୍ଷେତ୍ରରେ ମଧ୍ୟ ଏହି ଅନୁବନ୍ଧନ ସହାୟକ ହେବ।

Spread the love