ଦ୍ୱାର ନ ଖୋଲିଲେ ଆସନ୍ତାକାଲିଠାରୁ ପଶ୍ଚିମ ଦ୍ୱାର ବାହାରେ ବସିବି: ସୁଦର୍ଶନ

ପୁରୀ: ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦ ଯନ୍ତ୍ରଣା ସୀମା ବାହାରକୁ ଚାଲିଗଲାଣି। ଭକ୍ତଙ୍କ ସ୍ବାର୍ଥ ତଥା ଭକ୍ତିଭାବକୁ ଅଣଦେଖା କରି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଯେଉଁଭଳି ମନମୁଖୀ ଶାସନ ଚଳାଇଛନ୍ତି, ତାହା କେବଳ ଅଗଣିତ ଭକ୍ତଙ୍କୁ ଆନ୍ଦୋଳିତ କରିନି, ନେତା, ସେବାୟତ, ଆଇନଜୀବୀ ଓ ବିଭିନ୍ନ ସଂଗଠନ ମଧ୍ୟ ଏହା ବିରୋଧରେ ତାତିଲେଣି। ଅନ୍ୟପଟେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭକ୍ତଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଚାରିଦ୍ବାର ଖୋଲିବାକୁ ଦାବି କରିଛନ୍ତି। ଏ ସମ୍ପର୍କିତ ଦାବିପତ୍ର ଶ୍ରୀ ପଟ୍ଟନାୟକ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଦୀପ ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଓ ସମସ୍ତ ପରିଚାଳନା କମିଟି ସଦସ୍ୟଙ୍କୁ ପ୍ରଦାନ କରିଛନ୍ତି। ତେବେ ଆଜି ସୁଦର୍ଶନ ଦାବି କରିଛନ୍ତି ଯେ ସ୍ଥାନୀୟ ଲୋକଙ୍କ ପାଇଁ ତୁରନ୍ତ ଗୋଟିଏ ଦ୍ୱାର ଖୋଲାଯାଉ | ପରେ କମିଟି ନିଷ୍ପତ୍ତି ନେଇ ଅନ୍ୟ ଦ୍ୱାରା ଖୋଲିପାରେ |

ଯଦି ଗୋଟିଏ ବି ଦ୍ୱାର ନ ଖୋଲାଯାଏ ତେବେ କାଲିଠାରୁ ପଶ୍ଚିମ ଦ୍ଵାର ଆଗରେ ବସିବି | କୋଭିଡ ପରଠାରୁ ଶ୍ରୀମନ୍ଦିରର ଅନ୍ୟ ୩ ଦ୍ୱାର ବନ୍ଦ ରହିଛି | ଉଲ୍ଲେଖ ଥାଉ କି ଗତକାଲି ମଧ୍ୟ ସୁଦର୍ଶନ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଦାବି କରିଥିଲେ | ଶ୍ରୀ ପଟ୍ଟନାୟକ କହିଥିଲେ, ଗତବର୍ଷ ଅଗଷ୍ଟ ୮ ତାରିଖରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରିଥିଲା। ଏହି ଆଧାରରେ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବା ପାଇଁ ଅନୁରୋଧ କରିବା ଦରକାର। କାହିଁକି ଏହି ସମ୍ବେଦନଶୀଳ ପ୍ରସଙ୍ଗ ପରିଚାଳନା କମିଟିର ଦୃଷ୍ଟିଗୋଚର କରାଯାଇନି କି ପରିଚାଳନା କମିଟି ବୈଠକ ଏଜେଣ୍ଡାରେ ସ୍ଥାନ ପାଇନି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ ।

Spread the love