ପୁଲିସ ଓ ବିକ୍ଷୋଭକାରୀଙ୍କ ଲଢ଼େଇ ମଧ୍ୟରେ ଚାଲିଗଲା ୮ବର୍ଷୀୟ ଶିଶୁର ଜୀବନ

କିଛି ଦିନ ହେଲାଣି ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତରପ୍ରଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଯାହା ପାଇଁ ଅନେକ ବିକ୍ଷୋଭକାରୀଙ୍କ ଜୀବନ ଯାଇଥିବା ବେଳେ କିଛି ପୁଲିସକର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତେବେ ଏ ସବୁ ମଧ୍ୟ‌ରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପୁଲିସ ଓ ବିକ୍ଷୋଭକାରୀଙ୍କ ଲଢ଼େଇ ମଧ୍ୟରେ ବଳି ପଡ଼ି ଯାଇଛି ବାରଣାସୀର ୮ବର୍ଷୀୟ ଶିଶୁ ମହମ୍ମଦ ସଗ୍ଗୀରର ଜୀବନ।

ସାଙ୍ଗମାନଙ୍କ ସହ ହସ ଖୁସିରେ ଘର ବାହାରେ ଖେଳୁଥିଲା ସଗ୍ଗୀର। କିଛି ସମୟ ମଧ୍ୟରେ ତା’ ସହ ଯେଉଁ ଘଟଣା ଘଟିବାକୁ ଯାଉଥ‌ିଲା, ସେ ବିଷୟରେ ସଗ୍ଗୀର ଜାଣି ନଥିଲା। ସାଙ୍ଗମାନଙ୍କ ସହ ଓ ପରିବାର ସହ ତାହା ଥିଲା ସଗ୍ଗୀରର ଶେଷ ସମୟ। ଚାହୁଁ ଚାହୁଁ ତାଙ୍କ ଉପର ଦେଇ ଚାଲି ଯାଇଥିଲେ ବିକ୍ଷୋଭକାରୀ। ତଳେ ପଡ଼ି ଛଟ ପଟ ହେଉଥିଲା ସଗ୍ଗୀର। ହେଲେ କେହି ସାହାଯ୍ୟର ହାତ ବଢ଼ାଇ ନଥିଲେ। ଘଟଣା ବିଷୟରେ ପରିବାର ଲୋକେ ଜାଣି ସଗ୍ଗୀରକୁ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ତାହାର ମୃତ୍ୟୁ ଘଟିଥିଲା।

ସଗ୍ଗୀରର ବାପା ମହମ୍ମଦ ବକୀଲଙ୍କ କହିବା ମୁତାବକ, ବାରଣାସୀର ବଜରଡିହା ଅଞ୍ଚଳରେ ଥିବା ଧରାରା ରାସ୍ତାରେ ସଗ୍ଗୀର ନିଜ ସାଙ୍ଗମାନଙ୍କ ସହ ଖେଳୁଥିଲେ। ଏହି ସମୟରେ ପୁଲିସର ଲାଠି ମାଡ଼ରୁ ବଞ୍ଚିବା ପାଇଁ ଶହ ଶହ ବିକ୍ଷୋଭକାରୀ ଧରାରା ରାସ୍ତାକୁ ମାଡ଼ି ଆସିଥିଲେ। ଜୀବନ ବିକଳ‌ରେ ସେମାନେ ସଗ୍ଗୀର ଓ ତାଙ୍କ ସାଙ୍ଗମାନଙ୍କୁ ନ ଦେଖି ସେମାନଙ୍କ ଉପରେ ଚଢ଼ି ଯାଇଥିଲେ। ଯାହାଦ୍ବାରା ଶ୍ବାର ରୁଦ୍ଧ ହୋଇ ସଗ୍ଗୀର ଓ ତା’ର ଜଣେ ସାଙ୍ଗ ଅଚେତ ହେବା ପରେ ଆମେ ତାଙ୍କୁ ଡାକ୍ତରଖାନା ନେଇଥିଲୁ। ସଗ୍ଗୀରର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇ ସାରିଥିବା ବେଳେ ତା’ ସାଙ୍ଗ ଏବେ ମୃତ୍ୟୁ ସହ ଲଢ଼େଇ କରୁଛି।

Spread the love