ରେଳ ଷ୍ଟେସନ୍‌ରେ ଲାଗିଲା ମାଓ ବ୍ୟାନର, ଜୁଲାଇ ୨୮ରୁ ନକ୍ସଲ ପାଳିବେ ସହିଦ ସପ୍ତାହ

ମାଲକାନଗିରି: ରେଳ ଷ୍ଟେସନରେ ନକ୍ସଲ ବ୍ୟାନର ଲାଗିଛି। ନକ୍ସଲମାନେ ଆଗାମୀ ୨୮ ତାରିଖ ଠାରୁ ଅଗଷ୍ଟ ୩ ଯାଏଁ ସହିଦ ଦିବସ ପାଳନ କରିବାକୁ ଚେତାବନୀ ଦେଇଛନ୍ତି। ପଡ଼ୋଶୀ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲା ଭାନ୍‌ସୀ ରେଳ ଷ୍ଟେସନରେ ଏହି ବ୍ୟାନର ଝୁଲୁଛି। କୁହାଯାଉଛି ଯେ, ନକ୍ସଲମାନେ ସାଧାରଣ ବେଶରେ ରେଳଷ୍ଟେସନକୁ ପହଞ୍ଚିଥିଲେ। ରେଳ କର୍ମଚାରୀଙ୍କ ଉପସ୍ଥିତିରେ ସେମାନେ କାହାରିକୁ ଭୟ ନକରି ନକ୍ସଲ ବ୍ୟାନର ଲଗାଇଥିଲେ। ଏହା ପରେ ଜଙ୍ଗଲ ଭିତରକୁ ‌ପୁଣି ଫେରି ଯାଇଥିଲେ। ରେଳ‌ ଷ୍ଟେସନରେ ମୁତୟନ ଥିବା ଯବାନମାନେ ମାଓ ବ୍ୟାନରକୁ ହଟାଇ ଦେଇଛନ୍ତି।

ରେଳବାଇ ତରଫରୁ ଗଣମାଧ୍ୟମର ପ୍ରତିନିଧିଙ୍କୁ କୁହାଯାଇଛି ଯେ, ଶନିବାର ବିଳମ୍ବିତ ରାତିରେ ୫ରୁ ୬ ଜଣ ନକ୍ସଲ ଭାନ୍‌ସୀ ରେଳ ଷ୍ଟେସନକୁ ଆସିଥିଲେ। ସେମାନେ ଗ୍ରାମାଞ୍ଚଳର ଲୋକ ଭଳି ଦେଖାଯାଉଥିଲେ। ନକ୍ସଲମାନେ ଜଙ୍ଗଲ ଭିତରୁ ଆସିଥିବା ବେଳେ ରେଳ‌ ଷ୍ଟେସନରେ ବ୍ୟାନର ଲଗାଇ ପୁଣି ଫେରି ଯାଇଥିଲେ।

ନକ୍ସଲମାନେ ଏହି ବ୍ୟାନରରେ ଲେଖିଛନ୍ତି ଯେ, ଅମର ସହିଦଙ୍କ ଆଶା ପୂରା କରିବୁ। ପୁଂଜୀବାଦ, ସାମ୍ରାଜ୍ୟବାଦ, ସରକାରୀ ବାବୁଙ୍କୁ ବିରୋଧ କରାଯାଉଛି। ନକ୍ସଲମାନେ ପ୍ରତିବର୍ଷ ଜୁଲାଇ ୨୭ରୁ ଅଗଷ୍ଟ ୩ ଯାଏଁ ସହିଦ ସପ୍ତାହ ପାଳନ କରିଥାନ୍ତି। ଏହି ସମୟରେ ପୁଲିସର ଗୁଳିରେ ନିହତ ହୋଇଥିବା ସାଥୀ ଯବାନଙ୍କୁ ମନେ ପକାଯାଇଥାଏ।

ନକ୍ସଲଙ୍କ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଦନ୍ତେୱାଡାରୁ କିରନ୍ଦୁଲ ମଧ୍ୟରେ ଯାତ୍ରୀବାହୀ ଟ୍ରେନ୍‌ ବାତିଲ କରିଦିଆଯାଇଛି। କିରନ୍ଦୁଲରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚଳାଚଳ କରୁଥିବା ପାସେଞ୍ଜର ଓ ରାତ୍ରିକାଳୀନ ଏକ୍ସପ୍ରେସ ଟ୍ରେନ୍‌ ଏବେ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ କେବଳ ଦନ୍ତେୱାଡା ଷ୍ଟେସନ ପର୍ଯ୍ୟନ୍ତ ଯିବ। ଅର୍ଥାତ ଦନ୍ତେୱାଡାରୁ ଆଗକୁ କରିନ୍ଦୁଲ ଯାଏଁ ପାସେଞ୍ଜର ଓ ରାତ୍ରିକାଳୀନ ଏକ୍ସପ୍ରେସ୍‌ ଟ୍ରେନ୍‌ ଗଡ଼ିବ ନାହିଁ। ମାତ୍ର କିରନ୍ଦୁଲ-ବଚେଲୀରୁ ବିଶାଖାପାଟଣା ମଧ୍ୟରେ ମାଲଗାଡ଼ି ଚଳାଚଳ କରିବ।

Spread the love