ଅନ୍ତଃରାଜ୍ୟ ନିଯୁକ୍ତି ଠକେଇ ରାକେଟ୍‌ର ୯ ଦଲାଲ୍‌ ଗିରଫ; ୧୬ ଲକ୍ଷରେ ବିକୁଥିଲେ ସରକାରୀ ଚାକିରି

ବାଲେଶ୍ବର: ନିଯୁକ୍ତି ଆଶାୟୀଙ୍କୁ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଲୁଟୁଥିବା ଏକ ଅନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗ୍‌ର ୯ ଜଣ ଦଲାଲଙ୍କୁ ରବିବାର ବାଲେଶ୍ବର ଜିଲ୍ଲା ପୁଲିସ ଗିରଫ କରିଛି। ଆଜି ସିଜିଏଲ୍‌ (କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେବଲ୍‌) ପରୀକ୍ଷା ଥିବା ବେଳେ ଏହି ଦଲାଲ୍‌ ଗୋଷ୍ଠୀ ପ୍ରଶ୍ନପତ୍ର ଦିଆଯିବ ବୋଲି କହି ବିଭିନ୍ନ ରାଜ୍ୟର ପରୀକ୍ଷାର୍ଥୀଙ୍କୁ ଏକାଠି କରାଇ ବାଲେଶ୍ବର ଆଣିଥିଲେ। ତେବେ ତା’ ପୂର୍ବରୁ ପୁଲିସ ଅତର୍କିତ ଚଢ଼ାଉ କରି ସମସ୍ତଙ୍କୁ ଧରିଥିଲା। ଚଢ଼ାଉ ବେଳେ ଠକେଇରେ ବ୍ୟବହୃତ ଗୋଟିଏ ବସ୍‌, ୬ଟି ଚାରିଚକିଆ ଗାଡ଼ି, ୧୫ଟି ମୋବାଇଲ, ୩ଟି ବ୍ଲାଙ୍କ୍‌ ଚେକ୍, ନଗଦ ୨୨ ହଜାର ୫୦୦ ଟଙ୍କା ସହ କିଛି ନିଯୁକ୍ତି ଆଶାୟୀଙ୍କ ସାର୍ଟିଫିକେଟ୍‌ ଜବତ କରାଯାଇଥିବା ବାଲେଶ୍ଵର ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ଗିରଫ ଦଲାଲମାନେ ହେଉଛନ୍ତି ଖୋର୍ଦ୍ଧା ଅଞ୍ଚଳର ବିଶ୍ବରଞ୍ଜନ ମହାପାତ୍ର, ବିଶାଖାପାଟଣାର ମହମ୍ମଦ.କେ.ସିଦ୍ଦିକ୍‌, ଭୁବନେଶ୍ବର ସହର ଉପକଣ୍ଠ ଯଦୁପୁରର ସାଇନା ପରବିନ୍‌, ମୁସ୍ତାକ୍‌ ଅଲ୍ଲୀ ଖାନ୍‌ ଓ ଏମ୍‌ଡି କମରୁଦ୍ଦିନ୍‌, ବିହାରର ଅଜୟ କୁମାର, ରାଜକୁମାର, ଦୀପକ କୁମାର ଓ ଭୁବନେଶ୍ବରର ବିଜେନ୍ଦ୍ର କୁମାର।
ବିଶ୍ବରଞ୍ଜନ ହେଉଛି ଏହି ଗ୍ୟାଙ୍ଗ୍‌ର କିଙ୍ଗ୍‌ପିନ୍‌। ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ୟରୁ ଶତାଧିକ ନିଯୁକ୍ତି ଆଶାୟୀଙ୍କୁ ଟାର୍ଗେଟ୍‌ କରୁଥିଲେ ଏହି ଗ୍ୟାଙ୍ଗର ସଦସ୍ୟ। ବିଭିନ୍ନ ରାଜ୍ୟରେ କର୍ମଚାରୀ ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ତଥା କର୍ତ୍ତୃପକ୍ଷଙ୍କ ନିକଟ ସମ୍ପର୍କୀୟ ବ୍ୟକ୍ତି ଭାବେ ନିଜକୁ ପରିଚୟ ଦେଇ ଏମାନେ ପ୍ରଶ୍ନପତ୍ର ଓ ଚାକିରି ପିଛା ଆଶାୟୀଙ୍କଠାରୁ ୧୦ରୁ ୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିଲେ। ପରୀକ୍ଷାର୍ଥୀଙ୍କଠାରୁ ସମସ୍ତ ଶିକ୍ଷାଗତ ଅସଲି ପ୍ରମାଣପତ୍ର ଓ ସେମାନଙ୍କ ଦସ୍ତଖତରେ ଦୁଇଟି ବ୍ଲାଙ୍କ୍‌ ଚେକ୍‌ ହାତେଇବା ପରେ ଆରମ୍ଭ କରୁଥିଲେ ଖେଳ। ସଂଯୋଗକ୍ରମେ ବା ଦୈବାତ ଯଦି କେହି ନିଯୁକ୍ତି ଆଶାୟୀ ପରୀକ୍ଷାରେ ପାସ୍‌ କରୁଥିଲେ, ଏମାନେ ତାଙ୍କ ପାଖରୁ ଦାବି ମୁତାବକ ଅର୍ଥରାଶି ନେବା ପରେ ଯାଇ ଶିକ୍ଷାଗତ ପ୍ରମାଣପତ୍ର ଦେଉଥିଲେ। କହିବାକୁ ଗଲେ ବନ୍ଧାପଡ଼ିଥିବା ଶିକ୍ଷାଗତ ପ୍ରମାଣପତ୍ରକୁ ଢାଲ କରି ଏମାନେ ପିଲାମାନଙ୍କୁ ବ୍ଲାକ୍‌ମେଲିଂ କରିବା ସହ ଲୁଟୁଥିଲେ।

ଆଜି ରବିବାର କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେବଲ୍‌ ପରୀକ୍ଷା ଥିବା ବେଳେ ଏହି ଗ୍ୟାଙ୍ଗ୍‌ ଦିନକ ପୂର୍ବରୁ ପ୍ରଶ୍ନପତ୍ର ଦିଆଯିବ କହି ପାଖାପାଖି ୧୦୦ ଛାତ୍ରଛାତ୍ରୀଙ୍କୁ ଶନିବାର ବିଳମ୍ବିତ ରାତିରେ ଏକ ଘରୋଇ ବସ୍‌ ଓ ୨ଟି ଟୁରିଷ୍ଟ ଗାଡ଼ି ଯୋଗେ ଭୁବନେଶ୍ବରରୁ ବାଲେଶ୍ବର ଜିଲ୍ଲା ତାଳସାରୀ ଥାନା ଅଞ୍ଚଳକୁ ଆଣିଥିଲେ। ସେଠାରେ ଏକ ହୋଟେଲ୍‌ରେ ସମସ୍ତଙ୍କୁ ରଖି ଯୋଜନା ମୁତାବକ ପ୍ରଶ୍ନପତ୍ର ପାଇଁ ଡିଲ୍‌ ଆରମ୍ଭ କରିଥିଲେ। ତେବେ ଏ ସଂପର୍କରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ଏସ୍‌ପି ସାଗରିକା ନାଥ ଏକ ୨୦ ଜଣିଆ ପୁଲିସ ଟିମ୍‌ ଗଠନ କରିବା ସହ ତୁରନ୍ତ ଚଢଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବାଲେଶ୍ବର ସିଟି ଡିଏସ୍‌ପି ଗାୟତ୍ରୀ ପ୍ରଧାନ, ସହଦେବଖୁଣ୍ଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ଓ ସଦର ଥାନା ଆଇଆଇସି ଜୟନ୍ତ କୁମାର ପ୍ରଧାନଙ୍କ ନେତୃତ୍ବରେ ପୁଲିସ ଟିମ୍‌ ତାଳସାରୀ ଥାନା ଅଞ୍ଚଳରେ ଥିବା ଉକ୍ତ ହୋଟେଲ୍‌ ଓ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଚଢ଼ାଉ କରି ଦଲାଲମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏ​ହି ଘଟଣାରେ ସହଦେବଖୁଣ୍ଟା ଥାନାରେ ୩୦୩/୨୩ରେ ଏକ ମାମଲା ରୁଜୁ ହୋଇଛି। ମୁଖ୍ୟ ଅଭିଯୁକ୍ତ ବିଶ୍ବରଞ୍ଜନ ନାଁରେ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ, ନିରାକାରପୁର ଓ ଗଞ୍ଜାମର ଆସ୍କା ଥାନାରେ ଅପରାଧିକ ମାମଲା ରହିଛି ବୋଲି ଏସ୍‌ପି କହିଛନ୍ତି।

Spread the love