ରସିଦ୍ ନଦେଇ କୋରୀୟ ଯୁବକଙ୍କଠାରୁ ୫,୦୦୦ଟଙ୍କାର ଜରିମାନ ରଖିବା ମହଙ୍ଗା ପଡ଼ିଲା, ନିଲମ୍ବିତ ହେଲେ ଟ୍ରାଫିକ ପୁଲିସ

ନୂଆଦିଲ୍ଲୀ: ରସିଦ୍ ନଦେଇ କୋରୀୟ ଯୁବକଙ୍କଠାରୁ ୫,୦୦୦ଟଙ୍କାର ଜରିମାନ ରଖିବା ମହଙ୍ଗା ପଡ଼ିଲା। ନିଲମ୍ବିତ ହେଲେ ଟ୍ରାଫିକ ପୁଲିସ। ଦିଲ୍ଲୀରେ ଘଟିଛି ଏଭଳି ଘଟଣା। ଘଟଣାଟି କିଛି ମାସ ତଳେ ଘଟିଥିବା ବେଳେ ଏବେ ଏହାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ମହେଶ ଚାନ୍ଦ ନାମକ ଟ୍ରାଫିକ ପୁଲିସ ନିୟମ ଉଲଂଘନ ପାଇଁ କୋରୀୟ ଯୁବକଙ୍କ ପାଖକୁ ଆସୁଛନ୍ତି। ଯୁବକଜଣକ କାର ଭିତରେ ବସିଥିବା ବେଳେ ମହେଶ ଚାନ୍ଦ ଆସି ତାଙ୍କୁ ତୁମେ ଟ୍ରାଫିକ ନିୟମ ଉଲଂଘନ କରିଛ ବୋଲି କହୁଛନ୍ତି। ଏହା ପରେ ତାଙ୍କୁ ୫ହଜାର ଟଙ୍କା ଦେବାକୁ କହୁଛନ୍ତି। କୋରୀୟ ଯୁବକଜଣକ ୫ହଜାର ବଦଳରେ ମହେଶଙ୍କୁ ୫୦୦ଟଙ୍କା ଦେଉଥିବା ଭିଡିଓରେ ଦେଖାଯାଇଛି। ଏହା ପରେ ମହେଶ ତାଙ୍କୁ ବୁଝାଉଛନ୍ତି ଯେ, ୫୦୦ ନୁହେଁ ୫ହଜାର ଦିଅ। ପୁଲିସଙ୍କ କଥା ବୁଝିପାରି କୋରୀୟ ଯୁବକ ତାଙ୍କୁ ୫ହଜାର ଟଙ୍କା ଦେଇ ତାଙ୍କ ସହ ହାତ ମିଳାଉଛନ୍ତି।
ଘଟଣାଟି ପୁରୁଣା ହୋଇଥିଲେ ବି ଏବେ ଭିଡିଓ ଭାଇରାଲ ହେବାରୁ ମହେଶ ଚାନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ନିଲମ୍ବିତ ହେବା ପରେ ମହେଶ କହିଛନ୍ତି ଯେ, ମୁଁ ରସିଦ୍ ଦେବା ପୂର୍ବରୁ ହିଁ କୋରୀୟ ଯୁବକ ଚାଲିଯାଇଥିଲେ। ମୋର କୌଣସି ଭୁଲ ନାହିଁ।

Spread the love