ମହାରାଷ୍ଟ୍ର ଭୂସ୍ଖଳନ: ୭୮ଜଣ ନି‌ଖୋଜ୍ ଥିବା ସତ୍ତ୍ବେ ବନ୍ଦ ହେଲା ଉଦ୍ଧାରକାର୍ଯ୍ୟ

ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଇର୍ଶାଲୱାଡ଼ି ଗାଁରେ ଘଟିଥିବା ଭୂସ୍ଖଳନରେ ରବିବାର ସୁଦ୍ଧା ମୃତ୍ୟୁସଂଖ୍ୟା ୨୭ରେ ପହଞ୍ଚିଛି। ଏବେ ବି ୭୮ଜଣ ନିଖାଜ ଥିବା କଥା କୁହାଯାଉଥିବା ବେଳେ ଭୂସ୍ଖଳନର ୪ଦିନ ପରେ ବନ୍ଦ ହୋଇଛି ଉଦ୍ଧାରକାର୍ଯ୍ୟ। ରବିବାର ଦିନ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରିଥିବା ଜଣାପଡ଼ିଛି।
ଉଦ୍ଧାର କାର୍ଯ୍ୟରେ ନିଯୋଜିତ ଥିବା ଅଧିକାରୀ, ରାଜ୍ୟ ସରକାର ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଅଧିକାରୀଙ୍କ ଅନୁଯାୟୀ ଶନିବାର ଦିନ ଉଦ୍ଧାର ହୋଇଥିବା ଶେଷ ମୃତଦେହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ନିଖୋଜ ଥିବା ୭୮ଜଣକର ଶରୀର ମଧ୍ୟ ଷଢ଼ି ଯାଇଥିବା ଆଶଙ୍କା କରାଯାଉଛି, ଯେଉଁ କାରଣରୁ ସେମାନଙ୍କ ପତ୍ତା ମିଳିପାରୁନାହିଁ।

ଉଲ୍ଲେଖଯୋଗ୍ୟ, ମୁମ୍ବାଇଠାରୁ ୮୦ କିମି ଦୂର ଖାଲପୁର ତହସିଲ ଅଧୀନରେ ଏକ ପାହାଡ଼ର ଗଡ଼ା (ସ୍ଲୋପ୍)ରେ ଗାଁଟି ଅବସ୍ଥିତ, ଯେଉଁଠି ବୁଧବାର ରାତିରେ ଭୂସ୍ଖଳନ ଘଟିଥିଲା। ଗୁରୁବାର ସଂଧ୍ୟା ସୁଦ୍ଧା ମୃତ୍ୟୁସଂଖ୍ୟା ୧୬ ଥିବା ବେଳେ ଶନିବାର ତାହା ୨୭କୁ ବୃଦ୍ଧି ପାଇଥିଲା। ମୃତକଙ୍କ ମଧ୍ୟରେ ୯ ଜଣ ପୁରୁଷ, ୪ ଜଣ ପିଲା ଓ ଅବଶିଷ୍ଟ ମହିଳା ଅଛନ୍ତି। ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏହି ବିପର୍ଯ୍ୟୟରେ ପ୍ରାଣ ହରାଇଛନ୍ତି। ଉକ୍ତ ପାହାଡ଼ି ଗଡ଼ାରେ ଅବସ୍ଥିତ ୪୮ଟି ଘର ମଧ୍ୟରୁ ୧୭ଟି ଘର ଭୂସ୍ଖଳନରେ ସମ୍ପୂର୍ଣ୍ଣ ବା ଆଂଶିକ ପୋତି ହୋଇପଡ଼ିଛି। ରାୟଗଡ଼ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟର ସୂଚନା ଅନୁସାରେ ଗାଁର ୨୨୯ ସଦସ୍ୟଙ୍କ ମଧ୍ୟରୁ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।

Spread the love