୨୫ ତାରିଖରୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ତତ-ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ବାୟୁମଣ୍ଡଳରେ ସମୁଦ୍ରପତ୍ତନଠାରୁ ୫.୮ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ବିଭାଗ କହିଛି |ଏହା ପ୍ରଭାବ‌ରେ ରାଜ୍ୟରେ ୨୫ ତାରିଖରୁ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ। ଅନ୍ୟପଟେ ମୌସୁମୀ ସ୍ୱାଭାବିକ ସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୬.୪ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୭.୯ ମିମି ତୁଳନାରେ ୧୯ ପ୍ରତିଶତ କମ ରହିଛି | ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୨୨୭.୫ ମିମି ସହ ୩୫% ନିଅଣ୍ଟିଆ ରେକର୍ଡ ହୋଇଛି |ଚଳିତ ମୌସୁମୀ ଋତୁରେ, ୧ ଜୁନ ରୁ ଆଜି ୨୪ ଜୁଲାଇ ସୁଦ୍ଧା ରାଜ୍ୟରେ ୪୦୭.୯ ମିମି ବର୍ଷା ରେକର୍ଡ କରାଯାଇଛି |

ଯାହା ସ୍ଵାଭାଵିକ ବର୍ଷା ୪୬୬.୭ ମିମି ତୁଳନାରେ ୧୩ ପ୍ରତିଶତ କମ ରହିଛି | ଏହି ଅବଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୯୬.୮ ମିମି ସହ ୪୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି |ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆ‌ସନ୍ତା ୨୫ ତାରିଖ ଦିନ କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିସହ ସୁବର୍ଣ୍ଣପୁର, ବୌଦ୍ଧ, କଟକ, ଖୋର୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲା ପାଇଁ ୟେ‌ଲୋୱାର୍ଣ୍ଣିଂ ଜାରି କରାଯାଇଛି। ୨୬ ଓ ୨୭ରେ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Spread the love