ଓଲିଉଡ ନାୟିକା ଆଣିଲେ ସଙ୍ଗୀନ ଅଭିଯୋଗ: ପ୍ରଲୋଭନ ଦେଇ ପୁରୁଷବନ୍ଧୁ ରଖିଲେ ଶାରୀରିକ ସମ୍ପର୍କ

ଭୁବନେଶ୍ବର: ଓଲିଉଡର ଜଣେ ଜଣାଶୁଣା ନାୟିକାଙ୍କୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ଖବର। ସେ ତାଙ୍କ ପୁରୁଷବନ୍ଧୁଙ୍କ ଦ୍ବାରା ଯୌନନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି। ନାୟିକା ଜଣକ ଥାନାରେ ଏଫଆଇଆର ଦାଖଲ କରି ପୁରୁଷବନ୍ଧୁ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା କହିଛନ୍ତି । ସୂଚନା ଅନୁସାରେ, ୨୦୧୯ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା।  ପୁରୁଷ ବନ୍ଧୁ ଜଣେ ପ୍ରଯୋଜକ ଓ ନିର୍ଦ୍ଦେଶକ ବୋଲି ଜଣାପଡ଼ିଛି। ସେ କିଛି ବର୍ଷ ତଳେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟସ୍ତରର ପୁରସ୍କାର ଲାଭ କରିଥିଲେ।

ସୂଚନା ଅନୁଯାୟୀ, ପ୍ରଥମେ  ୨୦୨୧ରେ ଆସିଥିବା ଏହି ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନାରେ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ପୁଣିଥରେ ଠକେଇ, ନିର୍ଯାତନା ଓ ଭିଡିଓ ଭାଇରାଲ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଛି। ଫିଲ୍ମ ଓ ବଡ଼ ବଡ଼ ପ୍ରଡକ୍ସନ ହାଉସରେ କାମ ଦେବାର ପ୍ର‌ଲୋଭନ ଦେଇ ପୁରୁଷ ବନ୍ଧୁ ନାୟିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ବି ଅଭିଯୋଗ ହୋଇଛି। ଆଉ ଏହି ଅନ୍ତରଙ୍ଗ ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରି ପୁରୁଷ ବନ୍ଧୁ ବ୍ଲାକମେଲ୍ କରୁଥିବା ମଧ୍ୟ ଜଣାପଡ଼ିଛି। ନାୟିକାଙ୍କ ଅଭିଯୋଗ ପରେ ସିଆରପିସିର ୨୬୮, ୨୯୪, ୩୪୯, ୩୫୦ , ୩୫୪ , ୩୫୪ ଏ , ୩୫୪ ସି, ୩୮୩, ୪୨୦, ୪୬୮, ୪୯୯, ୫୦୩ , ୫୦୬ ଦଫାରେ ମାମଲା ରୁଜୁ ହୋଇଛି। ଏହାଛଡ଼ା ଆଇଟି ଆକ୍ଟ ୨୦୦୦ ର ୬୬ ଏ, ୬୬ ଇ, ୬୭, ୬୭ ଏରେ ମଧ୍ୟ ମାମଲା ରୁଜୁ ହୋଇଛି। ତେବେ ଏନେଇ ଅଧିକ ତଥ୍ୟ ହାସଲ ଲାଗି ନାୟିକା ଓ ପୁରୁଷବନ୍ଧୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ବି କୌଣସି ଉତ୍ତର ମିଳିନାହିଁ। ୨୦୧୫ରେ ଓଡ଼ିଆ ଛବିରୁ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ଅଭିଯୋଗକାରିଣୀ। ଏହାପରେ ସେ ବହୁ ନାମୀଦାମୀ ବ୍ୟାନରରେ ସଫଳ ନାୟକମାନଙ୍କ ସହ ଅଭିନୟ କରି ବେଶ୍ ସଫଳତା ହାସଲ କରିଥିଲେ।

Spread the love