ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ‘ପ୍ରୋତ୍ସାହନ ରାଶି’ ଏକ ଧୂଆଁ ବାଣ ଓ ପ୍ରହସନ ସଦୃଶ: ରାଜେନ୍ଦ୍ର ପଣ୍ଡା

ଭୁବନେଶ୍ୱର, ତା.୨୬/୦୭: ବହୁ ତୁମ୍ଭିତୋଫାନ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଜୁନ୍ ୧୬ ତାରିଖରୁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟାଦେଶ ସହିତ ୪୦ହଜାର ଟଙ୍କା ଦେଇଛନ୍ତି ଏବଂ ଅବଶିଷ୍ଟ ରାଶି ଦୁଇଟି କିସ୍ତିରେ ଗୃହକାର୍ଯ୍ୟର ଅଗ୍ରଗତି ନେଇ ପ୍ରଦାନ କରାଯିବ ନିଷ୍ପତି ନେଇଛନ୍ତି । ଯେଉଁ ହିତାଧିକାରୀମାନେ ଜୁନ୍ ୧୬ରୁ ଅକ୍ଟୋବର ଅର୍ଥାତ୍ ୪ମାସ ସମୟ ସୀମା ଭିତରେ ଗୃହକାର୍ଯ୍ୟକୁ ସମାପ୍ତ କରିବେ ତାଙ୍କୁ ୨୦ହଜାର ଟଙ୍କାର ପ୍ରୋତ୍ସାହନ ରାଶୀ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ରାଜ୍ୟ ସରକାର ବର୍ଷାଦିନେ ହିତାଧିକାରୀମାନଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ କିପରି ପ୍ରଦାନ କରିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କୋଠା, ପୋଲ ଏବଂ ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ବର୍ଷା ଦିନ ପାଇଁ ଶୀଥିଳ ପଡିଯାଇଛି । ଏ କ୍ଷେତ୍ରରେ ବର୍ଷାଦିନେ ହିତାଧିକାରୀମାନେ ଗୃହକାର୍ଯ୍ୟ କରିବା ଅତ୍ୟନ୍ତ କଷ୍ଟଦାୟକ ବ୍ୟାପାର । ବର୍ଷା ଦିନେ ଗୃହ ନିର୍ମାଣ ସାମଗ୍ରୀ ବାଲି ହେଉ କି ଗୋଡି ଚଢ଼ାଦରରେ ମିଳେ ଏବଂ ହିତାଧିକାରୀ ଘର ପାଖକୁ ମଧ୍ୟ ଗୃହନିର୍ମାଣ ସାମଗ୍ରୀ ସହଜରେ ପହଂଁଚିପାରେ ନାହିଁ, ଫଳରେ ଘର ନିକଟକୁ ଗୃହସାମଗ୍ରୀ ନେବା ପାଇଁ ତାଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡେ । ବର୍ଷାଦିନେ ଗାଁ ଗହଳିରେ ହିତାଧିକାରୀ ବା ସମସ୍ତ ଲୋକେ ଚାଷବାସରେ ବ୍ୟସ୍ତ ରୁହନ୍ତି, ଫଳରେ ଗୃହ କାର୍ଯ୍ୟ କରିବା ପାଇଁ ଶ୍ରମିକଟିଏ ମିଳିବା କଷ୍ଟକର । ଯେଉଁ ଶ୍ରମିକ ମିଳନ୍ତି ସେମାନେ ଅଧିକ ଅର୍ଥ ଦାବି କରନ୍ତି । ଯେଉଁଥି ପାଇଁ ଏସମୟରେ ହିତାଧିକାରୀମାନେ ଗୃହକାର୍ଯ୍ୟ ଆରମ୍ଭ ପାଇଁ ପଛଘୂଂଚା ଦେଉଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଓଡ଼ିଶାରେ ପରମ୍ପରା ଓ ବିଶ୍ୱାସ ରହିଛି ଯେ, ମଳମାସରେ କୌଣସି ଶୁଭକାମ କରାଯାଏ ନାହିଁ । ଯେଉଁଥିପାଇଁ ହିତାଧିକାରୀମାନେ ଗୃହକାର୍ଯ୍ୟ ଆରମ୍ଭ ନକରିବା ଅନ୍ୟ ଏକ କାରଣ । ଏହି ୪ମାସ ଅବଧି ମଧ୍ୟରେ ହିତାଧିକାରୀମାନେ ଗୃହକାର୍ଯ୍ୟ ସମାପ୍ତ କରିବା ଅସମ୍ଭବ । ରାଜ୍ୟ ସରକାର ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବାରେ କେତେ ଆନ୍ତରିକତା ରହିଛି ଏଥିରୁ ସ୍ପଷ୍ଟ ପ୍ରମାଣିତ । ଲୋକସଭା ଭବନରେ ବଡ ବଡ ଅଫିସରମାନଙ୍କ ସର୍ବନିମ୍ନ ଜ୍ଞାନର ଅଭାବରୁ ଏହି ୪ମାସର ଅବଧି ନିଷ୍ପତି ପାଇଁ ହିତାଧିକାରୀଟିଏ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ରାଶି ପାଇବାରୁ ବଂଚିତ ହେବାକୁ ଯାଉଛି । ରାଜ୍ୟ ସରକାର ନିର୍ବାଚନକୁ ଆଖି ଆଗରେ ରଖି ଏହି ପ୍ରୋତ୍ସହନ ରାଶି ଘୋଷଣା କରିଛନ୍ତି । ଏହି ଅବଧି ଭିତରେ ପ୍ରତ୍ସୋହନ ରାଶି ପ୍ରଦାନ ହିତାଧିକାରୀଙ୍କ ପାଇଁ ଧୂଆଁବାଣ ଓ ପ୍ରହସନ ସଦୃଶ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଯଦି ହିତାଧିକାରୀମାନଙ୍କୁ ପ୍ରକୃତରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ଆନ୍ତରିକତା ଥାଏ, ତାହାଲେ ଅକ୍ଟୋବର ୨୦୨୩ ପରିବର୍ତେ ଆଉ ୭ ମାସ ସମୟସୀମା ଅର୍ଥାତ୍ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ହିତାଧିକାରୀମାନଙ୍କୁ ଗୃହକାର୍ଯ୍ୟ ସମାପ୍ତ କରିବା ପାଇଁ ସମୟ ଧାର୍ଯ୍ୟ କରି ସେମାନଙ୍କୁ ପ୍ରକୃତ ପ୍ରତ୍ସୋହନ ରାଶି ପ୍ରଦାନ କରିବା ପାଇଁ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Spread the love