୨୧ ବର୍ଷ ପରେ ଉମା ବିଷୋୟୀ ହତ୍ୟା ମାମଲା‌ର ରାୟ; ପୂର୍ବତନ ଆସିକା ନଗରପାଳଙ୍କୁ ଆଜୀବନ ଜେଲ୍

ଯୋଜନାମୁତାବକ ୨୦୦୨ ମସିହା ଜୁଲାଇ ୨୬ ତାରିଖରେ ଉମାଙ୍କୁ ଅଭିଯୁକ୍ତ ସୂର୍ଯ୍ୟ ତାଙ୍କୁ ଘରୁ ଡାକି ନେଇଥିଲେ। ସହର ଉପକଣ୍ଠ ଚାରିମଇଲି ଛକ ଗଡ଼ଗଡ଼ିଆ ପାହାଡ଼ ତଳେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏ ନେଇ ଉମାଙ୍କ ପତ୍ନୀ ରୁନୁ ବିଷୋୟୀ ଆସିକା ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସୂର୍ଯ୍ୟଙ୍କ ସମେତ ସୁଦର୍ଶନ ପରିଡ଼ା, ଅମୂଲ୍ୟ ପଣ୍ଡା, ଗଙ୍ଗାଧର ପ୍ରଧାନ, କୈଳାସ ରାଉତ ଓ ସନ୍ତୋଷ ଗୌଡ଼ ଏଭଳି ଭାବେ ମୋଟ ୬ ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା।

ସମସ୍ତ ଅଭିଯୁକ୍ତ ଗିରଫ ହେବା ପରେ ଆସିକା ଫା‌ଷ୍ଟଟ୍ରାକ୍ କୋର୍ଟରେ ମାମଲାର ବିଚାରଣା ଆରମ୍ଭ ହୋଇଥିଲା। ପରେ ତାହା ଆସିକା ଏଡିଜେ କୋର୍ଟକୁ ସ୍ଥାନାନ୍ତର ହୋଇ ବିଚାରଣା ଜାରି ରହିଥିଲା। ତେବେ ଏହା ମଧ୍ୟରେ ଅଭିଯୁକ୍ତ ସୁଦର୍ଶନ ପରିଡ଼ାଙ୍କୁ ଗତ କିଛି ବର୍ଷ ତଳେ ହତ୍ୟା କରା ଯାଇଥିବା ବେଳେ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କ ବିଚାରଣା ଚାଲିଥିଲା। ଘଟଣାର ଠିକ୍ ୨୧ ବର୍ଷ ପରେ ଆଜି ଏହାର ଚୂଡ଼ାନ୍ତ ରାୟ ଆସିଛି। ଚାରିଜଣ ତତ୍କାଳୀନ ତଦନ୍ତକାରୀ ଅଧିକାରୀଙ୍କ ସମେତ ମୋଟ ୩୨ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ବିଚାରରେ ନେଇ ବିଚାରପତି ଅଭିଯୁକ୍ତ ସୂର୍ଯ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଅନ୍ୟ ୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। କଡ଼ା ସୁରକ୍ଷା ବଳୟରେ ସମସ୍ତ ପାଞ୍ଚଜଣ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସୁଧାଂଶୁ ପଣ୍ଡା ଓ ଜି.ସୂର୍ଯ୍ୟପ୍ରକାଶ ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଶରତେନ୍ଦୁ ପଣ୍ଡା, ଛବିଳରାମ ମିଶ୍ର ଓ ପି.ରବୀନ୍ଦ୍ର ପାତ୍ର ମକଦ୍ଦମା ପରିଚାଳନା କରିଥିଲେ।

Spread the love