କେୱାଇସି ଅପଡେଟ୍ ନାଁରେ ଠକେଇ; ନିରୀହ ଗ୍ରାମବାସୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟ୍

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ କେୱାଇସି ଅପଡେଟ୍ କରିବା ନାମରେ ଏକାଧିକ ଗ୍ରାମବାସୀଙ୍କ ଠାରୁ ୨ ଦିନ ମଧ୍ୟରେ ଲକ୍ଷାଧିକ ଟଙ୍କାର ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି। ଏନେଇ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବୈଶିଙ୍ଗା ଥାନା ଅଧୀନ ନୟାବସନ୍ତପୁର ଗ୍ରାମରେ ଗତ ୧୭ ଓ ୧୮ ତାରିଖ ଦିନ ଜଣେ ମହିଳାଙ୍କ ସହିତ ଜଣେ ପୁରୁଷ ଆସି ପହଞ୍ଚିଥିଲେ। ସେମାନେ ନିଜକୁ ବାରିପଦାସ୍ଥିତ କୃଷି ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ପରେ ସେମାନେ ସରଳ ଗ୍ରାମବାସୀଙ୍କୁ ସରକାରଙ୍କ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଟଙ୍କା ପାଇବା ପାଇଁ ଇ-କେୱାଇସି ଅପଡେଟ କରିବାକୁ ଆସିଛନ୍ତି ବୋଲି କହିଥିଲେ। ଏନେଇ ସେମାନେ ଗ୍ରାମବାସୀଙ୍କ ଠାରୁ ଆଧାର କାର୍ଡ ସମେତ ବ୍ୟାଙ୍କ ପାସବୁକ ମଧ୍ୟ ନେଇଥିଲେ ଓ ଏକ ବ୍ୟାୟମ୍ୟାଟ୍ରିକ ଫିଙ୍ଗର ପ୍ରିଣ୍ଟ ମେସିନରେ ସେମାନଙ୍କର ଟିପ ନେଇଯାଇଥିଲେ। ଏହା ସହିତ ଏନେଇ ଗ୍ରାମବାସୀଙ୍କ ଠାରୁ ୧୦୦ ଟଙ୍କା ଲେଖାଏଁ ମଧ୍ୟ ଆଦାୟ କରିଥିଲେ।

ଉକ୍ତ ଗ୍ରାମରେ ପ୍ରାୟତଃ ଆଦିବାସୀ ଲୋକ ବସବାସ କରୁଥିବାରୁ ଏବଂ ପୂର୍ବରୁ ସେମାନଙ୍କର ପ୍ରଧାନ ମନ୍ତ୍ରୀ କିଷାନ ଯୋଜନା କାଗଜପତ୍ରରେ ବ୍ୟାପକ ତ୍ରୁଟି ଥିବାରୁ ସେମାନେ କିଛି ନବୁଝିସୁଝି ଉକ୍ତ ଠକ ମାନଙ୍କ ହାବୁଡ଼ରେ ପଡିଯାଇଥିଲେ। ଏହିଭଳି ୨ ଦିନ ଧରି ସେମାନେ ଇ-କେୱାଇସି ବାହାନାରେ ଶତାଧିକ ଲୋକଙ୍କ ଏକାଉଣ୍ଟକୁ ହ୍ୟାକ କରି ଲକ୍ଷାଧିକ ଟଙ୍କା ନିଜ ଏକାଉଣ୍ଟକୁ ଟ୍ରାନ୍ସଫର କରିନେଇଥିଲେ। ଗତ ୧୮ ତାରିଖ ଦିନ ଏହିଭଳି ଠକେଇର ଶିକାର ହୋଇଥିଲେ ନୟାବସନ୍ତପୁର ଗ୍ରାମର ସ୍ବର୍ଗତ ଗୁରଭା ସୋରେନର ସ୍ତ୍ରୀ ସୋନା। ତାଙ୍କ ଅଭିଯୋଗ ମୁତାବକ ୧୭ତାରିଖ ଦିନ ସବୁ ଡକ୍ୟୁମେଣ୍ଟ ଦେଇସାରିଥିବାବେଳେ ହଠାତ୍‌ ତାଙ୍କ ଯୁଗପୁରାସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଏକାଉଣ୍ଟରୁ ୩୦୭୫ ଟଙ୍କା କଟିଯାଇଥିବାର ମେସଜ ତାଙ୍କ ମୋବାଇଲକୁ ଆସିଥିଲା।

ଏନେଇ ସୋନା ଠକମାନେ ଦେଇଥିବା ମୋବାଇଲ ନମ୍ବରରେ କଲ କରିଥିଲେ ବି ସେମାନେ ଫୋନ ଉଠାଇ ନଥିଲେ। ପରେ ଜାଣିବାକୁ ପାଇଥିଲେ କି ଏହିଭଳି ଏକାଧିକ ଗ୍ରାମବାସୀଙ୍କ ଏକାଉଣ୍ଟରୁ ଟଙ୍କା କଟିଯାଇଛି। ସୋନାଙ୍କୁ ସନ୍ଦେହ ହେବାରୁ ସେ ଗ୍ରାମବାସୀଙ୍କ ସହିତ ଠକ ମହିଳା ଓ ପୁରୁଷକୁ ଖୋଜାଖୋଜି ଆରମ୍ଭ କରିଦେଇଥିଲେ ଏବଂ ଜାଣିବାକୁ ପାଇଥିଲେ କି ସ୍ଥାନୀୟ ବଡାମପୁର ଛକ ନିକଟରେ ସେମାନଙ୍କର ‘ଓମ କମ୍ୟୁନିକେସନ’ ନାମରେ ଏକ ଅନଲାଇନ ସେବାକେନ୍ଦ୍ର ଅଛି। ପରେ ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କଠାରୁ ଜାଣିବାକୁ ପାଇଥିଲେ କି ପୁରୁଷ ଜଣଙ୍କ ହେଲେ ସେହି ଅଞ୍ଚଳର ବିଶ୍ୱନାଥ ତ୍ରିପାଠୀଙ୍କ ପୁଅ ଇନ୍ଦ୍ରଭୂଷଣ ଓ ତାଙ୍କ ମହିଳା ବନ୍ଧୁ ରାସଗୋବିନ୍ଦପୁର ଅଞ୍ଚଳର ଶାନ୍ତିପ୍ରିୟା ଦାସ। ହେଲେ ଗ୍ରାମବାସୀ ପହଞ୍ଚିବା ପୂର୍ବରୁ ସେମାନେ ସେଠାରୁ ଚମ୍ପଟ ମାରିଥିଲେ। ପରେ ବାଧ୍ୟ ହୋଇ ସୋନା ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏତଲା ପାଇବା ପରେ ବୈଶିଙ୍ଗା ଥାନା ଏକ ଠକେଇ ଓ ଆଇଟି ଆକ୍ଟରେ ମାମଲା ରୁଜୁ କରି ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଏକ ଟିମ ସହିତ ତତକ୍ଷଣାତ ଇନ୍ଦ୍ରଭୂଷଣ ଓ ଶାନ୍ତିପ୍ରିୟାଙ୍କ ଘରେ ଚଢ଼ଉ କରିଥିଲେ। ହେଲେ ଇନ୍ଦ୍ରଭୂଷଣ ଜାଣିଶୁଣି ଫେରାର ହୋଇଯାଇଥିବା ସ୍ଥଳେ ସନ୍ଧ୍ୟାରେ ଶାନ୍ତିପ୍ରିୟାକୁ ଥାନାରେ ଅଟକ ରଖି ପଚରାଉଚରା ଆରମ୍ଭ କରିଛନ୍ତି। ଚଢ଼ଉ ସମୟରେ ଉକ୍ତ ଠକେଇରେ ବ୍ୟବହୃତ ଲ୍ୟାପଟପ ଓ ଫିଙ୍ଗରପ୍ରିଣ୍ଟ ବାୟମ୍ୟାଟ୍ରିକ ମେସିନ ସମେତ ଏକାଧିକ ଜରୁରୀ ଦାସ୍ତାବେଜ ମଧ୍ୟ ଜବତ କରିଛି ପୁଲିସ। ଏହି ୨ ଠକ ବୈଶିଙ୍ଗା ଅଞ୍ଚଳ ଭଳି ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହିଭଳି ଠକେଇ କରିଛନ୍ତି ବୋଲି ଖବର ମିଳିଛି।

Spread the love