୩ରେ ଜ୍ଞାନବାପି ସର୍ଭେ ରାୟ, ସେପର୍ଯ୍ୟନ୍ତ ଜାରି ରହିବ ସର୍ଭେ ଉପରେ କଟକଣା
ବାରାଣାସୀ: ଆସନ୍ତା ଅଗଷ୍ଟ ୩ ପର୍ଯ୍ୟନ୍ତ ଜାରି ରହିବ ବାରାଣାସୀର ଜ୍ଞାନବାପି ମସଜିଦ ପରିସରରେ ବୈଜ୍ଞାନିକ ସର୍ଭେ ଉପରେ ଲାଗୁ କଟକଣା । ଅଗଷ୍ଟ ୩ ତାରିଖରେ ଆହ୍ଲାବାଦ ହାଇକୋର୍ଟ ଏହି ରାୟ ଶୁଣାଇବେ । ଗୁରୁବାର କ୍ରମାଗତ ୩ୟ ଦିନ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରୀତିନକର ଦିବାକରଙ୍କ କୋର୍ଟରେ ଅପରାହ୍ନ ୩ଟା ୧୫ରେ ଶୁଣାଣି ଆରମ୍ଭ ହୋଇଥିଲା। ଜଷ୍ଟିସ ଦିବାକର ଉଭୟ ପକ୍ଷର ଓକିଲଙ୍କୁ ଯୁକ୍ତି ଉପସ୍ଥାପନ କରିବାକୁ କହିଥିଲେ । ଶୁଣାଣି ପରେ ପ୍ରଧାନ ବିଚାରପତି ପ୍ରୀତିଙ୍କର ଦିବାକରଙ୍କ ଅଧ୍ୟକ୍ଷତାରେ ଗଠିତ ଜଣିକିଆ ଖଣ୍ଡପୀଠ ନିଜର ରାୟକୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସୁରକ୍ଷିତ ରଖିଥିଲେ ।
ମସଜିଦ ପରିସରର ଏଏସଆଇ ସର୍ଭେ ପାଇଁ ବାରଣାସୀ ଜିଲ୍ଲା ଅଦାଲତ ଜୁଲାଇ ୨୧ ରେ ଆଦେଶ ଦେଇଥିଲେ । ଏହି ରାୟ ୪ ଜଣ ହିନ୍ଦୁ ମହିଳାଙ୍କ ଦ୍ବାରା ଆଗତ ପିଟିସନର ଶୁଣାଣି କରିବା ପରେ କୋର୍ଟ ଦେଇଥିଲେ । ଏହା ବିରୋଧରେ ଅଞ୍ଜୁମାନ ମସଜିଦ୍ କମିଟି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଏହି ସର୍ଭେ ଉପରେ ୨ ଦିନିଆ ସ୍ଥଗିତାଦେଶ ଲଗାଇବା ସହ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟରେ ଆବେଦନ କରିବାକୁ କମିଟିକୁ କହିଥିଲେ ।