ବୁଲିବୁଲି ଭାଙ୍ଗିଲେ ବେଆଇନ ସଂଯୋଗ: ଆପାର୍ଟମେଣ୍ଟର ମଳ ପାଣିରେ କଷ୍ଟ ପାଉଛନ୍ତି ଲୋକେ

ଖଣ୍ଡଗିରି: ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ତମାଣ୍ଡୋ ବଜାର ଦୁର୍ଗନ୍ଧରେ ଫାଟି ପଡ଼ୁଥିଲା। ପ୍ରାୟ ୮ ମାସରୁ ଊର୍ଧ୍ବ ସମୟ ହେଲା ମଳ ପାଣି ଭାସୁଥିଲା। ସ୍ଥିତି ଏଭଳି ଥିଲା ଯେ ନିକଟସ୍ଥ ସ୍କୁଲ ବିଦ୍ୟାର୍ଥୀଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ସେହି ମଳ ପାଣି ଦେଇ ଯିବା ପାଇଁ ବାଧ୍ୟ ହେଉଥିଲେ। ଏହାକୁ ନେଇ ତମାଣ୍ଡୋ ଥାନା, ବିଏମସି ଓ ଏନଏଚଏଆଇର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ଲାଭ ହେଉନଥିଲା। ତେଣୁ ଶେଷରେ ଶନିବାର ଉତ୍ୟକ୍ତ ଜନସାଧାରଣ ତମାଣ୍ଡୋ ସରପଞ୍ଚ ସଂଧ୍ୟାରାଣୀ ଜେନାଙ୍କ ନେତୃତ୍ବରେ ବଜାର କମିଟି,ଏସଏଚଜି, ଓ୍ବାର୍ଡ ସଦସ୍ୟମାନେ ତମାଣ୍ଡୋ ଅଟୋ ଷ୍ଟାଣ୍ଡ, ହାଇସ୍କୁଲ ଫାଟକ, ହେମାବତି ଆପାର୍ଟମେଣ୍ଟ, ହାଇସ୍କୁଲ ପାଣିଟାଙ୍କି ପାଖ ସମେତ ପ୍ରାୟ ୬ଟି ସ୍ଥାନ ଦେଇ ଯାଇଥିବା ମଳ ପାଣି ନିଷ୍କାସିତ କରୁଥିବା ପାଇପକୁ ଭାଙ୍ଗି ଦେଇଥିଲେ। ଏଭଳି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ମଧ୍ୟ ଏଭଳି ବେଆଇନ ପାଇପଗୁଡ଼ିକୁ ଭଙ୍ଗାଯିବ ବୋଲି କୁହାଯାଇଥିଲା।

ବିଲଡର୍ସଙ୍କ ମୁନାଫାଖୋର ସ୍ଥାନୀୟ ଅଧିବାସୀଙ୍କ ପାଇଁ କାଳ ହେଉଛି। ଏଠାରେ ନିର୍ମାଣ କରାଯାଉଥିବା ଆପାର୍ଟମେଣ୍ଟର ଫ୍ଲାଟ ଏବଂ କଲୋନି ଘରଗୁଡ଼ିକ କୋଟି-କୋଟି ଟଙ୍କାରେ ବିକ୍ରି କରି ଠିକା ସଂସ୍ଥାମାନେ ଲାଭ ଉଠାଉଛନ୍ତି କିନ୍ତୁ ଆବର୍ଜନା ପାଣି ପରିଚାଳନା ପାଇଁ କୌଣସି ବ୍ୟବସ୍ଥା କରୁ ନାହାନ୍ତି। ଉଦାହରଣ ସ୍ବରୂପ ଭାବରେ ତମାଣ୍ଡୋରେ ସ୍ଥିତ ଆପାର୍ଟମେଣ୍ଟରେ ଯେତେ ସଂଖ୍ୟକ ଲୋକ ରହୁଛନ୍ତି ସେହି ଅନୁଯାୟୀ ଆବର୍ଜନା ପାଣି ପରିଚାଳନା ପାଇଁ ସ୍ବେରେଜ ବ୍ୟବସ୍ଥା ନାହିଁ। ନିକଟସ୍ଥ କଲୋନି ଘରଗୁଡ଼ିକର ମଧ୍ୟ ସେହି ସ୍ଥିତି ରହିଛି। ଏହି ମାଲିକମାନେ ମଇଳା ଟାଙ୍କିକୁ ପାଇପ ଜରିଆରେ ରାଜପଥ ନାଳା ସହିତ ବେଆଇନ ସଂଯୋଗ କରିଥିଲେ।

ପ୍ରତିଦିନ ଆପାର୍ଟମେଣ୍ଟ, ନିକଟସ୍ଥ କଲୋନି ଘର, ଅଜୟ କଲେଜର ଉଦବୃତ୍ତ ମଳପାଣି ରାଜପଥ ନାଳା ସହିତ ମିଶୁଥିଲା। ନାଳା ଭର୍ତ୍ତି ହେବା ପରେ ସେହି ମଳ ଏବଂ ମଳପାଣି ତମାଣ୍ଡୋ ବଜାରରେ ଭାସୁଥିଲା। ସାମାନ୍ୟ ବର୍ଷାରେ ସ୍ଥିତି ଆହୁରି ସଙ୍ଗୀନ ହୋଇ ଯାଉଥିଲା। ଏପରିକି ଅଧିକାଂଶ ସମୟରେ ରାସ୍ତାରେ ମଳ ଭାସୁଥିଲା। ଚାଲିକି ଯିବାତ ଅସମ୍ଭବ ଥିଲା, ଗାଡ଼ିରେ ମଧ୍ୟ ଯାତାୟାତ ଲୋକଙ୍କ ପାଇଁ କଷ୍ଟକର ଥିଲା। ବଜାର ଭଳି ଜନବହୁଳ ଅଞ୍ଚଳରେ ଏଭଳି ଅବସ୍ଥା ଅସହ୍ୟ ଥିବା କହିଛନ୍ତି ସ୍ଥାନୀୟ ଓ୍ବାର୍ଡ ମେମ୍ବର। ବିଶେଷକରି ବିଦ୍ୟାର୍ଥୀମାନେ ମଳପାଣିରେ ଯାତାୟାତକୁ କେହି ବରଦାସ୍ତ କରିପାରୁନଥିଲେ। ତେଣୁ ବାଧ୍ୟ ହୋଇ ଜେସିବି ସହାୟତାରେ ସବୁ ବେଆଇନ ପାଇପ ଭଙ୍ଗା ଯାଇଥିଲା। କେବଳ ତମାଣ୍ଡୋ ନୁହେଁ ଏହାର ନିକଟସ୍ଥ ଅନେକ ଆପାର୍ଟମେଣ୍ଟ, କଲୋନି ଏବଂ ବଡ଼ ଶିକ୍ଷାନୁଷ୍ଠାନର ଉଦବୃତ୍ତ ଆବର୍ଜନା ରାସ୍ତା ନିଷ୍କାସିତ ହେଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ପ୍ରଶାସନ କାହିଁକି କାର୍ଯ୍ୟାନୁଷ୍ଠାନ କରୁ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୁଏ।

Spread the love