ବିଜେଡି ସରକାର “ସବୁଜ ପତ୍ରିକା”ଧାରୀଙ୍କ ପ୍ରତି ପ୍ରତାରଣା କରିଛନ୍ତି : ମନମୋହନ ସାମଲ

ଭୁବନେଶ୍ୱର : ଦେଶରେ ଦୃତ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଦେଶବାସୀଙ୍କ ସହଯୋଗରେ ୧୯୮୩ ମସିହାରେ ‘ଆମେ ଦୁଇ, ଆମର ଦୁଇ’ର ନାରା ଦେଇ ତତ୍କାଳୀନ ସରକାର “ସବୁଜ ପତ୍ରିକା” ଆରମ୍ଭ କରିଥିଲେ । ବିଭିନ୍ନ ସାମାଜିକ ପ୍ରତିବନ୍ଧକ ଓ ପରିବାରଲୋକଙ୍କ ଆକଟକୁ ଭୃକ୍ଷେପ ନକରି ମାଁ ଓ ଭଉଣୀମାନେ ମାତୃତ୍ୱକୁ ବଳିଦେବାକୁ ସ୍ଥିର କରି ଗର୍ଭ ନିରୋଧ ଅସ୍ତ୍ରପ୍ରଚାର କରିଥିଲେ । ଏହି ଯୋଜନାକୁ ସଫଳ କରିବା ପାଇଁ ଏବଂ ଅସ୍ତ୍ରପ୍ରଚାର ହେଉଥିବା ମହିଳାଙ୍କୁ ପ୍ରୋତ୍ସାହିତ କରିବା ପାଇଁ “ସବୁଜ ପତ୍ରିକାଧାରୀ”ଙ୍କୁ ବିଭିନ୍ନ ସୁବିଧା ସୁଯୋଗ ମିଳିବାର ପ୍ରତିଶ୍ରୁତି ଦିଆଯାଇଥିଲା । ଏହି ଯୋଜନା ସୁରୁଖୁରରେ ଚାଲିଥିବାବେଳେ ରାଜ୍ୟ ସରକାର ୨୦୧୨ ମସିହାରେ ଏହାକୁ ହଠାତ୍ ବନ୍ଦ କରିଦେବା ସହିତ ମିଳୁଥିବା ସମସ୍ତ ସୁବିଧା ସୁଯୋଗକୁ ମଧ୍ୟ ବନ୍ଦ କରିଦେଲେ । ବନ୍ଦ କରାଯାଇଥିବା ଏହି ଯୋଜନାକୁ ପୁନଃ କାର୍ଯ୍ୟକାରୀ କରାଯିବା ଦାବୀରେ “ସବୁଜ ପତ୍ରିକାଧାରୀ” ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିଲେ ବି ରାଜ୍ୟ ସରକାର କର୍ଣ୍ଣପାତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଓଡିଶା ସବୁଜ ପତ୍ରିକା ମହିଳା ମହାସଂଘର ରାଜ୍ୟ ସଭାପତି ଶ୍ରୀ ପ୍ରଭାକର ମହାପାତ୍ରଙ୍କ ନେତୃତ୍ୱରେ ସଂଘର ସମସ୍ତ ଜିଲ୍ଲା ସଭାନେତ୍ରୀ, ସଂପାଦକ ଓ କୋଷାଧ୍ୟକ୍ଷମାନଙ୍କ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଭେଟି ତାଙ୍କ ଦାବୀ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । “ସବୁଜ ପତ୍ରିକାଧାରୀ”ମାନଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ହେଲା; “ରାଜ୍ୟ ସରକାର କିମ୍ବା ଗୃହ ନିର୍ମାଣ ସଂସ୍ଥା ଦ୍ୱାରା ନିର୍ମିତ ଗୃହଗୁଡିକ ମଧ୍ୟରୁ ଶତକଡା ୫ ପ୍ରତିଶତ ଗୃହ ଏଭଳି ପରିବାରକୁ ଯୋଗାଇ ଦିଆଯିବ; ଘରଡିହ ନଥିବା ପରିବାରକୁ ୪ଡିସିମିଲ ପରିବର୍ତେ ୮ଡିସିମିଲ ଭୂମି ବିନାମୂଲ୍ୟରେ ଯୋଗାଇ ଦିଆଯିବ; ନିମ୍ନ ଆୟ ବା ମଧ୍ୟମ ଆୟ ଗୋଷ୍ଠୀର ଲୋକଙ୍କୁ ଦିଆଯାଉଥିବା ଗୃହ ନିର୍ମାଣ ଋଣରୁ ଶତକଡା ୫ପ୍ରତିଶତ “ସବୁଜ ପତ୍ରିକାଧାରୀ” ପରିବାର ପାଇଁ ସଂରକ୍ଷଣ ରହିବ; ମେଡିକାଲ / ଇଞ୍ଜିନିୟରିଂ / ପଲିଟେକନିକ ଓ ଆଇଟିଆଇ ପ୍ରଭୃତି ଶିକ୍ଷାନୁଷ୍ଠାନମାନଙ୍କରେ ଶତକଡା ୫ ପ୍ରତିଶତ ସ୍ଥାନ “ସବୁଜ ପତ୍ରିକାଧାରୀ” ପରିବାରର ପିଲାଙ୍କ ପାଇଁ ସଂରକ୍ଷଣ ରହିବ; ଏହି ଦମ୍ପତିଙ୍କ ମଧ୍ୟରୁ ସ୍ୱାମୀ ଓ ସ୍ତ୍ରୀ ରାଜ୍ୟ ସରକାରଙ୍କ କର୍ମଚାରୀ ହୋଇଥିଲେ ତାଙ୍କ ଦରମାର ୨ଟି ଇନକ୍ରିମେଂଟର ସମତୁଲ ପ୍ରୋତ୍ସାହନ ଭତା ପାଇବେ; ସବୁଜ ପତ୍ରିକାଧାରୀମାନଙ୍କ ପାଇଁ ୧୦ହଜାର ଏକ ବାର୍ଷିକ ଲଟେରୀର ସୁଯୋଗ ଅସ୍ତ୍ରୋପ୍ରଚାର ହେବାଠାରୁ ୫ବର୍ଷ ପର୍ଯ୍ୟନ୍ତ ଉନ୍ମକ୍ତ ରହିବ କିନ୍ତୁ ଏହି ଲଟେରୀରେ ପତ୍ରିକାଧାରୀ ଥରେ ଜୟଯୁକ୍ତ ହେଲେ ପରବର୍ତୀ ଲଟେରୀ ପାଇଁ ତାଙ୍କ ନାମ ରହିବ ନାହିଁ ।” ରାଜ୍ୟ ସରକାର ମହିଳା ସଶକ୍ତୀକରଣ ନାଁରେ ଡିଣ୍ଡିମ ପିଟୁଛନ୍ତି କିନ୍ତୁ ଏଠି “ସବୁଜ ପତ୍ରିକାଧାରୀ” ନ୍ୟାୟ ପାଇଁ ଆନ୍ଦୋଳନ କରୁଥିଲେ ବି ନବୀନ ବାବୁ କୌଣସି ପଦକ୍ଷେପ ନନେବା ମହିଳାଙ୍କ ପ୍ରତି ଅବହେଳାକୁ ସ୍ପଷ୍ଟ ପ୍ରମାଣିତ କରୁଛି । ବିଜେଡି ସରକାର “ସବୁଜ ପତ୍ରିକା”ଧାରୀ ମା’ମାନଙ୍କ ପ୍ରତି ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love