ନିଯୁକ୍ତି ନାମରେ ଠକେଇ, ୨ ଜଣ ଗିରଫ

ଭଞ୍ଜନଗର: ନିଯୁକ୍ତି ନାମରେ ଜଣେ ଯୁବକଙ୍କ ଠାରୁ ୧୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭଞ୍ଜନଗର ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଜଣଙ୍କ ଅବିନାଶ ଅଚାର୍ଯ୍ୟ ଓ ତାର ସହଯୋଗୀ ଶୁଭମ କୁମାର ପ୍ରଧାନ। କେସ୍ ନମ୍ବର ୬୨୬ରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧିରେଶ କୁମାର ଦାସ କହିଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ଭଞ୍ଜନଗର ଥାନା ଫୁଲାବାଣୀ ରୋଡରେ ରହୁଥିବା କୃଷ୍ଣଚନ୍ଦ୍ର ଜେନାଙ୍କ ପୁଅ ଗତବର୍ଷ କମ୍ବାଇନ୍‌ଡ୍‌ ଗ୍ରାଜୁଏସନ୍‌ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ପାସ୍ କରାଇବା ସହ ସୁନିଶ୍ଚିତ ଚାକିରି କରାଇବାର ପ୍ରଲୋଭନ ଦେଖାଇ ଭଞ୍ଜନଗର ଲଣ୍ଡେଇସାହିର ଅବିନାଶ ଆଚାର୍ଯ୍ୟ କୃଷ୍ଣଙ୍କୁ ୧୫ ଲକ୍ଷ ଟଙ୍କା ମାଗିଥିଲେ। ପରେ କୃଷ୍ଣ ବିଭିନ୍ନ ସମୟରେ ନଗଦ ଆକାରରେ ଓ ଆକାଉଣ୍ଟ ତଥା ଫୋନ୍-ପେ ମାଧ୍ୟମରେ ଅବିନାଶକୁ ମୋଟ ୧୩ ଲକ୍ଷ ଟଙ୍କା ଦେଇଥିଲେ। ମାତ୍ର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କୃଷ୍ଣଙ୍କ ପୁଅର ନାମ ଯୋଗ୍ୟ ତାଲିକାରେ ନଥିଲା। ପରେ କୃଷ୍ଣ ଠକେଇର ଶିକାର ହୋଇଥିବା ଜାଣିପାରି ଅବିନାଶ ସହ ଯୋଗାଯୋଗ କରି ଟଙ୍କା ଫେରସ୍ତ ମାଗିଥିଲେ। ତେବେ ଅବିନାଶ ଟଙ୍କା ନ ଫେରାଇ ଓଲଟା ହତ୍ୟା ଧମକ ଦେଇ ରାଜ୍ୟ ବାହାରକୁ ଚାଲିଯାଇଥିଲା।

ନ୍ୟାୟ ପାଇଁ କୃଷ୍ଣ ଭଞ୍ଜନଗର ପୁଲିସର ଦ୍ବାରସ୍ଥ ହୋଇଥିଲେ। ପୁଲିସ ପ୍ରାଥମିକ ତଦନ୍ତ କରି ଘଟଣାରେ ସାମିଲ ଥିବା ଅବିନାଶର ସହଯୋଗୀ ଶୁଭମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଉ ଗତକାଲି ଅବିନାଶକୁ ଗିରଫ କରିବାରେ ସଫଳ ହୋଇଥିଲା। ଉଭୟଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ ସିଜ୍‌ କରିବା ସହ ଏଟିମ୍ କାର୍ଡ଼, ୨ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ଟ୍ୟାବ୍, ୧୫ ହଜାର ଟଙ୍କା ଏବଂ ଗୋଟିଏ ଆଇକାର୍ଡ଼ ଜବତ କରାଯାଇଛି। ଅନ୍ୟପଟେ ଅବିନାଶଙ୍କ ପ୍ରକୃତ ଘର ଜଗନ୍ନାଥପ୍ରସାଦ ଥାନା କୁମ୍ପାପଡ଼ାରେ ହୋଇଥିବା ​ବେ​ଳେ ବର୍ତ୍ତମାନ ସେ ଭଞ୍ଜନଗରରେ ରହି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ କିରାଣି ଭାବେ କାର୍ଯ୍ୟ କରୁଛନ୍ତି।

Spread the love