ଡକାୟତି ଗ୍ୟାଙ୍ଗକୁ ବାନ୍ଧିଲା ଖଲ୍ଲିକୋଟ ପୁଲିସ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଓ କୋଦଳା ପୁଲିସ ମିଳିତ ଭାବେ ଚଢ଼ଉ କରି ୪ ଜଣିଆ କୁଖ୍ୟାତ ଡକାୟତ ଗ୍ୟାଙ୍ଗ୍‌କୁ କାବୁ କରିଛି। ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସହ ସେମାନଙ୍କଠୁ ବନ୍ଧୁକ, ଖଣ୍ଡା, ବୋମା ଓ ବାଇକ୍ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ, ଖଲ୍ଲିକୋଟ ଥାନା ଖୋଜାପଲ୍ଲୀର ବଳରାମ ପରିଡ଼ା (୨୫), କହ୍ନେଇପୁରର ପ୍ରଶାନ୍ତ କୁମାର ସ୍ବାଇଁ (୨୩), କୋଦଳା ଥାନା ଦଣ୍ଡେଶ୍ବର ରୋଡ୍‌ର ବିକ୍ରମ ସାହୁ (୧୯) ଓ ଖଲ୍ଲିକୋଟ ଥାନା ତୋଟାଗାଁର ନେହରୁ ପାହାନ (୨୩)। ଏହି ଗ୍ୟାଙ୍ଗ୍ ଭୁବନେଶ୍ୱର, ଝାରସୁଗୁଡ଼ା, କୋଦଳା ଓ ଖଲ୍ଲିକୋଟ ସମେତ ଓଡ଼ିଶାର ବିଭିନ୍ନ ଥାନା ଇଲାକାରେ ଘଟିଥିବା ହତ୍ୟା, ହତ୍ୟା ଧମକ, ରାହାଜାନି ଓ ଦାଦାବଟି ଆଦାୟ ଭଳି ସଂଗିନ୍ ଅପରାଧରେ ସଂପୃକ୍ତ। ଜଣେ କୁକୁଡ଼ାଫାର୍ମର ମାଲିକଙ୍କୁ ଧମକ ଦେଇ ଦାଦାବଟି ମାଗିବା ମାମଲାରେ ଖଲ୍ଲିକୋଟ ପୁଲିସ ଗତକାଲି ମାଷ୍ଟରମାଇଣ୍ଡ୍ ବିଭୂ ଜେନା ସମେତ ୩ ଜଣଙ୍କୁ ଗିରଫ କରିଥିଲା। ଜେରା ସମୟରେ ସେମାନେ ଏହି ୪ ଜଣିଆ ଡକାୟତ ଗ୍ୟାଙ୍ଗ୍ ବିଷୟରେ ସୂଚନା ଦେଇଥିଲେ। ଖଲ୍ଲିକୋଟ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ଓ କୋଦଳା ଥାନାଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ବରେ ମିଳିତ ଭାବେ ଚଢ଼ଉ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିଲା। ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

Spread the love