ପାକିସ୍ତାନରେ ବିସ୍ଫୋରଣ, ୪୪ ମୃତ
ଲାହୋର: ପାକିସ୍ତାନରେ ଆଜି ଏକ ରାଜନୈତିକ ସଭାରେ ଶକ୍ତିଶାଳୀ ବିସ୍ଫୋରଣ ହେବାରୁ ୪୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଗୁରୁତର ଆହତ ଲୋକଙ୍କୁ ଏୟାର ଆମ୍ବୁଲାନ୍ସରେ ପେଶାୱର ନିଆଯାଇଛି। ଏହା ଏକ ଆତ୍ମଘାତୀ ବିସ୍ଫୋରଣ । ତେବେ କୌଣସି ସଂଗଠନ ଏପର୍ଯ୍ୟନ୍ତ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ଖୈବର ପଖ୍ତୁନଖ୍ବା ପ୍ରଦେଶର ବଜୌର ଜିଲ୍ଲା ଖାର୍ଠାରେ ଆଜି ଅପରାହ୍ନରେ ଜମିୟତ ଉଲେମା ଇସ୍ଲାମ-ଫଜଲ (ଜେୟୁଆଇ-ଏଫ୍)ର ଏକ ସମାବେଶ ଚାଲିଥିବା ବେଳେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ସଂଗଠନର ମୁଖ୍ୟ ମୌଲାନା ଫଜଲୁର ରହେମାନ ହେଉଛନ୍ତି ତାଲିବାନର ଦୃଢ଼ ସମର୍ଥକ। ଆଜିର ସମାବେଶରେ ସେ ଉପସ୍ଥିତ ନଥିଲେ। ତେବେ ସଂଗଠନର ଆଞ୍ଚଳିକ ମୁଖ୍ୟ ଏହି ବିସ୍ଫୋରଣରେ ନିହତ ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର ଅଞ୍ଚଳ ଥରି ଉଠିଥିଲା ଏବଂ ଧୂଆଁମୟ ହୋଇଯାଇଥିଲା। ବିସ୍ଫୋରଣ ପରେ ସେଠାରେ ଦଳାଚକଟା ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା।
ଆହତଙ୍କମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳ ସମେତ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି। ପାକିସ୍ତାନ ସେନା ପକ୍ଷରୁ ଆହତଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ଅତି ଗୁରୁତର ଆହତଙ୍କୁ ହେଲିକପ୍ଟର ଦ୍ବାରା ପେଶାୱର ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣରେ ଅନେକ ସ୍ଥାନୀୟ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି।
ବିସ୍ଫୋରଣ ପରେ ଦଳାଚକଟାରେ ମଧ୍ୟ ଶତାଧିକ ଆହତ ହୋଇଥିବା ଜଣାପଡ଼ିଛି। ଜେୟୁଆଇ-ଏଫ୍ ମୁଖ୍ୟ ମୌଲାନା ଫଜଲୁର ରେହମାନ ଏହି ବିସ୍ଫୋରଣର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଖୈବର ପଖ୍ତୁନଖ୍ବା ପ୍ରଦେଶରେ ଏବେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିଚାଲିଥିବା ବେଳେ ଆଜିର ବିସ୍ଫୋରଣ ଆତଙ୍କ ଖେଳାଇ ଦେଇଛି। ୨୦ରୁ ଅଧିକ ଆତଙ୍କବାଦୀ ସଂଗଠନ ଏହି ପ୍ରଦେଶରେ ସକ୍ରିୟ ଥିବା ବେଳେ ଅଲ୍କାଏଦା ଏବଂ ଆଇଏସ୍ଆଇଏସ୍ ଆତଙ୍କବାଦୀଙ୍କ ନେଟ୍ୱର୍କ ମଧ୍ୟ ଏଠାରୁ ସଂଚାଳନ ହେଉଛି।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ପାକିସ୍ତାନରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେ ଠାରୁ ବିଭିନ୍ନ ସ୍ଥାନରେ ରାଜନୈତିକ ଦଳମାନଙ୍କ ପକ୍ଷରୁ ସଭାମାନ ଆୟୋଜନ କରାଯାଉଛି। ମୌଲାନା ରହେମାନଙ୍କ ଦଳ ଏବେ କ୍ଷମତାସୀନ ସରକାରରେ ଅଂଶୀଦାର ରହିଛି।
୨୦୨୧ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତା ଅକ୍ତିଆର କରିବା ପର ଠାରୁ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ଜାନୁଆରୀ ୩୦ ତାରିଖରେ ପେଶାୱରର ଏକ ମସଜିଦରେ ପ୍ରାର୍ଥନା କରାଯାଉଥିବା ବେଳେ ଶକ୍ତିଶାଳୀ ବିସ୍ଫୋରଣ ଯୋଗୁଁ ଶତାଧିକ ଲୋକ ପ୍ରାଣ ହରାଇଥିଲେ। ଫେବୃଆରି ମାସରେ କରାଚି ପୁଲିସ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଅଲକାଏଦା ସହ ସଂପର୍କ ରଖିଥିବା ଟିଟିପି ନାମକ ଆତଙ୍କବାଦୀ ସଂଗଠନ ଏହି ସବୁ ଆକ୍ରମଣରେ ସଂପୃକ୍ତ। ୨୦୧୪ରେ ଏହି ସଂଗଠନ ପେଶାୱରର ଆର୍ମି ପବ୍ଲିକ ସ୍କୁଲରେ ଆକ୍ରମଣ କରିଥିଲା। ଏଥିରେ ୧୩୦ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଥିଲେ।