୨୦ ବର୍ଷର ନିରଙ୍କୁଶ ଶାସନ ସତ୍ୱେ ବି ହୋଇନି ଓଡିଶାର ବିକାଶ:ବିଜେପି

ଆସନ୍ତାକାଲି ବିଜେଡି ୨୩ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ବିଜେଡି ଗଠନ ଠାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ଓଡିଶାର ଶାସନ କ୍ଷମତାରେ ରହିଆସିଛି । ହେଲେ ଓଡିଶା ଏହି ଲମ୍ବା ସମୟରେ ବିକାଶର ସମସ୍ତ ମାପଦଣ୍ଡରେ ଆଗେଇବା ବଦଳରେ ପଛେଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ପକ୍ଷରୁ ଦଳର ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକଙ୍କୁ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ୨୦ ବର୍ଷର ଶାସନ କଣ ଓଡିଶାର ବିକାଶ ପାଇଁ ଯଥେଷ୍ଟ ହେଲା ନାହିଁ କି ? ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ୧୧୦ଟି ପିଏଚସି ଓ ସିଏଚସିରେ ଡାକ୍ତର ନାହାଁନ୍ତି ଏହା କଣ ରାଜ୍ୟର ଉନ୍ନତ ସ୍ୱାସ୍ଥ୍ୟ ସେବାର ନମୂନା କି ? ଏହା ସତ୍ୱେ ବି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯାହା କେନ୍ଦ୍ରର ଆୟୁଷ୍ମାନ
ଯୋଜନା ଠାରୁ ଭଲ ବୋଲି ଦାବି କରୁଥିଲେ ବି ତାହା ବାସ୍ତବରେ କେତେ ଜଣ ହିତାଧିକାରୀଙ୍କୁ ଉବଲବ୍ଧ ହୋଇଛି ? ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସଭାପତି କାଳିଆ ଯୋଜନା ଘୋଷଣା କରିଥିଲେ । କିନ୍ତୁ ଭୋଟ ପାଇଁ ଜିତିଲା ପରେ ପ୍ରତିଶୃତି ପାଣିର ଗାର ପାଲଟିଛି । କାଳିଆର ପ୍ରଥମ କିସ୍ତି ନପାଇଥିବା ଆଉ ୨୪ ଲକ୍ଷ ଚାଷୀ କେବେ କାଳିଆ ଟଙ୍କା ପାଇବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଦୀର୍ଘ ୨୦ ବର୍ଷ ଶାସନ ପରେ ବି ରାଜ୍ୟର ସମସ୍ତ ଚାଷ ଜମିକୁ ରାଜ୍ୟ ସରକାର ପାଣି ଯୋଗାଇ ପାରିଲେ ନାହିଁ । ଆଉ କେତେ ଦିନ ଶାସନ କଲେ ସବୁ ଚାଷ ଜମିକୁ ପାଣି ପହଂଚି ପାରିବ? ଗଙ୍ଗାଧର ସେଚ ପ୍ରକଳ୍ପ ସହ ଅନ୍ୟ ୧୬୮ଟି ସେଚ ପ୍ରକଳ୍ପର କାର୍ଯ୍ୟ କେବେ ସରିବ ? ପ୍ରତିଦିନ ରାଜ୍ୟରେ ନାରୀ ନିର୍ଯ୍ୟାତନା ଗଣଦୁଷ୍କର୍ମ ଆଦି ଘଟଣା ଘଟିଚାଲିଛି । ନବୀନ ବାବୁ ନାରୀ ସୁରକ୍ଷା କଥା କହୁଥିବାବେଳେ କେବେ ମହିଳା ବିରୋଧୀ ଆଇନ ରାଜ୍ୟରେ ଲାଗୁ କରିବେ, କେବେ ସବୁ ଜିଲ୍ଲାରେ ମହିଳା ଥାନା ପ୍ରତିଷ୍ଠା କରିବେ ତାହା ସ୍ପଷ୍ଟ କରନ୍ତୁ । ମାତୃମୃତ୍ୟୁ ହାର , ଶିଶୁ ମୃତ୍ୟୁ ହାର ଏବଂ ଦୁଷ୍କର୍ମ
ଘଟଣାରେ ଓଡିଶା ରେକର୍ଡ କରିବା କଣ ରାଜ୍ୟ ପାଇଁ ଲଜ୍ଜାର ବିଷୟ ନୁହେଁ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଆଜି ବି ଶୁଦ୍ଧ ପାନୀୟ ଜଳ ମୁନ୍ଦେ ପାଇବାରୁ ଲକ୍ଷ ଲକ୍ଷ ଲୋକ ବଂଚିତ ଅଛନ୍ତି । ଅନେକ ସ୍ଥାନରେ ଲୋକମାନେ ପୋଖରୀ ପାଣି ଏବଂ ନଦୀ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ଅନେକ ପଂଚାୟତରେ ନଳକୂପ ବି ନାହିଁ । ପାଣି ପାଇଁ ମହିଳାମାନଙ୍କୁ ମାଇଲ ମାଇଲ ବାଟ ଚାଲିକି ଯିବାରୁ ପଡୁଛି । ଆଉ କେତେ ଦିନ ଲାଗିବ ରାଜ୍ୟବାସୀଙ୍କ ପାଖରେ ପାଇପ ଯୋଗେ ପାନୀୟ ଜଳ ପହଚାଂଇବା ପାଇଁ? କେନ୍ଦ୍ର ସରକାରଙ୍କ ପୂର୍ଣ୍ଣ ସହଯୋଗ ସତ୍ୱେ ପାଇଖାନା ନିର୍ମାଣର ରାଜ୍ୟ
ଦେଶରେ ସବୁଠୁ ପଛରେ ରହିଛି କାହିଁକି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ବାତ୍ୟା ଫନି ପ୍ରଭାବିତ ଜିଲ୍ଲା ଗୁଡିକ ପାଇଁ କେନ୍ଦ୍ର ସରକାର ୫୦୦୦ କୋଟି ସହାୟତା ଯୋଗାଇଥିବାବେଳେ ଶାସକ ବିଜେଡି ଯୋଗ୍ୟ ହିତାଧିକାରୀକୁ ବଂଚିତ କରି ଅଯୋଗ୍ୟ ପ୍ରଭାବଶାଳୀ ବ୍ୟକ୍ତିକୁ ଦଳୀୟ ଆଧାରରେ ସହାୟତା
ଯୋଗାଇ ଦିଆଯାଇଛି । ସହରି ଆବାସ ଯୋଜନାର ଦୀର୍ଘଦିନ ହେବ କେନ୍ଦ୍ର ସହାୟତା ରାଶି ଯୋଗାଇଥିଲେ ମଧ୍ୟ କେତେ ଜଣ ବସ୍ତି ବାସିନ୍ଦାଙ୍କୁ ଘର ମିଳିଛି? ଜାଗା ମିଶନ ପାଇଁ ପୁରସ୍କାର ପାଇଥିବା ରାଜ୍ୟ ସରକାର ପ୍ରକୃତରେ କେତେ ଲୋକଙ୍କୁ ଜାଗା ଅଧିକାର ଦେଇ ପାରିଛନ୍ତି ? ଏକ ନମ୍ବର ସ୍ମାର୍ଟ ସିଟି ଘୋଷଣା ହୋଇଥିବା ଭୁବନେଶ୍ୱର ସ୍ମାର୍ଟ ସିଟି ନା ସ୍ଲମ ସିଟି
ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଆଳୁ , ପିଆଜ, ଅଣ୍ଡା, ମାଛ ଉତ୍ପାଦନରେ ରାଜ୍ୟ ସ୍ୱୟଂସଂପୂର୍ଣ୍ଣ ହେବ କେବେ ? ପୁଂଜି ପ୍ରତ୍ୟାହାରକୁ ବିରୋଧ କରୁଥିବା ରାଜ୍ୟସରକାର ୪୧୦୦ କୋଟି ଉଦ୍ଧ୍ୱର୍ ଟଙ୍କାର ସେସୁ ସଂସ୍ଥାକୁ ଶାଗ ମାଛ ଦରରେ ମାତ୍ର ୩୦୦ କୋଟି ଟଙ୍କାରେ ଟାଟ ପାୱାରକୁ କାହା ସ୍ୱାର୍ଥରେ ଟେକି ଦିଆଗଲା ? ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଡିଣ୍ଡିମ ପିଟୁଥିବା ସରକାର କେତେ ଦିନରେ ଓଟିଏମ ପୁନରୁଦ୍ଧାର କେବେ ହେବ ? କଳିଙ୍ଗ ଆଇରନ ୱାକ୍ସର ପୁନରୁଦ୍ଧାର କେବେ ହେବ ? ଆର୍ଥୀକ ଅଭିବୁଦ୍ଧି କ୍ଷେତ୍ରରେ ଚାଷୀଙ୍କ ହିତ ପାଇଁ ରାଜ୍ୟସରକାର କଣ ଚିନ୍ତା କରିଛନ୍ତି ? କୃଷି ସମବାୟ ବ୍ୟାଙ୍କ, ସହରି ସମବାୟବ୍ୟାଙ୍କ ଗୁଡିକ ବନ୍ଦ ହେବା ପଛରେ ସରକାରଙ୍କ ଅପାରଗତା ଓ ଦୁର୍ନୀତି ମୁଖ୍ୟ କାରଣ ନୁହେଁ କି ? ଚିଟ୍ଫଣ୍ଡ ଜମାକାରୀଙ୍କୁ ପଇସା କେବେ ଫେରସ୍ତ କରାଯିବ ? ଶିଳ୍ପ ଭିତିକ ପୁଂଜି ବିନିଯୋଗ ପାଇଁ ଶତାଧିକ ଏମଓୟୁ ସ୍ୱାକ୍ଷର ହୋଇଥିବାବେଳେ ସେଧିମଧ୍ୟରୁ କେତେ କାର୍ଯ୍ୟକାରୀ ହୋଇଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

Spread the love